Unknown

 

 

 

 

 

 

 

 

 

 

 

ନନ୍ଦକିଶୋର ସନ୍ଦେଶ

ଶ୍ରୀ ମୁରାରି ମୋହନ ଜେନା

 

ମୁଖବନ୍ଧ

 

କବି ନନ୍ଦକିଶୋର ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପଲ୍ଲୀ କବିରୂପେ ପରିଚିତ ହୋଇ ଆସୁଛନ୍ତି । ପଲ୍ଲୀକୋଳର ଶିଶୁ ନନ୍ଦକିଶୋରଙ୍କ କବିତାରେ ଯେ ପଲ୍ଲୀ-ମାତୃକାର ସୁଲଳିତ ଚିତ୍ର, ପଲ୍ଲୀପ୍ରାଣର ପ୍ରାଚୁର୍ଯ୍ୟ ଦେଖିବାକୁ ମିଳେ କହିବା ବାହୁଲ୍ୟ ମାତ୍ର । ତେବେ ଏ କ୍ଷେତ୍ରରେ ପଲ୍ଲୀ କବିତାର ମାନ କିମ୍ୱା ସଜ୍ଞା କ’ଣ ସେ ବିଷୟର ସୁବିଚାର ଆବଶ୍ୟକ । ପଲ୍ଲୀବାସୀଙ୍କ ପାଇଁ ଉଦ୍ଦିଷ୍ଟ କବିତା କିମ୍ୱା ପଲ୍ଲୀର ବର୍ଣ୍ଣନାତ୍ମକ କବିତା ହେଉଛି ପଲ୍ଲୀ କବିତା, ନା ପଲ୍ଲୀବାସୀ ଯାହାକୁ ଗ୍ରହଣ କରନ୍ତି ସେ ହେଉଛି ପଲ୍ଲୀ କବିତା ? ନନ୍ଦକିଶୋରଙ୍କୁ ପଲ୍ଲୀକବିରୂପେ ଗ୍ରହଣ କରିବା ପୂର୍ବରୁ ଏହି ପ୍ରଶ୍ନଟିର ସମାଧାନ ଆବଶ୍ୟକ ।

 

ବହୁ ପ୍ରାଚୀନକାଳରୁ ଓଡ଼ିଶା ପଲ୍ଲୀଜନ ମୁଖରେ ବହୁପ୍ରକାର ସାହିତ୍ୟ ସୃଷ୍ଟି ହୋଇଛି ଏବଂ ଏପର୍ଯ୍ୟନ୍ତ ମଧ୍ୟ ବଞ୍ଚି ରହିଛି । ସେଗୁଡ଼ିକ ହେଉଛି କିମ୍ୱଦନ୍ତୀ, ଗଳ୍ପ, ଶିଶୁଗଳ୍ପ, ଶିଶୁ କବିତା ଓ ଗୀତ; କୃଷିଗୀତ, ଚାଷୀ ଓ ହଳିଆ ଗୀତ ପ୍ରଭୃତି ଏ ସବୁଥିରୁ କୌଣସି ଗୋଟିକର ହେଲେ ଜନକ କିଏ ତାହା ଜଣା ନାହିଁ । ଜଣାଯାଇ ପାରିବା ମଧ୍ୟ ଅସମ୍ଭବ । ଏହାର ସ୍ରଷ୍ଟା ଯେ ହୋଇଥାଆନ୍ତୁ ନା କାହିଁକି ଏହିସବୁ ସାହିତ୍ୟ ଜରିଆରେ ପ୍ରକୃତ ପଲ୍ଲୀପ୍ରାଣର ପ୍ରତିଷ୍ଠା ହୋଇପାରିଛି । ଢଗଢମାଳି କିମ୍ୱା କାନ୍ଦଣାମାନଙ୍କରେ ଯେଉଁ ମାଧୁର୍ଯ୍ୟ ଓ କାରୁଣ୍ୟର ସ୍ପନ୍ଦନ ଥାଏ, ତାହା ପାଇବା ପାଇଁ ସ୍ୱନାମଧନ୍ୟ ଲେଖକ କିମ୍ୱା କବିଙ୍କ ଲେଖା ଖୋଜିବା ଧୃଷ୍ଟତା ମାତ୍ର । ବଡ଼ ଲେଖକଙ୍କ ଲେଖା ଗମ୍ଭୀର ଶବ୍ଦାଡ଼ମ୍ୱରଭୂଷିତ ଅଳଙ୍କୃତ ଓ ଉଚ୍ଚଭାବ ସମ୍ପନ୍ନ ହୋଇପାରେ କିନ୍ତୁ ଏତେ ସରଳ ଓ ତରଳ ହୋଇପାରିବ ନାହିଁ । କାରଣ ଏ ଦୁଇଟି ମଧ୍ୟରେ ହୃଦୟର ପାର୍ଥକ୍ୟ ବହୁତ ।

 

ଆଧୁନିକ ଯୁଗରେ କେତେକ ଲେଖକ ପଲ୍ଲୀବାସୀଙ୍କପାଇଁ ପଲ୍ଲୀକବିତା ଲେଖିବାକୁ ଆରମ୍ଭ କରିଛନ୍ତି । ପୂଜକ ଠାକୁରଙ୍କ ନିକଟରେ ଉତ୍ସର୍ଗ ସୂଚକ ତାଳିଟିଏ ମାରିଦେଇ ସେଇ ଭୋଗକୁ ନିଜର ଭୋଗ କରେ, ଯାହାକୁ କି ପ୍ରବଚନରେ କୁହାଯାଏ ‘ମାର ତାଳି, ଉଠା ଥାଳି’ ଠିକ୍ ସେହିପରି କେତେକ ଲୋକ ନିଜର ସାହିତ୍ୟିକ ସତ୍ତା ବଜାୟ ରଖିବାକୁ ଯାଇ, ପଲ୍ଲୀ ବିଷୟରେ କବିତା ଲେଖିବାକୁ ଆରମ୍ଭ କରନ୍ତି । କିନ୍ତୁ ପଲ୍ଲୀର ଏହା ଗ୍ରହଣୀୟ ହୁଏ କି ? ନଗରର ସାହିତ୍ୟ ରସିକମାନେ ଏହି ସବୁକୁ ଉଚ୍ଚଧରଣ ପଲ୍ଲୀସାହିତ୍ୟ ରୂପେ ଗ୍ରହଣ କରିପାରନ୍ତି । ବିଦ୍ୟାଳୟମାନଙ୍କରେ ସେସବୁ ପଲ୍ଲୀ ସାହିତ୍ୟ ବିଭାଗର ପାଠ୍ୟରୂପେ ନିର୍ବାଚିତ ହୋଇପାରେ କିନ୍ତୁ ଆମେ କେବେ ଆଶା କରିବୁ କି ସେସବୁ ସାହିତ୍ୟ କେବେ ପଲ୍ଲୀତୁଣ୍ଡରେ ଶୋଭା ପାଇବ ? ପ୍ରକୃତ ପକ୍ଷରେ ସେହିସବୁ ସାହିତ୍ୟିକଙ୍କର ନାମ ମଧ୍ୟ ପଲ୍ଲୀବାସୀ ଜାଣିପାରନ୍ତି ନାହିଁ । ଶିକ୍ଷିତ ସମାଜ ଦୟାପରବଶ ହୋଇ ପଲ୍ଲୀବାସୀଙ୍କ ପାଇଁ ଯେଉଁ ସାହିତ୍ୟ ଲେଖନ୍ତି କିମ୍ବା ପଢ଼ନ୍ତି, ତାହା ପଲ୍ଲୀବାସୀ ଗ୍ରହଣ କରନ୍ତି ନାହିଁ । କିନ୍ତୁ ଆଦିମ କାଳରୁ ପଲ୍ଲୀବାସୀ ଯେଉଁ ସାହିତ୍ୟ ସୃଷ୍ଟି କରିଛନ୍ତି ଓ କରୁଛନ୍ତି, ତାହା ନଗରର ସାହିତ୍ୟ ଅପେକ୍ଷା ଅଧିକ ବ୍ୟାପକ ।

 

ରୀତିଯୁଗର ସାହିତ୍ୟର ଭାବ ଓ ସାଙ୍ଗୀତିକ ମୂର୍ଚ୍ଛନା ଓ ପୁରାଣ ସାହିତ୍ୟର ନୀତିତତ୍ତ୍ୱ ଓ ଗଳ୍ପାଂଶ ପ୍ରତି ଅନେକ ସମୟରେ ପଲ୍ଲୀବାସୀ ଆକୃଷ୍ଟ ହୋଇ ଗ୍ରହଣ କରନ୍ତି । କିନ୍ତୁ ସେମାନଙ୍କ ପ୍ରତି ଦୟା ପ୍ରଦର୍ଶନ ପୂର୍ବକ ତାଙ୍କ ବିଷୟରେ ଯେଉଁ ସାହିତ୍ୟ ସୃଷ୍ଟି ହୁଏ ତାହା ଗ୍ରହଣ କରିବାକୁ ସେମାନେ ନାରାଜ । ସଙ୍ଗୀତ ହିସାବରେ ରୀତିଯୁଗର କବିମାନଙ୍କ ‘‘ଗଲାଣିତ ଗଲା କଥାରେ ସଙ୍ଗାତ’’ ‘‘ବାଜଛି ସହି ବାଜାରେ’’ ପ୍ରଭୃତିକୁ ପଲ୍ଲୀବାସୀ ଗ୍ରହଣ କରିଛନ୍ତି କିମ୍ୱା ଢଗ ତଥା ପ୍ରବଚନରୂପେ ପୁରାଣର ‘ଝିମିଟି ଖେଳରୁ ମହାଭାରତ’ ‘ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି’ ପ୍ରଭୃତିକୁ ମଧ୍ୟ ସେମାନେ ଗ୍ରହଣ କରିଛନ୍ତି । କିନ୍ତୁ ସେମାନେ ଆଦୌ ଜାଣନ୍ତି ନାହିଁ ଯେ ‘ଛୋଟ ମୋର ଗାଁ ଟି’ ନାମରେ ଏକ କବିତା ତାଙ୍କ ନାମରେ ରଚିତ ହୋଇ ଉଚ୍ଚଦରର ପଲ୍ଲୀ କବିତାରୂପେ ସ୍କୁଲ କଲେଜରେ ପାଠ୍ୟ ହୋଇଛି ।

 

ଉଲ୍ଲିଖିତ ଦୃଷ୍ଟିକୋଣରୁ ନନ୍ଦକିଶୋରଙ୍କୁ ପଲ୍ଲୀକବି ରୂପେ ବିଚାର କଲେ ତାଙ୍କ ପଲ୍ଲୀ ପ୍ରାଣର ଅବମାନନା କରାହେବ । ସେ ପଲ୍ଲୀବାସୀଙ୍କ ପାଇଁ ଲେଖି ନିଜକୁ କବି କରାଇବାର ଧୃଷ୍ଟତା ଦେଖାଇ ନାହାନ୍ତି ବରଂ ପ୍ରକୃତ ପଲ୍ଲୀ ସାହିତ୍ୟର ମାଧୁର୍ଯ୍ୟ ସଂଗ୍ରହକରି ସେ ନିଜର ସାହିତ୍ୟ ଜରିଆରେ ତାହା ଶିକ୍ଷିତ ଜନସାଧାରଣଙ୍କ ନିକଟରେ ପରିବେଷଣ କରିଛନ୍ତି ଏବଂ ଯେଉଁ ସ୍ଥଳରେ ସେ ଏପରି କରିପାରିଛନ୍ତି ସେଇଠାରେ ହିଁ ତାଙ୍କର ବିଶେଷତ୍ୱ ପରିସ୍ଫୁଟ । ବହୁକାଳରୁ ପଲ୍ଲୀରେ ପ୍ରଚଳିତ ଶିଶୁ ସଙ୍ଗୀତ ଓ ଶିଶୁ କବିତାମାନଙ୍କୁ ସଂଗ୍ରହ କରି ତାହାକୁ ଅଭିନବ ରଙ୍ଗରେ ରଞ୍ଜିତ କରି ପ୍ରକାଶ କରିବାରେ ନନ୍ଦକିଶୋର କେବଳ ପଥ ପ୍ରଦର୍ଶକ କାହିଁକି ଏକମାତ୍ର ବ୍ୟକ୍ତି । ତାଙ୍କର ‘ମେଘ ବରଷିଲା ଟୁପୁରୁ ଟୁପୁରୁ’ ‘ବିଲୁଆ ନନାରେ ବିଲୁଆ ନନା’ ‘ଡାମରା କାଉରେ ଡାମରା କାଉ’ ପ୍ରଭୃତି କବିତାମାନ ଏ ବିଷୟରେ ଏକ ଯୁଗ ସୃଷ୍ଟି କରିଛନ୍ତି ।

 

ବନ୍ଧୁ ମୁରାରିମୋହନ ନନ୍ଦକିଶୋରଙ୍କର ପ୍ରତିଭାକୁ ବହୁରୂପରେ ଦେଖାଇଛନ୍ତି ଏବଂ ଉଦ୍ଧୃତିସହ ସେ ସବୁ ବିଷୟରେ ଟିକି ନିଖି ଆଲୋଚନା କରିଛନ୍ତି ମଧ୍ୟ । ନନ୍ଦକିଶୋର ସାହିତ୍ୟିକମାନଙ୍କ ନିକଟରେ ପଲ୍ଲୀକବି ରୂପେ ପରିଚିତ ହୋଇଥିଲେ ମଧ୍ୟ ସବୁସ୍ଥଳରେ ତାଙ୍କ ରଚନାର ଭାବ କିମ୍ୱା ଭାଷା ପଲ୍ଲୀମୁଖୀ ନୁହେଁ । ତେଣୁ ନନ୍ଦକିଶୋର ପ୍ରତିଭାର ସମାଲୋଚନାରେ ପ୍ରତ୍ୟେକଟି ବିଭାଗର ସଂକ୍ଷିପ୍ତ ସମୀକ୍ଷା କରି ଲେଖକ ପୁସ୍ତକଟିକୁ ପୂର୍ଣ୍ଣାଙ୍ଗ କରିଛନ୍ତି । ନନ୍ଦକିଶୋରଙ୍କ ସାହିତ୍ୟିକ ପ୍ରତିଷ୍ଠାର ପୂର୍ଣ୍ଣ ଓ ବ୍ୟାପକ ପରିଚୟ ଦେବାପାଇଁ ମୁରାରିମୋହନ ସର୍ବପ୍ରଥମେ ଯେଉଁ ଚେଷ୍ଟା କରିଛନ୍ତି ତାହା ନିଶ୍ଚୟ ଜନ ଆଦୃତ ହେବ ଏବଂ ଭାବୀ ସମାଲୋଚକଙ୍କୁ ପ୍ରେରଣା ଦେବ ।

 

ଶ୍ରୀ ଶ୍ୟାମସୁନ୍ଦର ମିଶ୍ର, ଏମ୍.ଏ

Image

 

ଏତିକି ମାତ୍ର

 

‘ନନ୍ଦକିଶୋର ସନ୍ଦେଶ’ ପୁସ୍ତକର କେତୋଟି ପ୍ରବନ୍ଧ ଯଥାକ୍ରମେ ଦୈନିକ ପ୍ରଜାତନ୍ତ୍ର ଓ ସମାଜରେ ପ୍ରକାଶ ପାଇଛି । ତେଣୁ ଏହି ଅବସରରେ ସେହି କାଗଜର ସମ୍ପାଦକମାନଙ୍କୁ ମୁଁ ହୃଦୟରୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

ମୋର ବନ୍ଧୁ ଶ୍ରୀ ବସନ୍ତ କୁମାର ରାଉତରାୟ, B.A. ଏ ପୁସ୍ତକର ପ୍ରକାଶ ଭାର ବହନକରି ଓ ଶ୍ରୀ ଶ୍ୟାମସୁନ୍ଦର ମିଶ୍ର, M.A. ମୁଖବନ୍ଧ ଲେଖି ମୋତେ ଅନୁଗୃହୀତ କରିଛନ୍ତି । ଏଣୁ ବନ୍ଧୁଦ୍ୱୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ଆଶା ଭବିଷ୍ୟତରେ ସେମାନେ ଏହିପରି ଅନୁଗୃହୀତ କରି ଉତ୍ସାହ ପ୍ରଦାନ କରିବେ ।

 

ମୁରାରିମୋହନ ଜେନା

 

ମୋର ବନ୍ଧୁ ଶ୍ରୀ ମୁରାରି ମୋହନ ଜେନା ଏମ୍. ଏ. ଆଜି ଓଡ଼ିଆ ସାହିତ୍ୟରେ ଜଣେ କବି ଓ ସମାଲୋଚକ ହିସାବରେ ସୁପରିଚିତ । ତାଙ୍କ ଲିଖିତ ସାହିତ୍ୟ ସମାଲୋଚନା ପୁସ୍ତକ ‘ସବୁଜ ଯୁଗ ଓ ବୈକୁଣ୍ଠନାଥ’ ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ ଉଜ୍ଜ୍ୱଳମୟ ଅଧ୍ୟାୟ ସୃଷ୍ଟି କରିଛି । ତାଙ୍କ ଲେଖନୀର ଶୈଳୀ ଯେ ସ୍ୱତନ୍ତ୍ରତା ସରଣୀରେ ଧାବିତ ଏହା ନିଃସନ୍ଦେହ କଥା ।

 

ତାଙ୍କ ଲିଖିତ ‘‘ନନ୍ଦକିଶୋର ସନ୍ଦେଶ’’ ସମାଲୋଚନା ପୁସ୍ତକ ଓଡ଼ିଆ ସମାଲୋଚନା ସାହିତ୍ୟରେ ଯେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିବ ଏଥିରେ ଦ୍ୱିରୁକ୍ତି ନାହିଁ ।

 

ମୋର ଆଶା ଓ ବିଶ୍ୱାସ ମୋ ଦେଶର ଗବେଷକ, ସମାଲୋଚକ, ସାହିତ୍ୟ ଅଧ୍ୟାପକ ତଥା ସମାଲୋଚନା ସାହିତ୍ୟର ପାଠକ ପାଠିକାଙ୍କ ନିକଟରେ ଏ ପୁସ୍ତକ ନିଶ୍ଚୟ ଆଦୃତ ହେବ ।

 

ଶ୍ରୀ ବସନ୍ତ କୁମାର ରାଉତରାୟ, ବି.ଏ.

ପ୍ରକାଶକ–ନନ୍ଦକିଶୋର ସନ୍ଦେଶ

ପରିଚାଳକ–ବାଣୀଭଣ୍ଡାର

Image

 

ସୂଚିପତ୍ର

 

୧.

ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର

୨.

ସଂକ୍ଷିପ୍ତ ଜୀବନୀ

୩.

ପଲ୍ଲୀକବି ନନ୍ଦକିଶୋର

୪.

ଜାତୀୟକବି ନନ୍ଦକିଶୋର

୫.

ଶିଶୁରଞ୍ଜକ ନନ୍ଦକିଶୋର

୬.

ଗୀତିକବି ନନ୍ଦକିଶୋର

୭.

ସମାଲୋଚକ ନନ୍ଦକିଶୋର

୮.

ସଂସ୍କାରକ ନନ୍ଦକିଶୋର

୯.

କାବ୍ୟକାର ନନ୍ଦକିଶୋର

୧୦.

କଥାକାର ନନ୍ଦକିଶୋର

୧୧.

ନନ୍ଦକିଶୋରଙ୍କ ସାହିତ୍ୟରେ ଛନ୍ଦ

୧୨.

ନନ୍ଦକିଶୋରଙ୍କର ବ୍ୟକ୍ତିତ୍ୱ

Image

 

ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର

 

ନନ୍ଦକିଶୋର ଆଧୁନିକ ଓଡ଼ିଆ ସାହିତ୍ୟର ସୁପରିଚିତ କବି । ପ୍ରତ୍ୟେକ ଶ୍ରେଷ୍ଠ କବି ପ୍ରତିଭାର ବିଶ୍ଳେଷଣ ଓ ବିମଳଦୀପ୍ତିରେ ନିଜର କାବ୍ୟ କବିତାଗୁଡ଼ିକୁ ଦୀପ୍ତିମନ୍ତ କରି ଯାଇଛନ୍ତି । ଏପରିକି, ଗୋଟିଏ ଗୋଟିଏ ପଦ୍ୟର ଆବୃତ୍ତିରୁ ହିଁ ରଚୟିତାଙ୍କ ସ୍ପଷ୍ଟ ପରିଚୟ ମିଳି ଯାଇପାରେ । ଉଦାହରଣର ଅଭାବ ନାହିଁ । ସରଳ ତରଳ ପଦ୍ୟାବଳିବିଶିଷ୍ଟ ଶ୍ଳୋକଟିଏ ଦେଖିଲେ ପଣ୍ଡିତମାନେ ହଠାତ୍ କହିଦିଅନ୍ତି–‘‘ଏହି ଶ୍ଳୋକଟି କାଳିଦାସଙ୍କର କିମ୍ୱା ଏହି ଶ୍ଳୋକଟି କାଳିଦାସଙ୍କପରି ମଧୁର ।’’ ଠିକ୍ ସେହିପରି, ଓଡ଼ିଆର ପଲ୍ଲୀଚିତ୍ର ସମ୍ୱଳିତ ରଚନା ଶୁଣିଲେ ବା ପଢ଼ିଲେ ହଠାତ୍ ଓଡ଼ିଆ ପାଠକ କହିଦିଏ–‘‘ଏହା ବୋଧହୁଏ ନନ୍ଦକିଶୋରଙ୍କର ରଚନା ।’’ ବାସ୍ତବରେ ପଲ୍ଲୀକବି ନନ୍ଦକିଶୋର ଆଧୁନିକ ଓଡ଼ିଆ ସାହିତ୍ୟ ଗଗନର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ରୂପେ ସର୍ବତ୍ର ସମ୍ମାନିତ ହେଉଅଛନ୍ତି । ସେ ରାଧାନାଥଙ୍କ ଶୈଳୀ ଅବଲମ୍ୱନ କରି ଶର୍ମିଷ୍ଠା କାବ୍ୟ ରଚନା କରିଅଛନ୍ତି, ଫକୀରମୋହନଙ୍କ ପ୍ରୋତ୍ସାହରେ ଅନୁପ୍ରାଣିତ ହୋଇ ଓଡ଼ିଆ ଉପନ୍ୟାସ ନନ୍ଦନକାନନରେ ‘‘କନକଲତା’’ ରୋପଣ କରିଅଛନ୍ତି । ଶ୍ରେଷ୍ଠ ଗୀତି କବି ମଧୁସୂଦନଙ୍କ ଆଦର୍ଶ ଧାବନ କରି ଗୀତି କବିତା-କୁସୁମର ମନୋରମ ମାଳାରେ ଉତ୍କଳ ଭାରତୀଙ୍କର ସୌନ୍ଦର୍ଯ୍ୟ ବର୍ଦ୍ଧନ କରିଅଛନ୍ତି । ଏହିପରି ଭାବରେ କାବ୍ୟ କବିତା, ଉପନ୍ୟାସ ଗଳ୍ପ ଓ ସମାଲୋଚନା ଏହି ସମସ୍ତ ସାହିତ୍ୟିକ ବିଭବରେ ସେ ଅସାଧାରଣ କୃତିତ୍ୱ ପ୍ରଦର୍ଶନ କରିଅଛନ୍ତି କିନ୍ତୁ ଏ ଗୁଡ଼ିକରେ ତାଙ୍କର ଶ୍ରେଷ୍ଠତ୍ୱ ଓ ଅସାଧାରଣ କୃତିତ୍ୱ ପର୍ଯ୍ୟବସିତ ନୁହେଁ । ଊନବିଂଶ ଶତାବ୍ଦୀରେ ଉତ୍କଳର ଅର୍ଥନୈତିକ ଘାତପ୍ରତିଘାତ ଏବଂ ସାମାଜିକ ବିଭେଦ ବିଶୃଙ୍ଖଳା ମଧ୍ୟରେ ଯେଉଁ କବିପୁଙ୍ଗବମାନେ ମାତୃ ସାହିତ୍ୟର ଦୈନ୍ୟ ଦୂର କରିବାକୁ ବଦ୍ଧପରିକର ହୋଇଥିଲେ, ସେମାନଙ୍କ ମଧ୍ୟରେ ରାଧାନାଥ, ମଧୁସୂଦନ, ଫକୀରମୋହନ, ଗଙ୍ଗାଧର, ସର୍ବଶ୍ରେଷ୍ଠ ରୂପେ ପରିଗଣିତ । ଏମାନଙ୍କ ବ୍ୟତୀତ ଦେଶପ୍ରେମୀ ମଧୁସୂଦନ ସଂପାଦକ ନୀଳମଣି, ଜନନେତା ଗୋପବଂଧୁ, କର୍ମବୀର ଗୌରୀଶଙ୍କର, ଦେଶପ୍ରାଣ ପ୍ୟାରୀମୋହନ, ବାଗ୍ମୀ ବିଶ୍ୱନାଥ ପ୍ରମୁଖ ପ୍ରବୀଣ ଦେଶସେବକ, ଜାତୀୟବାଦୀ କବି ମାତୃଭାଷାର ଏକାନ୍ତ ଅନୁଗାମୀ ଏବଂ ଜନ୍ମଭୂମିର ଗୌରବ ବର୍ଦ୍ଧକ ବହୁ ସୁଯୋଗ୍ୟ ସନ୍ତାନଙ୍କୁ ଉତ୍କଳ ଜନନୀ ପ୍ରସବକରି ଗୌରବର ସୌରଭରେ ଆତ୍ମହରା ହୋଇ ଉଠିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟର ଘୋର ସଙ୍କଟମୟ ସମୟରେ ଏହି ସମସ୍ତ ପ୍ରାତଃସ୍ମରଣୀୟ ଦେଶବାସୀ ଜନ୍ମଗ୍ରହଣ କରିଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତି ପତନ ଏଇମାନଙ୍କର ସମୂହ ପ୍ରଚେଷ୍ଟାରେ ହିଁ ସମ୍ଭବପର ହୋଇଥିଲା । ଯେପରି ଉପେନ୍ଦ୍ରଭଞ୍ଜ କବି ସମ୍ରାଟ ରୂପେ, ଯଦୁମଣି ଉତ୍କଳ ଘଣ୍ଟ ରୂପେ, ରାଧାନାଥ କବିବର ରୂପେ, ମଧୁସୂଦନ ଭକ୍ତକବି ରୂପେ, ଫକୀରମୋହନ ବ୍ୟାସକବି ରୂପେ ସର୍ବତ୍ର ସମ୍ମାନିତ ଓ ସୁପରିଚିତ ନନ୍ଦକିଶୋର ସେହିପରି ପଲ୍ଲୀକବି ରୂପେ ପାଠକ ସାଧାରଣଙ୍କ ଦ୍ୱାରା ଅଭିନନ୍ଦିତ ହୋଇଅଛନ୍ତି, ହେଉଛନ୍ତି ଓ ହେଉଥିବେ ।

Image

 

ସଂକ୍ଷିପ୍ତ ଜୀବନୀ

 

ନନ୍ଦକିଶୋରଙ୍କର ସାହିତ୍ୟ ଆଲୋଚନା ପ୍ରସଙ୍ଗରେ ତାଙ୍କ ଜୀବନୀର ଅବତାରଣା ଆପାତତଃ ଅପ୍ରାସଙ୍ଗିକ ବୋଧ ହୋଇପାରେ । କିନ୍ତୁ ବ୍ୟକ୍ତି ବିଶେଷର ଯଥାର୍ଥ ଓ ସମ୍ପୂର୍ଣ୍ଣ ପରିଚୟ, ତାହାର ଜୀବନୀର କେତେକ ବିଶିଷ୍ଟ ଘଟଣାର ଉଲ୍ଲେଖ ବ୍ୟତୀତ ଉପଲବ୍‌ଧ ହେବନାହିଁ । ସେଥିପାଇଁ ଅତି ସଂକ୍ଷେପରେ ନନ୍ଦକିଶୋରଙ୍କର ପରିଚୟ ଆବଶ୍ୟକ । ୧୮୭୫ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲାର କୁସୁପୁର ଗ୍ରାମରେ ସେ ଜନ୍ମଲାଭ କରିଥିଲେ ଏବଂ ଗୋପବନ୍ଧୁଙ୍କ ମହାପ୍ରୟାଣ ବର୍ଷ ୧୯୨୮ ଖ୍ରୀଷ୍ଟାବ୍ଦରେ ତାଙ୍କର ପରଲୋକ ହୋଇଥିଲା । ଏହି ସଂକ୍ଷିପ୍ତ ଜୀବନ କାଳ ମଧ୍ୟରେ ସେ ଜନ୍ମଭୂମିର ସେବାରେ ଆତ୍ମୋତ୍ସର୍ଗ କରି ମାତୃ ସାହିତ୍ୟକୁ ନିଜର ଅପରିସୀମ, ଅସାଧାରଣ ଓ ଅନନ୍ୟ ସୁଲଭ ଦାନରେ ସମୃଦ୍ଧି କରିଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । କୌଳିକ ବିଚାରରେ ନନ୍ଦକିଶୋର ବଳ ଥିଲେ ରସାନନ୍ଦ ଜେନା । ପୂର୍ବପୁରୁଷମାନଙ୍କର ସମର ପିପାସା ଏବଂ ଅପୂର୍ବ ସାହସ (ଯାହା ସେମାନଙ୍କୁ ବୀରତ୍ୱର ପ୍ରତିମୂର୍ତ୍ତି ଉତ୍କଳର ନରପତିଙ୍କ ସଙ୍ଗେ ସମ୍ପୃକ୍ତ କରି ରଖିଥିଲା) ନନ୍ଦକିଶୋରଙ୍କର ଧମନୀକୁ ପରିସ୍ପନ୍ଦିତ କରୁଥିଲା । ସେ ବି.ଏ. ଏବଂ ବି.ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷା ବିଭାଗରେ ନାନା ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନର ଭକ୍ତ ମଧୁ ବିଦ୍ୟାପୀଠ, କଟକ ଟ୍ରେନିଂ ସ୍କୁଲ, ସମ୍ୱଲପୁର ଜିଲ୍ଲା ସ୍କୁଲ, ବାଲେଶ୍ୱର ଜିଲ୍ଲା ସ୍କୁଲ ପ୍ରଭୃତିରେ ସହକାରୀ ଶିକ୍ଷକ ବା ପ୍ରଧାନ ଶିକ୍ଷକରୂପେ ଓ ପରେ ସ୍କୁଲ ବିଭାଗର ଇନ୍‌ସପେକ୍‌ଟରରୂପେ କାର୍ଯ୍ୟ କରି ସେ ଉତ୍କଳର ବହୁ ଅଂଶ ପରିଭ୍ରମଣ କରିବାର ସୁଯୋଗ ଲାଭ କରିଥିଲେ । ବିରୂପା ନଦୀ କୂଳରେ ପ୍ରାକୃତିକ ପରିବେଶ ମଧ୍ୟରେ ସେ ଜନ୍ମଗ୍ରହଣ କରି ବାଲ୍ୟକାଳରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହେଉଥିଲେ । ସେ କର୍ମମୟ ଜୀବନରେ ପ୍ରାକୃତିକ ଉତ୍କଳର ବହୁ ଅଞ୍ଚଳ ପରିଭ୍ରମଣ କରିବାର ସୁଯୋଗ ଲାଭ କରିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ପିପାସା ତାଙ୍କର ବଳବତୀ ହୋଇ ଉଠିଥିଲା । ଛାତ୍ର ଜୀବନରେ ଭକ୍ତ ମଧୁ ବିଦ୍ୟାପୀଠରେ (ସେତେବେଳକାର କଟକ ଟାଉନ ସ୍କୁଲ) ଅଧ୍ୟକ୍ଷ ବାଗ୍ମୀ ବିଶ୍ୱନାଥଙ୍କ ସଂସ୍ପର୍ଶରେ ଆସି ନିଜର ଚରିତ୍ର ଗଠନ କରିବାର ସୁଯୋଗ ପାଇଥିଲେ । ତାହା ପରେ କଲେଜିଏଟ୍ ସ୍କୁଲରେ ଭର୍ତ୍ତି ହୋଇ ଅଧ୍ୟକ୍ଷ ଋଷିପ୍ରତିମ ମଧୁସୂଦନଙ୍କର ପ୍ରଭାବରେ ଧାର୍ମିକ ଉଦାରତା ପ୍ରଭୃତି କେତେକ ମହନୀୟ ଗୁଣ ସମ୍ପାଦନ କରିବାକୁ ସମର୍ଥ ହୋଇଥିଲେ । ଛାତ୍ର ଜୀବନରେ ‘ଉତ୍କଳ ପଲ୍ଲୀଜୀବନ’ ଶିରୋନାମାରେ ପ୍ରବନ୍ଧ ଲେଖି ସ୍ୱର୍ଣ୍ଣପଦକ ଲାଭ କରିଥିଲେ ଏବଂ ତାଙ୍କର ଶ୍ରେଷ୍ଠ ପଲ୍ଲୀ କବିତା ‘ପଲ୍ଲୀଚିତ୍ର’ ଉପରେ ଏହି ପ୍ରବନ୍ଧର ବିଷୟଗତ ପ୍ରଭାବ ଯଥେଷ୍ଟ ପରିମାଣରେ ପଡ଼ିଥିଲା । ଉତ୍କଳର ବିରାଟ ଜଗଜାଗରଣ ଦେଖି ସେ ସାହିତ୍ୟରେ ଜନସାଧାରଣଙ୍କୁ ରୂପ ଦେବାକୁ ଚେଷ୍ଟା କଲେ ।

 

ରାଧାନାଥ ଓ ମଧୁସୂଦନ ଭାଷାର ଆଭିଜାତ୍ୟ ଏବଂ ଭାବର ଗତାନୁଗତିକତା ମଧ୍ୟରେ ନିଜକୁ ଆବଦ୍ଧ ରଖିଥିଲେ ଓ ସଂସ୍କୃତ, ଇଂରାଜୀ ଓ ପ୍ରାଚୀନ ଓଡ଼ିଆ ସାହିତ୍ୟରୁ ପ୍ରେରଣା ଲାଭ କରି, ଓଡ଼ିଆ ସାହିତ୍ୟର ଗତି ବହୁ ପରିମାଣରେ ଗୋଟିଏ ନୂତନ ମାର୍ଗରେ ନିୟନ୍ତ୍ରିତ କରିବାକୁ ସମର୍ଥିତ ହୋଇଥିଲେ । କିନ୍ତୁ ନନ୍ଦକିଶୋର ଉତ୍କଳଭାରତୀଙ୍କର ଭଣ୍ଡାରକୁ ଆଉ ଏକ ଉଜ୍ଜ୍ୱଳ ରତ୍ନରେ ସମୃଦ୍ଧି କରିବାକୁ ଚେଷ୍ଟା କରିଥିଲେ; ତାହା ହେଉଛି, ସାହିତ୍ୟରେ ଜନସାଧାରଣଙ୍କର ଜୀବନ ଚିତ୍ର; ଉତ୍କଳର ଅବହେଳିତ ଓ ପରିତ୍ୟକ୍ତ ଗ୍ରାମ୍ୟ ଜୀବନର ମଧୁର-ବିଦୁର ଚିତ୍ରାଙ୍କନ, ଏବଂ ଶେଷରେ ଉତ୍କଳର ମଳିମୁଣ୍ଡିଆ, ଅଧାପାଠୁଆ, ମଫସଲିଆ ଲୋକଙ୍କର ଭାଷାରେ ଉତ୍କଳ ଭାରତୀଙ୍କ ଲାଗି ମାଳା ଗ୍ରଥନ । ବାସ୍ତବରେ ମହାତ୍ମା ଗାନ୍ଧୀଙ୍କର ପଲ୍ଲୀକୁ ପ୍ରତ୍ୟାବର୍ତ୍ତନ ଆନ୍ଦୋଳନ ବ୍ୟାପକ ଭାବେ ପ୍ରଚାରିତ ହେବା ଆଗରୁ ଓଡ଼ିଶାର ଅଗଣିତ ପାଠକଙ୍କ ନିକଟରେ ନନ୍ଦକିଶୋର ସେହି ବାର୍ତ୍ତା ପହୁଞ୍ଚାଇ ଦେଇଥିଲେ । ‘ପଲ୍ଲୀକବି’–ଏହି ଉପାଧିର ସାର୍ଥକତା ବିଚାର ହିଁ ନନ୍ଦକିଶୋର ଗ୍ରନ୍ଥାବଳୀର ସମାଲୋଚକ ପକ୍ଷରେ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ।

Image

 

ପଲ୍ଲୀକବି ନନ୍ଦକିଶୋର

 

ନନ୍ଦକିଶୋରଙ୍କର ପଲ୍ଲୀକବି ନାମର ସାର୍ଥକତା ପ୍ରତିପାଦନ କରେ ତାଙ୍କର ତିନିଭାଗ ବିଶିଷ୍ଟ ପଲ୍ଲୀଚିତ୍ର, ନିର୍ଝରିଣୀ, ବସନ୍ତ କୋକିଳ, ତରଙ୍ଗିଣୀ, ଚାରୁଚିତ୍ର, ତିନିଭାଗବିଶିଷ୍ଟ ଜନ୍ମଭୂମି, ପ୍ରଭାତ ସଙ୍ଗୀତ ଓ ସଂଧ୍ୟା ସଙ୍ଗୀତ । ଏହି ସମସ୍ତ କବିତାକୁ ଗୋଟିଏ ମୁକୁଟର ବିଶିଷ୍ଟ ଉପାଦାନ ବୋଲି ଧରାଗଲେ ‘ପଲ୍ଲୀ ଚିତ୍ରଟି’ ସେହି ମୁକୁଟର ମଣି ସ୍ୱରୂପ । ଏଥିରେ ସମଗ୍ର ପ୍ରାକୃତିକ ଉତ୍କଳର ପଲ୍ଲୀ ପ୍ରକୃତି ଚିତ୍ରିତ ହୋଇଅଛି । ମହାତ୍ମା ଗାନ୍ଧୀଙ୍କର ‘Don’t create, Manchesters in India’ ବା ଭାରତରେ ମାଞ୍ଚେଷ୍ଟାରପରି ଅଶାନ୍ତି ପୂର୍ଣ୍ଣ ଅଥଚ କଳକାରଖାନା ବହୁଳ ବ୍ୟବସାୟ କେନ୍ଦ୍ର ସୃଷ୍ଟି କରିନାହିଁ ଏହି ଅଭିମତର ଅନୁରୂପ ମତ ନନ୍ଦକିଶୋର ତାଙ୍କର ଚିର ଅଭିନନ୍ଦିତ ଓ ଅଭିବନ୍ଦିତ ପଲ୍ଲୀଚିତ୍ରର ପ୍ରଥମ ପଂକ୍ତିରେ ହିଁ ପ୍ରକାଶ କରିଅଛନ୍ତି–

 

‘ଶାନ୍ତି ପୂର୍ଣ୍ଣ ଆରେ ପଲ୍ଲୀ ଗ୍ରାମ

ମଧୁରିମାମୟ ତୋର ନାମ

ଜାଣଇ ତୁ ନୋହୁ ନିଷ୍କଳଙ୍କ

ଏ ଜଗତେ କିଏ ଅକଳଙ୍କ

ତଥାପି ନଗର ପାପ ବିଭୀଷିକା ଦୁଃଖତାପ

ତୁଳନାରେ ତୋ କୁଟୀର ଅଟେ ଶାନ୍ତିମୟ

ପଲ୍ଲୀ ସରଳତା ଶାନ୍ତି ରଖ କୃପାମୟ ।’

 

ଗ୍ରେ, ଗୋଲ୍‌ଡ଼ସ୍ମିଥି, ବର୍‌ନ୍‌ସ ପ୍ରମୁଖ ଇଂରେଜୀ କବିଙ୍କର ପଲ୍ଲୀଚିତ୍ର ଅଙ୍କନ କରିବାର କୌଶଳ ଓ ଗୌରବରେ ଆଜି ସାରାଜଗତର ପାଠକ ସମାଜ ବିମୁଗ୍‌ଧ । ମନେହୁଏ ସୁଯୋଗ୍ୟ ଅନୁବାଦକଙ୍କର ପ୍ରଚେଷ୍ଟାରେ ଯଦି ନନ୍ଦକିଶୋରଙ୍କର ପଲ୍ଲୀଚିତ୍ର ଅନୁଦିତ ହୁଏ, ତାହାହେଲେ ବିଶ୍ୱସାହିତ୍ୟର କୌଣସି କବିଙ୍କ ତୁଳନାରେ ନନ୍ଦକିଶୋରଙ୍କର ଆସନ, ନିମ୍ନରେ ନିରୂପିତ ହେବନାହିଁ । ପଲ୍ଲୀର କୌଣସି ଚିତ୍ର ଲେଖନୀ ମୂନରେ ଫୁଟାଇବାକୁ ନନ୍ଦକିଶୋର ବିସ୍ମୃତ ହୋଇ ନାହାନ୍ତି ।

 

ପଲ୍ଲୀ ପ୍ରକୃତିର ପରମ ରମଣୀୟତା, ପଲ୍ଲୀର ବିଭିନ୍ନ ଅଧିବାସୀ ଏବଂ ସେମାନଙ୍କର ପରସ୍ପର ସହିତ ସୁମଧୁର ସାମାଜିକ ସମ୍ପର୍କ, ପଲ୍ଲୀର ଆମୋଦ ପ୍ରମୋଦ, ପଲ୍ଲୀବାସୀମାନଙ୍କର ଶିକ୍ଷାଦୀକ୍ଷାର ପବିତ୍ର ପୀଠସ୍ଥଳୀ ଗ୍ରାମ ଚାଟଶାଳୀ, ପଲ୍ଲୀ ଉପକଣ୍ଠର ସୁଦୂର ପ୍ରସାରିତ ନାରୀକେଳ କୁଞ୍ଜ ଓ ବିବିଧ ବୃକ୍ଷପୂର୍ଣ୍ଣ ଉପବନ ତଥା କାନନ, ପଲ୍ଲୀର ଗ୍ରାମ୍ୟ ଶ୍ମଶାନ, ପଲ୍ଲୀରେ ଅନୁଭୂତ ହେଉଥିବା ବସନ୍ତ, ଗ୍ରୀଷ୍ମ, ବର୍ଷା ପ୍ରଭୃତି ଋତୁ ରାଜିର ସୌନ୍ଦର୍ଯ୍ୟ, ପଲ୍ଲୀର ଶିଳ୍ପୀ, କୃଷକ ଲଳନା, ବିଭିନ୍ନ ଜାତି ଓ ଉପଜାତି ତଥା ସେମାନଙ୍କର ଚାଲିଚଳଣୀ, ଆଚାର ବ୍ୟବହାର, ରୀତିନୀତି, ବ୍ୟବସାୟ ବାଣିଜ୍ୟ, ଆହାର ବିହାର ପ୍ରଭୃତି ନିଖୁଣ ଭାବରେ ସେ ଲିପିବଦ୍ଧ କରିଯାଇଛନ୍ତି । ସାରଳା ଦାସଙ୍କ ମହାଭାରତ ପଞ୍ଚଦଶ ଶତାବ୍ଦୀ ଉତ୍କଳର ସାମାଜିକ ଇତିହାସ ପ୍ରଣୟନ ଲାଗି ଯେଉଁ ପରିମାଣରେ ଉପାଦେୟ, ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଅର୍ଦ୍ଧ ଏବଂ ବିଂଶ ଶତାବ୍ଦୀର ପ୍ରଥମ ଭାଗର ଉତ୍କଳ ଇତିହାସ ରଚନା କରିବା ନିମନ୍ତେ ନନ୍ଦକିଶୋରଙ୍କର ‘ପଲ୍ଲୀଚିତ୍ର’ ଓ ପଲ୍ଲୀଚିତ୍ରପୂର୍ଣ୍ଣ ଅନ୍ୟାନ୍ୟ କାବ୍ୟ କବିତା ତାହା ତୁଳନାରେ କମ୍ ଆବଶ୍ୟକ ବୋଲି ମନେ ହୁଏନାହିଁ । ରାଧାନାଥ ଆଳଙ୍କାରିକ ପରମ୍ପରାର ନିଗଡ଼ ବନ୍ଧନରୁ ଉତ୍କଳ ଭାରତୀଙ୍କୁ ମୁକ୍ତି ଦେଲେ କିନ୍ତୁ ରାଜନନ୍ଦିନୀମାନଙ୍କର ଯୁଗୋଚିତ ଅଳଙ୍କାରରେ ଉତ୍କଳ ଭାରତୀକୁ ମଣ୍ଡିତ କରେ । ରାଧାନାଥ ଉତ୍କଳୀୟ କବି ମଣ୍ଡଳୀର ଚିର ଅବହେଳିତ ବହୁ ମନୋଜ୍ଞ ପ୍ରାକୃତିକ ସମ୍ପଦର ରୂପ ଲାବଣ୍ୟରେ ନିଜ ସାହିତ୍ୟକୁ ବିଭୂଷିତ କରିଗଲେ । ଓଡ଼ିଆ ପାଠକମାନେ ରାଧାନାଥଙ୍କ ସାହିତ୍ୟରେ ଉତ୍କଳର କେବଳ ରାଜପଥର ଦୃଶ୍ୟ ଦେଖିବାକୁ ସମର୍ଥ ହେଲେ କିନ୍ତୁ ଓଡ଼ିଆ ଘର ଭିତରର ଦୃଶ୍ୟ ଏବଂ ରାଜପଥର ଦୂରବର୍ତ୍ତୀ ସ୍ଥାନମାନଙ୍କର ଚିତ୍ର ଦେଖିବାକୁ ପାଇଲେ ନାହିଁ । ଏ ଅଭାବ, ଗଦ୍ୟ ସାହିତ୍ୟ ମାଧ୍ୟମରେ, ନିଜର ଅମର ଉପନ୍ୟାସମାନଙ୍କରେ ଫକୀରମୋହନ ସେନାପତି ଦୂର କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କର ଏହି ଅଭିନବ ଉଦ୍ୟମର ସିଦ୍ଧହସ୍ତତା ଓ କୃତକାର୍ଯ୍ୟତାରେ ସମସ୍ତେ ବିମୁଗ୍‌ଧ ହେବା ସଙ୍ଗେ ସଙ୍ଗେ ମଧ୍ୟ ସ୍ୱୀକାର କରିବାକୁ କୁଣ୍ଠାବୋଧ କଲେ ନାହିଁ । ନନ୍ଦକିଶୋର କିନ୍ତୁ ସମସାମୟିକ କବିମାନଙ୍କର ତଥା ନିଜର ପୂର୍ବବର୍ତ୍ତୀ ଅର୍ଦ୍ଧସହସ୍ର ବ୍ୟାପୀ ଓଡ଼ିଆ ସାହିତ୍ୟର ଭୂୟୋବିକାଶ ବିଧାୟକ କବିମାନଙ୍କ ମଧ୍ୟରେ ଗୌରବୋଜ୍ୱଳ ବିଶିଷ୍ଟ ଆସନର ଅଧିକାରୀ ହୋଇ ପାରିଛନ୍ତି ।

 

ରାଧାନାଥ ଓ ମଧୁସୂଦନଙ୍କ କବିତା କୁଞ୍ଜରେ ବିଭିନ୍ନ ଋତୁ ରୂପକ ସୁମନ ସମ୍ଭାରର ଅଭାବ ନାହିଁ କିନ୍ତୁ ପଲ୍ଲୀର ସ୍ୱାଭାବିକ ସୌନ୍ଦର୍ଯ୍ୟରେ, ଭାଷାର ନୈସର୍ଗିକ ଛଟାରେ, ଭାବ ପ୍ରକାଶର ଚିର ପରିଚିତ ସରଳ ଶୋଭନ ଭଙ୍ଗୀରେ, ନନ୍ଦକିଶୋରଙ୍କର ରଚନାଗୁଡ଼ିକ ଯେପରି ରସମୟ ଓ ଭାବଉଦ୍ଦୀପକ ହୋଇ ପାରିଛି, ତାହା ତାଙ୍କର ସମସାମୟିକ ସାହିତ୍ୟରେ ଏକାନ୍ତ ବିରଳ । ବଳରାମ, ଉପେନ୍ଦ୍ର, ଦୀନକୃଷ୍ଣଙ୍କ ଋତୁ ଚିତ୍ରରେ ବର୍ଣ୍ଣନାର ଏକରୂପତାହିଁ ପରିଦୃଷ୍ଟ ହୁଏ । ରାଧାନାଥଙ୍କର ବର୍ଣ୍ଣନା ଭଙ୍ଗୀରେ କଳ୍ପନାସୁନ୍ଦରୀଙ୍କର ପ୍ରଭାବ ସମଧିକ ପରିମାଣରେ ପତିତ ହୋଇଅଛି । ମଧୁସୂଦନଙ୍କର ବାଲ୍ୟ ବୟସର ଋତୁଚିତ୍ର ଛାଡ଼ିଦେଲେ ଅନ୍ୟ ସ୍ଥଳମାନଙ୍କରେ ଚିନ୍ତାର ଗଭୀରତା ଓ ଦାର୍ଶନିକ ଦୃଷ୍ଟିକୋଣର ପ୍ରଖରତାହିଁ ବିଶେଷ ଭାବରେ ଉପଲବ୍‌ଧି ହୁଏ । ଉତ୍କଳଲକ୍ଷ୍ମୀ ତପସ୍ୱିନୀ କିମ୍ୱା ଅର୍ଘ୍ୟଥାଳିରେ ଗଙ୍ଗାଧର ପଲ୍ଲୀପ୍ରକୃତିକୁ ଜୀବନ ଦାନ କରିଥିଲେ ମଧ୍ୟ ତହିଁରେ କଳ୍ପନାର ବିଚିତ୍ର ବିଳାସ ହୋଇଥିବାରୁ ଅର୍ଦ୍ଧ ଶିକ୍ଷିତ ପକ୍ଷରେ କିମ୍ୱା ପଲ୍ଲୀର ସାଧାରଣ ଶ୍ରୋତା ପକ୍ଷରେ ଗଙ୍ଗାଧର ଟିକିଏ ଅବୋଧ୍ୟ ହୋଇ ପଡ଼ିଛନ୍ତି । ତପସ୍ୱିନୀ ନବମ ସର୍ଗର ବର୍ଷା ବର୍ଣ୍ଣନା କିମ୍ୱା ଅର୍ଘ୍ୟଥାଳିର ମଳୟ ଆବାହନ ଦୃଷ୍ଟାନ୍ତ ରୂପେ ଉପସ୍ଥାପିତ ହୋଇପାରେ । ରାଧାନାଥଙ୍କ ଭାଷାରେ–‘‘ବୀଣାପାଣିଙ୍କର ଚିର ସହଚରୀ’’ ସୁତରାଂ ନନ୍ଦକିଶୋରଙ୍କର ପଲ୍ଲୀଚିତ୍ର ଅଙ୍କନ ପ୍ରୟାସରେ କଳ୍ପନାର ସାହଚର୍ଯ୍ୟ ଯେ ଗ୍ରହଣ କରାଯାଇ ନାହିଁ, ତାହା ନୁହେଁ; କିନ୍ତୁ ଭାଷାର ସ୍ୱାଭାବିକତାରେ ପ୍ରକାଶଭଙ୍ଗୀର ଅକୃତ୍ରିମତାର ଓ ଦୃଷ୍ଟିଭଙ୍ଗୀର ସ୍ପଷ୍ଟତାରେ କଳ୍ପନାର କାନ୍ତି ଟିକିଏ ମ୍ଳାନ ହୋଇଯାଇଛି । ଯଥାର୍ଥରେ ଜଣେ ସମାଲୋଚକ କହିଛନ୍ତି–‘‘ସେ ପଲ୍ଲୀର ପ୍ରକୃତିକୁ ମାନବାୟିତ ଓ ମାନବକୁ ନିସର୍ଗୟିତ କରିଛନ୍ତି ।’’ ଏ ମନ୍ତବ୍ୟର ଯଥାର୍ଥ ଅବବୋଧ ଲାଗି କବିଙ୍କର ଶ୍ରେଷ୍ଠ କବିତା ଗୁଚ୍ଛ ନିର୍ଝରିଣୀର ଆଲୋଚନା ଆବଶ୍ୟକ । ନନ୍ଦକିଶୋର ପଲ୍ଲୀର ଯେତେ ଯେତେ ଚିତ୍ର ଅଙ୍କନ କରିଅଛନ୍ତି, ସେ ସମସ୍ତ ମଧ୍ୟରେ ପଲ୍ଲୀର ଋତୁଚିତ୍ର ବିଶିଷ୍ଟ ସ୍ଥାନ ଅଧିକାର କରେ । ପୁଣି ସେହି ଋତୁଚିତ୍ର ମଧ୍ୟରେ ବର୍ଷାହିଁ ଋତୁରାଜର ଗୌରବ ଲାଭ କରିଥିବା ପରି ପ୍ରତୀତ ହୁଏ ।

 

ନନ୍ଦକିଶୋର ବର୍ଷାର ଚିତ୍ତ ବିମୋହନ ମାଧୁରୀରେ କିପରି ପୁଲକ ଅନୁଭବ କରୁଥିଲେ, ତାହା ତାଙ୍କର ନିର୍ଝରିଣୀରୁ ଉତ୍ତମରୂପେ ପ୍ରତିପନ୍ନ ହୁଏ । ମହାକବି କାଳିଦାସଙ୍କ ଭାଷାରେ ‘ମେଘାଲୋକ’ ଚିତ୍ତରେ ବିଚିତ୍ର ପ୍ରତିକ୍ରିୟା ସୃଷ୍ଟି କରେ । ବୋଧହୁଏ ବର୍ଷାର ଏହି ଜନମନ ବିମୋହନ ଶକ୍ତିରେ ବିମୁଗ୍‌ଧ ହୋଇ ବୈଷ୍ଣବ କବିମାନେ ବସନ୍ତ ତୁଳନାରେ ବର୍ଷାଋତୁର ଗୁରୁତ୍ୱ ସ୍ୱୀକାର କରିଛନ୍ତି । ପ୍ରକୃତିର ସୌନ୍ଦର୍ଯ୍ୟ ପିପାସୁ ନନ୍ଦକିଶୋରଙ୍କ ପ୍ରାଣରେ ବର୍ଷାଋତୁ ଘନ ଘନ ସ୍ପନ୍ଦନ ସୃଷ୍ଟି କରୁଥିଲା । ବାଣୀ ସେବକରୂପେ କବି ସେହି ସ୍ପନ୍ଦନଗୁଡ଼ିକୁ ଭାଷାର ରଙ୍ଗରେ ରଞ୍ଜିତ କରି ଯାଇଛନ୍ତି । ତାଙ୍କର ନବବର୍ଷ ଭାବନା, ଅଦିନ ମେଘ, ବର୍ଷାମଙ୍ଗଳ, ଏକାଟିଆ ଚଷା ଗୀତ (ବସନ୍ତ କୋକିଳ) ବର୍ଷା ଓ ଶରତ୍ (ତରଙ୍ଗିଣୀ) ପ୍ରଭୃତି କବିତାର ଛାନ୍ଦ ସାହିତ୍ୟର ଆଳଙ୍କାରିକତା ନାହିଁ କିମ୍ୱା ରାଧାନାଥ ଯୁଗର ସଂସ୍କୃତ ସାହିତ୍ୟାଭିମୁଖୀ ଭାଷାର ଉଚ୍ଚତା ନାହିଁ । ଗ୍ରାମ୍ୟବଧୂର ନୈସର୍ଗିକ ସୁଷମାରେ ଏ ସମସ୍ତ କବିତା ପାଠକଙ୍କର ଦୃଷ୍ଟି ଆକର୍ଷଣ କରନ୍ତି । କବି ବର୍ଷାଋତୁରେ କେବଳ ଚଳମେଘ ଖଣ୍ଡର ତରଳ ବିଳାସରେ ବିମୁଗ୍‌ଧ ହୋଇ ନାହାନ୍ତି କିମ୍ୱା ଚପଳାର ଲୀଳା ଚଞ୍ଚଳ ରୂପ ବୈଭବରେ ଆତ୍ମବିସ୍ମୃତ ହୋଇନାହାନ୍ତି, ସୁମଧୁର ଦ୍ଵୈତ ଭାବର ଆଦର୍ଶରେ ଅନୁପ୍ରାଣିତ ହୋଇ (ରାଧାନାଥୀ ଛଟାରେ କହିବାକୁ ଗଲେ) ପୁରପଲ୍ଲୀର ଚିର ସମାବୃତ ଓ ନିତ୍ୟ ଆଲୋଚିତ ବହୁ ଐତିହାସିକ ଉପାଖ୍ୟାନ ଏମଂ କିମ୍ୱଦନ୍ତୀର ଅନୁସରଣରେ ଆହ୍ଲାଦିତ ହୋଇଛନ୍ତି-। ବର୍ଷା ଦିନର ସ୍ପନ୍ଦନ ମଧ୍ୟରେ କବି କଣ୍ଠ ଗାଇ ଉଠିଛି–

 

ମେଘ ବରଷିଲା ମୂଷଳ ଧାରାରେ

ସ୍ରୋତରେ ବହିଲା ଜଳ

ଜଳ ମଧ୍ୟେ କଲେ ଭୈରବ ନିନାଦ

ଗହଳେ ବର୍ଷାଭୂଦଳ ।

କାଞ୍ଚି ବିଜୟରେ ତ୍ରିବେଣୀ ଯୁଦ୍ଧରେ

ଏହିପରି ପରା ହେଲା

ଚଞ୍ଚଳ ଏ ମନ ସୁଯୋଗ ପାଇଣ

କେତେ କଥା ଭାବି ନେଲା ।’’

 

ବାସ୍ତବରେ ଯେଉଁ କବିଙ୍କର ପ୍ରାଣ ନାଗରିକ ଆଭିଜାତ୍ୟରେ ସନ୍ତୁଷ୍ଟ ନ ହୋଇ ପୁରପଲ୍ଲୀର ଜନସାଧାରଣଙ୍କ ଅନ୍ତର ସଙ୍ଗେ ନିଜକୁ ମିଳାଇ ସେମାନଙ୍କର ଭାଷା, ଭାବ ଓ ଭଙ୍ଗୀର ସ୍ୱାଭାବିକ ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା; ସେହି କବି ବିଭିନ୍ନ ଋତୁର ଭୋଗ ସମ୍ଭାର ମଧ୍ୟରେ, ଉଦ୍ଧୃତ ପଦ୍ୟାଂଶର ଶେଷପଂକ୍ତି ସୂଚିତ ବହୁ କଥା ଚିନ୍ତା କରିବାରେ ବିଚିତ୍ରତା ବା କଅଣ ଅଛି ? ସେଥିପାଇଁ ‘‘ପଲ୍ଲୀ ଚିତ୍ର’’ର ବର୍ଷା କବିତା, କୃଷକ ପରିବାରର ବର୍ଷାନୁଭୂତି ଯେପରି ରୂପାୟିତ ହୋଇଅଛି, ସେହିପରି ନିର୍ଝରିଣୀରେ ‘‘ନବବର୍ଷା ଭାବନା’’ ପ୍ରସଙ୍ଗରେ ଗ୍ରାମବାସୀମାନଙ୍କ ଆଳାପ ଆଲୋଚନାର ବହୁ ଅଂଶ ଚିତ୍ରିତ ହୋଇ ଉଠିଛି । ଫଳରେ କବିଙ୍କର ଅନ୍ତର ଅନୁକମ୍ପିତ ହୋଇ ସଙ୍ଗୀତର ମୂର୍ଚ୍ଛନା ତୋଳିବାକୁ ସମର୍ଥ ହୋଇଛି । ସେହି ସୂତ୍ରରେ ଓଡ଼ିଆ ସାହିତ୍ୟକୁ ଚାଲି ଆସିଛି–

 

‘‘ତାଡ଼କା ରାକ୍ଷସୀ ବିଶ୍ୱାମିତ୍ର ଋଷି

ରାମ ହନୁମାନ ସାଜ

ଭୀମ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣ ଅର୍ଜ୍ଜୁନ

ବେଶ ମନେ ପଡ଼େ ଆଜ ।

ସାଧବ ଘରର ଝିଅ କଥା ଆଉ

ରଜା ଘର ପୁଅ କଥା

ଚକୁଳିଆ ପଣ୍ଡା କଥା ସଙ୍ଗେ ପୁଣି

ଆନ ଆନ କେତେ କଥା ।’

ଭାଗବତ ଘରେ ରାମାୟଣ ପୋଥି

ଗାଉଥିଲେ ପୁରୋହିତ

ଘୋର ବରଷାରେ ଅଶୋକ ବନରେ

ସତୀ ବୈଦେହୀ ଚରିତ ।’

(ନନ୍ଦକିଶୋର ଗ୍ରନ୍ଥାବଳୀ ପୃଷ୍ଠା ୧୦୪-୧୦୯)

 

ନନ୍ଦକିଶୋରଙ୍କର ସୂକ୍ଷ୍ମଦୃଷ୍ଟିରେ ପଲ୍ଲୀବାସୀଗଣ ପ୍ରାଚୀନ ଶାସ୍ତ୍ରମାନଙ୍କର ଯେପରିକି ଶ୍ରେଷ୍ଠ ଉପଭୋକ୍ତା । ତାଙ୍କର ଦୃଷ୍ଟି ଯେତେବେଳେ ପଲ୍ଲୀ ଅଞ୍ଚଳକୁ ପ୍ରସାରିତ ହୋଇଛି, ପଲ୍ଲୀର ବହୁବିଧ ଆମୋଦ ପ୍ରମୋଦ ମଧ୍ୟରେ, ପ୍ରାଚୀନ ଉପାଖ୍ୟାନ ଓ କିମ୍ୱଦନ୍ତୀମାନଙ୍କର ରସାଳ କଥାବସ୍ତୁ ଉପରେ ତାହା କ୍ଷଣକାଳ ପର୍ଯ୍ୟନ୍ତ ଆବଦ୍ଧ ହୋଇଛି । ଏହିପରି ଭାବରେ ନନ୍ଦକିଶୋରଙ୍କ ପଲ୍ଲୀ ବିଷୟକ କବିତାଗୁଡ଼ିକ ବିଶ୍ଳେଷଣ କଲେ କବିଙ୍କର ସମ୍ୱେଦନଶୀଳତା ଏବଂ ଶିକ୍ଷିତ ସମାଜଦ୍ୱାରା ଚିର ଅବହେଳିତ ପଲ୍ଲୀବାସୀମାନଙ୍କ ପ୍ରତି ଗଭୀର ସହାନୁଭୂତିଶୀଳତା ସ୍ପଷ୍ଟ ଅନୁଭୂତ ହେବ ।

 

ନନ୍ଦକିଶୋର କେବଳ ପଲ୍ଲୀ ଜୀବନର ବିଭିନ୍ନ ବିଭାଗ ଚିତ୍ରଣ କରି ନାହାନ୍ତି–ପଲ୍ଲୀର ଉତ୍କର୍ଷ ଓ ମହତ୍ୱ ସେଇ ଚିତ୍ର ମଧ୍ୟରେ ପ୍ରକଟନ କରି ଊନବିଂଶ ଶତାବ୍ଦୀର ପାଶ୍ଚାତ୍ୟ ସଭ୍ୟତା ପ୍ରେମୀ ଓ ଶିକ୍ଷାଭିମାନୀ ଯୁବକ ସମ୍ପ୍ରଦାୟର ଦୃଷ୍ଟି ପଲ୍ଲୀପ୍ରତି ଆକୃଷ୍ଟ କରିଛନ୍ତି । ଇଂରାଜୀ କବି ଗୋଲ୍‌ଡ଼ସ୍ମିଥ୍‌ଙ୍କ ସଙ୍ଗେ ଏ କ୍ଷେତ୍ରରେ ନନ୍ଦକିଶୋରଙ୍କର ତୁଳନା କରାଯାଇ ପାରେ କିମ୍ବା ବିଖ୍ୟାତ୍ କବି ବାଇରନ୍‌ଙ୍କ ‘ଚାଇଲ୍‌ଡ଼ ହେରାଲ୍‌ଡ଼’ ସଙ୍ଗେ ମଧ୍ୟ ନନ୍ଦକିଶୋରଙ୍କ ପଲ୍ଲୀଚିତ୍ର ସମ୍ବଳିତ କବିତାବଳୀର ତୁଳନାତ୍ମକ ବିଚାର କରାଯାଇପାରେ । ବାଇରନ୍ ପ୍ରାଚୀନ କୀର୍ତ୍ତିମାନଙ୍କରେ ଭଗ୍ନାବଶେଷ ଦେଖି ଦୁଃଖରେ ଅଭିଭୂତ ହୋଇଅଛନ୍ତି ଏବଂ ଦାର୍ଶନିକ ଚିନ୍ତାର ଭିତ୍ତି ଭୂମି ଉପରେ ଦଣ୍ଡାୟମାନ ହୋଇ ପାଠକ ମଣ୍ଡଳୀର ସଶ୍ରଦ୍ଧ ଦୃଷ୍ଟି ସେ ସମସ୍ତ ପ୍ରତି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ଗୋଲ୍‌ଡସ୍ମିଥ୍ ମଧ୍ୟ ପଲ୍ଲୀ ଜୀବନର ସରଳତା, ଆଡ଼ମ୍ୱରହୀନତା ଏବଂ ସ୍ୱାଭାବିକତା ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ସଭ୍ୟତାର କ୍ରମବିକାଶରେ ସେ ସମସ୍ତ ନୈସର୍ଗିକ ସୌନ୍ଦର୍ଯ୍ୟ କିପରି ନାନା ପରିବର୍ତ୍ତନର ମଧ୍ୟ ଦେଇ ବିକୃତ ହୋଇଯାଇଛି ତାହା ଦର୍ଶାଇଛନ୍ତି । ନନ୍ଦକିଶୋର ଏ ଉଭୟ କବିଙ୍କ ତୁଲ୍ୟ ପଲ୍ଲୀଶ୍ରୀ ଚାତୁର୍ଯ୍ୟ ସହକାରେ ଫୁଟାଇଛନ୍ତି । ଉତ୍କଳମଣି ଗୋପବନ୍ଧୁ ‘‘ବନ୍ଦୀର ଆତ୍ମକଥା’’ରେ ପଲ୍ଲୀର ମାଧୁରୀ ଓ ପଲ୍ଲୀବଧୂମାନଙ୍କର ସୌକୁମାର୍ଯ୍ୟ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ଯେପରି କଳ୍ପନା କୁଞ୍ଜ ପାଠକମାନଙ୍କୁ ଆହ୍ୱାନ କରିଛନ୍ତି, ନନ୍ଦକିଶୋର ସେହିପରି ପଲ୍ଲୀ ଶୋଭାର ରୂପ ଗଠନ କରି ତାକୁ ଧନ୍ୟ ଧନ୍ୟ କହିଛନ୍ତି । କବିଙ୍କ ଭାଷାରେ–

 

‘‘ସୁନିର୍ଜନ ପଲ୍ଲୀ ଉପବନ

ପଲ୍ଲୀ କନ୍ୟା ସରଳ ଆନନ

ଯୌବନର ପ୍ରେମ ମଧୁ ପାନାସକ୍ତା ପଲ୍ଲୀବଧୂ

ତରଳ ଅପାଙ୍ଗ ଆହା କିବା ମନ ଲୋଭା

ଧନ୍ୟ ଧନ୍ୟ ପଲ୍ଲୀ ତୋର ନୈସର୍ଗିକ ଶୋଭା ।’’

 

ଏଠାରେ ସ୍ମରଣ ରଖିବା ଆବଶ୍ୟକ ଯେ, ନନ୍ଦକିଶୋରଙ୍କ ସମୟରେ ପାଶ୍ଚାତ୍ୟ ଶିକ୍ଷାର ପରିବର୍ତ୍ତନ ଫଳରେ ଏ ଦେଶର ଶିକ୍ଷିତ ସମ୍ପ୍ରଦାୟ ପଲ୍ଲୀପ୍ରତି ବିତଶ୍ରଦ୍ଧ ହେଉଥିଲେ । ବର୍ତ୍ତମାନ ପଲ୍ଲୀ ପ୍ରତି ବିତୃଷ୍ଣା ଗୋଟାଏ ସାଧାରଣ ରୋଗରେ ପରିଣତ ହୋଇଗଲାଣି । ସେଥିପ୍ରତି ସ୍ୱାଧୀନ ଭାରତ ସରକାର ପଲ୍ଲୀର ପ୍ରାଚୀନ ଗୌରବର ପୁନରୁଦ୍ଧାର କରିବାପାଇଁ ଅଜସ୍ର ଧନ ବ୍ୟୟ କରୁଅଛନ୍ତି ଓ ଅନବରତ ପ୍ରଚାର ଚଳାଇଅଛନ୍ତି । ସ୍ୱାଧୀନ ଭାରତର ପିତା ମହାତ୍ମା ଗାନ୍ଧୀଙ୍କର ଜୀବନ ବ୍ରତ ଥିଲା ପଲ୍ଲୀର ପ୍ରାଚୀନ ସୌଭାଗ୍ୟକୁ ଫେରାଇ ଆଣିବା । ପଲ୍ଲୀ କବି ନନ୍ଦକିଶୋର ସେତେବେଳର ଦୀନ ହୀନ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପ୍ରଗାଢ଼ ଦେଶପ୍ରୀତି ହେତୁରୁ ଏହି ଦିଗରେ ଗଭୀର ଚିନ୍ତା କରିଥିଲେ । ଭାରତର ସଭ୍ୟତା ନାଗରିକ ସଭ୍ୟତା ନୁହେଁ । ଭାରତୀୟମାନେ ଚିରକାଳ ‘‘ଜାନପଦ ସଭ୍ୟତା’’ ଉପରେ ଆସ୍ଥା ସ୍ଥାପନ କରି ଆସିଛନ୍ତି । ଏବେ ମଧ୍ୟ ତିନିଜଣ ବରେଣ୍ୟ ସାଧକ ନଗରଠାରୁ ବହୁ ଦୂରରେ, ପଲ୍ଲୀର ମନୋରମ କୋଳରେ, ନିଜ ନିଜର ସାଧନା କରି ସିଦ୍ଧିଲାଭ କରିଅଛନ୍ତି । ମହାତ୍ମା ଗାନ୍ଧୀଙ୍କର ଓ୍ୱାର୍ଦ୍ଧା, ବିଶ୍ୱ କବି ରବିନ୍ଦ୍ରନାଥଙ୍କର ଶାନ୍ତିନିକେତନ ଏବଂ ଯୋଗୀ ଅରବିନ୍ଦଙ୍କ ପଣ୍ଡିଚେରୀ ଆଶ୍ରମ, ଏ ଗୁଡ଼ିକ ଏହି ଶ୍ରେଷ୍ଠ ସାଧକମାନଙ୍କର ଭାରତୀୟ ପରମ୍ପରା ପ୍ରୀତିର ସ୍ପଷ୍ଟ ପ୍ରମାଣ ଦେଇଅଛି । ନନ୍ଦକିଶୋର ବିଂଶ ଶତାବ୍ଦୀର ଆରମ୍ଭ ପୂର୍ବରୁ ଏହି ଦିଗରେ କିପରି ମୁଣ୍ଡ ଖେଳାଇ ପାରିଥିଲେ, ତାହା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ନନ୍ଦକିଶୋରଙ୍କର ‘‘ପଲ୍ଲୀଚିତ୍ର’’ ସମ୍ୱଳିତ କବିତାମାନଙ୍କର ଦ୍ୱିବିଧ ବିଶେଷତ୍ୱରୁ ଗୋଟିଏ ହେଉଛି ପଲ୍ଲୀବାସୀମାନଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ଓ ପଲ୍ଲୀର ଉତ୍କର୍ଷ ଉପଲବ୍‌ଧ କରିବା ପାଇଁ ତାଙ୍କର ପ୍ରଖର ଅନ୍ତର୍ଦୃଷ୍ଟି, ଅନ୍ୟଟି ହେଉଛି ଶିକ୍ଷିତ ସମାଜରେ ପଲ୍ଲୀ ପ୍ରତି ଅନୁରାଗ ସୃଷ୍ଟି ଏବଂ ଭାରତୀୟ ପରମ୍ପରାର ଅନୁସରଣରେ ପଲ୍ଲୀର ସୌଭାଗ୍ୟ ବର୍ଦ୍ଧନ ଲାଗି ପ୍ରବଳ ପ୍ରଚେଷ୍ଟା । ଏହି ହିସାବରେ ନନ୍ଦକିଶୋରଙ୍କୁ କଳ୍ପନା ବିଳାସୀ କବି ଏବଂ ଭାଷାର ଚିତ୍ରକର ବୋଲି ଯେଉଁ ପରିମାଣରେ ଅଭିହିତ କରାଯାଇ ପାରେ, ଜଣେ ଦୂରଦ୍ରଷ୍ଟା ଭାବୁକ ଓ ପଲ୍ଲୀ ଦର୍ଶନର ପ୍ରତିଷ୍ଠାତା ରୂପେ ସେହି ପରିମାଣରେ ଗ୍ରହଣ କରାଯାଇ ପାରେ ।

 

ଉତ୍କଳ ଜୟଦେବ ଦୀନକୃଷ୍ଣଙ୍କ ଭାଷାରେ–‘କବିତା ବନିତା, କବିତା ପିତା’ । ପଲ୍ଲୀ ପ୍ରିୟ ନନ୍ଦକିଶୋର ନିଜର କବିତା କନ୍ୟା ନିମନ୍ତେ ପଲ୍ଲୀର ଅଳଙ୍କାର ଦେଇଅଛନ୍ତି । କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଭାରତୀ ଯେଉଁ ମହାମୂଲ୍ୟ ଭାଷାର ଚୀନାଂଶୁକ ପରିଧାନ କରିଅଛନ୍ତି, ତାହା ନନ୍ଦକିଶୋରଙ୍କର ମାନସୀ କନ୍ୟାଠାରେ ଯେ ଦୁର୍ଲଭ, ତାହା ନୁହେଁ, ବରଂ ଏକାନ୍ତ ଅନାବଶ୍ୟକ କହିଲେ ଅସଙ୍ଗତ ହେବନାହିଁ । ମହାକବି କାଳିଦାସଙ୍କ ଭାଷାରେ କହିଲେ, ନନ୍ଦକିଶୋର ସୁରୁଚିସମ୍ପନ୍ନ ପିତାପରି ବାକ୍‌ ଓ ଅର୍ଥର ଭାଷା ଓ ଭାବର ସୁସଙ୍ଗତ ସହଯୋଗ ସ୍ଥାପନ କରିଛନ୍ତି । ପଲ୍ଲୀକବିଙ୍କର ଏହି ପଦକଦମ୍ୱ କନ୍ୟାର ଭଙ୍ଗୀ ତାଙ୍କୁ ଓଡ଼ିଆ ସାହିତ୍ୟରେ ସମୁଚ୍ଚସ୍ଥାନ ଦେବାପାଇଁ କମ୍‌ ସହାୟକ ହୋଇନାହିଁ । ଅର୍ଦ୍ଧଶିକ୍ଷିତ ପଲ୍ଲୀ ସମାଜର ଅନ୍ତରର ଭାଷାରେ କବି ପଲ୍ଲୀ ଜୀବନର ସୁଖ ଦୁଃଖ ପ୍ରକାଶ କରିଅଛନ୍ତି । ପଲ୍ଲୀ ଜନତାର ଆଜୀବନ ସେବକ ଗୋପବନ୍ଧୁଙ୍କୁ ଛାଡ଼ିଦେଲେ ପଲ୍ଲୀଭାଷାର କମନୀୟତା ଅନ୍ୟ କୌଣସି କବି ବିଲକ୍ଷଣ ଦକ୍ଷତା ସହକାରେ ଅକ୍ଷରରେ ପ୍ରକାଶ କରି ପାରିନାହିଁ । ଗୋଟିଏ ଦୁଇଟି ଦୃଷ୍ଟାନ୍ତ ଦେବା ବ୍ୟତୀତ ବୋଧହୁଏ ନନ୍ଦକିଶୋରଙ୍କର ଏହି ଅପୂର୍ବ କୃତିତ୍ୱ ପ୍ରଦର୍ଶନର ଉପାୟାନ୍ତର ନାହିଁ ।

 

“ବୈଶାଖ ମାସରେ ପଣା ସଂକରାନ୍ତି

ହୁଅଇ ପଣା ଛତୁଆ,

କାଠଗୋଡ଼ ପିନ୍ଧି ମଙ୍ଗଳା ମୁଣ୍ଡାଇ

ନାଚନ୍ତି ଘଣ୍ଟ ପାଟୁଆ ।

ଏହିମାସେ ହୁଏ ଚନ୍ଦନ ଯାତରା

ନାବକେଳି ଏହି ମାସେ,

ନାବକେଳି କରି ଯୁବକ ମଉଜ

କରୁଥାନ୍ତି କ୍ରୀଡ଼ାହାସେ ।

ଶଗଡ଼ିଆମାନେ ସାତ ପାଞ୍ଚ ମିଳି

ରାତ୍ରେ ଚାଲୁଥାନ୍ତି ବାଟ

ଟାକରା ଫୁଟାଇ ବଳଦ ଓଡ଼ାଇ

ନିଠେଇ ନିଠେଇ ଗୀତ

ପହିଲୁ ଆଷାଢ଼େ ଘୋଟଇ ଆକାଶେ

ବଉଦ କଳାହାଣ୍ଡିଆ,

ତଳି ଉପାଡ଼ିଣ ହିଡ଼ ଜମିବାଡ଼ି

ଲଗାନ୍ତି ଚାଷୀ ମାଣ୍ଡିଆ ।

ମାଣ୍ଡିଆ ବାଡ଼ର ଚଉପାଶେ ବାଡ଼େ

ଡାଳ ପତର କଅଁଳ,

ସେ ବାଡ଼ ଉପରେ ମାଡ଼ଇ ସଘନେ

କେତେ ଜାତି ଫୁଲ ଫଳ ।’

(ପଲ୍ଲୀଚିତ୍ର)

 

ନନ୍ଦକିଶୋର ‘ପଲ୍ଲୀଚିତ୍ର’କୁ କିପରି ପଲ୍ଲୀ ଭାଷାରେ ଫୁଟାଇଛନ୍ତି, ଉଦ୍ଧୃତ ପଦଗୁଡ଼ିକ ତହିଁର ସ୍ପଷ୍ଟ ପ୍ରମାଣ ଦିଏ । ବୁଦ୍ଧଦେବଙ୍କର ଆବିର୍ଭାବ ବେଳେ ଭାରତରେ ସଂସ୍କୃତ ଭାଷା ମାଧ୍ୟମରେ ଧର୍ମ ପ୍ରଚାର କରାଯାଉଥିଲା କିନ୍ତୁ ଦୂରଦର୍ଶୀ ବୁଦ୍ଧଦେବ ପଲ୍ଲୀ ଅଞ୍ଚଳରେ ଧର୍ମ ପ୍ରଚାର କରିବାକୁ ଯାଇ ସଂସ୍କୃତ ଭାଷା ବର୍ଜନ କଲେ ଓ ପାଲି ଭାଷାରେ ଧର୍ମ ପ୍ରଚାର କଲେ । ଜନ ପ୍ରାଣ ଏଇ ଚିର ପରିଚିତ ଭାଷାରେ ଉତ୍‌ଫୁଲ୍ଲ ହୋଇ ଉଠିଲା । ଠିକ୍‌ ସେହିପରି ନନ୍ଦକିଶୋର ଜନସାଧାରଣଙ୍କର ଭାଷାର ମନ୍ତ୍ରରେ ଜନତାର ପ୍ରାଣ ପ୍ରତିଷ୍ଠା କରିଛନ୍ତି । ଏ କୃତିତ୍ୱ ତାଙ୍କୁ ଅଗଣିତ ଓଡ଼ିଆ ପାଠକମାନଙ୍କ ଅନ୍ତରର ଅତି ନିକଟତମ କରି ଦେଇଛି । ତେଣୁ ଭାଷାର ବିଚାରରେ, ଭାବର ଆଲୋଚନାରେ, ପ୍ରକାଶଭଙ୍ଗୀର ଚର୍ଚ୍ଚା ପ୍ରସଙ୍ଗରେ ନନ୍ଦକିଶୋରଙ୍କର ଯେଉଁ ପଲ୍ଲୀଚିତ୍ରମୂଳକ ବିରାଟ ମୌଳିକତା ପାଠକମାନଙ୍କର ଦୃଷ୍ଟିପଥାରୂଢ଼ ହୁଏ, ତହିଁରୁ ତାଙ୍କର ପଲ୍ଲୀକବିରୂପକ ଉପାଧିର ସାର୍ଥକତା ସମ୍ପର୍କରେ ମତଦ୍ୱୈଧ ରହେ ନାହିଁ । ଏହି ଉପାଧି ତାଙ୍କୁ କେହି ପ୍ରଦାନ କରିନାହିଁ, ଅଥଚ ଏ ଉପାଧି ସମସ୍ତଙ୍କ ଦ୍ୱାରା ପ୍ରଦତ୍ତ-ଏହାହିଁ ପଲ୍ଲୀକବି ଉପାଧିର ବିଶେଷତ୍ୱ ।

Image

 

ଜାତୀୟକବି ନନ୍ଦକିଶୋର

 

ନନ୍ଦକିଶୋର ଯେଉଁ ବରେଣ୍ୟ ଜାତୀୟ କବିମାନଙ୍କର ସମସାମୟିକ ଥିଲେ, ସେମାନଙ୍କର ନାମ ଏଥିପୂର୍ବେ ଉଲ୍ଲେଖ କରାଯାଇଛି । କବିବର ରାଧାନାଥ ଆଧୁନିକ ଓଡ଼ିଆ ସାହିତ୍ୟର ଜନ୍ମଦାତା ରୂପେ ସର୍ବତ୍ର ସ୍ୱୀକୃତ ହେଉଅଛନ୍ତି । ରାଧାନାଥଙ୍କର କାବ୍ୟ କବିତାରେ ପ୍ରାଚୀନ ସାହିତ୍ୟସୁଲଭ ରସ ପରିବେଷଣର ପ୍ରଚେଷ୍ଟା କିଛି ଅଳ୍ପ ପରିମାଣରେ ପ୍ରକାଶ ପାଇ ନାହିଁ-। କିନ୍ତୁ ଓଡ଼ିଶାରେ ଜାତୀୟ ଭାବର ସୃଷ୍ଟିଲାଗି ରାଧାନାଥଙ୍କର ଲେଖନୀ ଯେଉଁପରି ଭାବରେ ମୁଖର ହୋଇ ଉଠିଥିଲା, ତାହା ଓଡ଼ିଆ ସାହିତ୍ୟ ଇତିହାସରେ ଅନ୍ତତଃ ସେହି ସମୟ ପର୍ଯ୍ୟନ୍ତ ଏକାବେଳକେ ଅଭୂତପୂର୍ବ । ମାତ୍ର ଏକ ଶତାବ୍ଦୀ ପୂର୍ବେ ପ୍ରତିବେଶୀମାନଙ୍କର ତୀବ୍ର ସାଂସ୍କୃତିକ ଆକ୍ରମଣରେ ଓଡ଼ିଆ ଭାଷା ଉତ୍କଳର ପାଠଶାଳାମାନଙ୍କରୁ ଚିରକାଳ ଲାଗି ବିଦାୟ ଗ୍ରହଣ କରିବାକୁ ବସିଥିଲା । ସେତେବେଳେ ସେହି ସଙ୍କଟମୟ ସମୟରେ ପ୍ରାତଃ ସ୍ମରଣୀୟ ଗ୍ରୀୟରସନ୍‌ ଓ ଜନ୍‌ବୀମ୍‍ସ ସାହେବଙ୍କ ପରି ବିଖ୍ୟାତ୍‌ ଭାଷାତତ୍ତ୍ୱବିତ୍‌ ଉତ୍କଳର ପକ୍ଷ ଗ୍ରହଣ କରି ନଥିଲେ ଏବଂ ସେହି ସୂତ୍ରରେ ଭାଷା ବିଜ୍ଞାନର ଭିତ୍ତିରେ ଉତ୍କଳର ସ୍ଵାତନ୍ତ୍ର୍ୟ ଓ ମୌଳିକତାକୁ ବିଶ୍ୱସମାଜରେ ଦୃଢ଼ ଭାବରେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରି ନଥିଲେ, ଆଜି ରାଜନୈତିକ ଉତ୍କଳର ସୃଷ୍ଟି ସମ୍ଭବପର ହୋଇଥାଆନ୍ତା କି ନାହିଁ, କହି ହେଉନାହିଁ । ରାଧାନାଥ, ମଧୁସୂଦନ, ଫକୀରମୋହନ ବାଲେଶ୍ୱରରେ ଯେତେବେଳେ ଜନଜାଗରଣ ଆଣିବାଲାଗି ସମ୍ବାଦପତ୍ର ପ୍ରକାଶ କଲେ, ସେତେବେଳେ ଓଡ଼ିଶାର ସହସ୍ର ସହସ୍ର ଛାତ୍ରଙ୍କପାଇଁ ଉପଯୁକ୍ତ ପାଠ୍ୟପୁସ୍ତକ ନଥିଲା । ପୁଣି ଓଡ଼ିଆ ପାଠଶାଳାରେ ବଙ୍ଗଳା ପାଠ୍ୟପୁସ୍ତକ ଚଳାଇବାକୁ ଉଦ୍ୟମ ହେଉଥିଲା । ଏହି ସାରସ୍ୱତ ପୁଣ୍ୟ ତ୍ରିବେଣୀ ଏବଂ ଏମାନଙ୍କର ସମସାମୟିକ ଓ ଏମାନଙ୍କର ପ୍ରେରଣାପୁଷ୍ଟ ତରୁଣ ଲେଖକମଣ୍ଡଳୀ ଓଡ଼ିଶାରେ ଜାତୀୟତାର ବହ୍ନି ପ୍ରଜ୍ୱଳିତ କରିବାପାଇଁ ଦୃଢ଼ ସଂକଳ୍ପ କଲେ । କବିବର ରାଧାନାଥ ଓଡ଼ିଶାରେ ଜାତୀୟ ଇତିହାସରୁ କେବଳ ଯେ ଉପାଦାନ ସଂଗ୍ରହ କରି କାବ୍ୟ ଲେଖିଲେ ତା ନୁହେଁ, ତହିଁ ସଙ୍ଗେ ସଙ୍ଗେ ନିଜର ଶ୍ରେଷ୍ଠ ଦୁଇଟି କାବ୍ୟ (ଚିଲିକା ଓ ମହାଯାତ୍ରା)ରେ ପ୍ରତ୍ୟକ୍ଷରେ ଜାତିକୁ ଉଦ୍‌ବୋଧିତ କଲେ । ଉତ୍କଳର ଅତୀତ ଗୌରବର ଚିତ୍ରାଙ୍କନ କରି ସେ ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କଲେ । ସେହି ପ୍ରଚେଷ୍ଟାରୁ ପ୍ରକାଶ ପାଇଲା–

 

‘‘ପୁଣ୍ୟତମ ଏ ସୈକତ ବିଶ୍ୱ ଚରାଚରେ

ବାଛି ନେଇଛନ୍ତି ଯାହା ନିଜେ ଲୀଳାମୟ

ପୁଣି ମର୍ତ୍ତ୍ୟ ଲୀଳା ଲାଗି ଅଖିଳ ଭାରତେ

ପର୍ଣ୍ଣଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ

ତଥା ଏ ଉତ୍କଳ ଭୂମି ଗୁଣେ ଗରୀୟସୀ’’

(ମହାଯାତ୍ରା)

 

କବିବରଙ୍କର ଆଜୀବନ ସାହିତ୍ୟିକ ବନ୍ଧୁ ଓ ପ୍ରିୟଶିଷ୍ୟ ମଧୁସୂଦନ ‘ଉତ୍କଳ ଗାଥା’ରେ ଓ କୁସୁମାଞ୍ଜଳିର ‘ଭାରତ ଭାବନା’ରେ ସେହି ଜାତୀୟ ଜାଗରଣର ମନ୍ତ୍ର ଉଦାର ସ୍ୱରରେ ଉଚ୍ଚାରଣ କଲେ । ଖେଦ ଖଣ୍ଡିତ ହୃଦୟରେ ଗାଇ ଉଠିଲେ–

 

“କୋଟିଏ ସନ୍ତାନ ମାଗୋ ଘେନିଅଛୁ କୋଳେ

ଗୋଟିଏ ମନୁଷ୍ୟ କିନ୍ତୁ ନ ଦେଖିଲି ଡୋଳେ ।’

(ଉତ୍କଳ ଗାଥା)

 

ପ୍ରକୃତିକବି ଗଙ୍ଗାଧର ଉପକୂଳ ଅଞ୍ଚଳର, ମନ୍ଦ୍ରନାଦରେ ପ୍ରଚାରିତ ଏହି ମନ୍ତ୍ର ଶୁଣି ବିଷାଦ ବିଜଡ଼ିତ କଣ୍ଠରେ ଗାଇଥିଲେ–

 

“ଉଚ୍ଚ ହେବାପାଇଁ କର ଯେବେ ଆଶା

ଉଚ୍ଚକର ତେବେ ନିଜ ମାତୃଭାଷା

x x x x

ମାତୃଭୂମି ମାତୃ- ଭାଷାରେ ମମତା

ଯା’ ହୃଦେ ଜନମି ନାହିଁ

ତାକୁ ଯଦି ଗୁଣୀ ଗଣରେ ଗଣିବା

ଅଜ୍ଞାନେ ରହିବେ କାହିଁ ?’

 

କହିବା ଅନାବଶ୍ୟକ–ଫକୀରମୋହନ, କବିଶେଖର ଚିନ୍ତାମଣି, ବିପ୍ଳବିଣୀ କୁନ୍ତଳା କୁମାରୀ, ଦେଶପ୍ରାଣ ମଧୁସୂଦନ ଉତ୍କଳମଣି ଗୋପବନ୍ଧୁ, ଏପରିକି ସତ୍ୟବାଦୀ ସାହିତ୍ୟିକ ଗୋଷ୍ଠୀର ଶ୍ରେଷ୍ଠ ପ୍ରତୀକ, ଜ୍ଞାନ ଗରିଷ୍ଠ ପଣ୍ଡିତ ନୀଳକଣ୍ଠ ମଧ୍ୟ ଜାତୀୟ ଭାବର ଉଦ୍‌ବୋଧନ କରିବାକୁ ନିଜ ନିଜର ଲେଖନୀ ଚାଳନାର ବିଶିଷ୍ଟ ଲକ୍ଷ୍ୟ ବୋଲି ମନେ କରୁଥିଲେ ।

 

ନନ୍ଦକିଶୋରଙ୍କର ଜୀବନୀ ପର୍ଯ୍ୟାଲୋଚନାରୁ ଜଣାଯାଏ, ସମସାମୟିକ ସମସ୍ତ ଶ୍ରେଷ୍ଠକବି ସାହିତ୍ୟିକ ଓ ଦେଶପ୍ରେମୀ ନେତାମାନଙ୍କ ସଙ୍ଗେ ତାଙ୍କର ନାନା ସୂତ୍ରରେ ଘନିଷ୍ଠ ସମ୍ପର୍କ ଥିଲା । ଧୋବାତୁଠରୁ ଗାଁ ପରିମଳ ଜଣାଗଲା ପରି, ନନ୍ଦକିଶୋରଙ୍କର ଛାତ୍ର ଜୀବନରୁ ହିଁ ତାଙ୍କର ଉଗ୍ର ଦେଶପ୍ରେମର ପରିଚୟ ମିଳିଥିଲା । ଛାତ୍ର ଜୀବନରେ ସେ ‘ଉତ୍କଳର ପଲ୍ଲୀଜୀବନ’ ଶୀର୍ଷକ ଯେଉଁ ପ୍ରବନ୍ଧ ଲେଖି ପୁରସ୍କୃତ ହୋଇଥିଲେ, ତାହାର ମୂଳରେ ଥିଲା ଗଭୀର ଦେଶପ୍ରେମ । ୧୯୦୦ ଖ୍ରୀଷ୍ଟାବ୍ଦରେ ଉତ୍କଳ ସାହିତ୍ୟ ପତ୍ରିକାରେ, ପ୍ରଚ୍ଛନ୍ନ ନାମରେ ଓଡ଼ିଆ ଲଳନା ଶୀର୍ଷକ ସେ ଯେଉଁ ବ୍ୟଙ୍ଗ କବିତା ଲେଖିଥିଲେ, ତାହା ସେତେବେଳେ ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେ କବିତାର ଏକମାତ୍ର ଲକ୍ଷ୍ୟ ଥିଲା ଉତ୍କଳୀୟ ନାରୀ ସମାଜର ନାନାବିଧ ସଂସ୍କାର । ଦେଶ ପ୍ରେମର ଏହା ମଧ୍ୟ ଗୋଟାଏ ବିଶିଷ୍ଟ ବିଭାଗ । ପ୍ରସଙ୍ଗ କ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପଲ୍ଲୀକବି ୧୯୦୩ ଖ୍ରୀଷ୍ଟାବ୍ଦରେ ନବଗଠିତ ଉତ୍କଳ ସମ୍ମିଳନୀରେ ଯୋଗ ଦେଇଥିଲେ । ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତ ବିଶାରଦ ଖାନ ମହମ୍ମଦଙ୍କ ଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଂକ୍ତି–

 

‘‘ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ

ପାହିଛି ବିଷାଦ ଯାମିନୀ ତବ’’

(ନ:କି: ଗ୍ରନ୍ଥାବଳୀ ମୁଖବନ୍ଧ ପୃ-୧୦୩)

 

ବାସ୍ତବରେ ଏହି ଗୋଟିକ ପଂକ୍ତିରୁ କବିଙ୍କର ଉଦ୍ଦାମ ଦେଶ ପ୍ରେମର ପରିଚୟ ମିଳେ । ପୁଣି ସେହି ସମୟକୁ ନନ୍ଦକିଶୋରଙ୍କର ଦେଶପ୍ରେମ କଳିକାର ସୌରଭ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇ ନଥିଲେ, ନନ୍ଦକିଶୋରଙ୍କୁ କାହିଁକି ପ୍ରାରମ୍ଭିକ କବିତା ଲେଖିବା ଲାଗି ଅନୁରୋଧ କରାଯାଇ ଥାଆନ୍ତା । ଉତ୍କଳ ସମ୍ମିଳନୀରେ ଭାଷା ସୂତ୍ରରେ ପ୍ରଦେଶ ଗଠନ ପାଇଁ ପ୍ରସ୍ତାବ କରାଯାଇଥିଲା । ପ୍ରଦେଶ ଗଠନର ମୌଳିକ ନିୟାମକ ଭାଷା ହେବା ଉଚିତ୍‌–ଏହା ଓଡ଼ିଶାର ଜନନାୟକମାନେ, ସେତେବେଳେ ସୁଦ୍ଧା ଭାବିଚିନ୍ତି ସ୍ଥିର କରିଥିଲେ । ଯେତେଦୂର ଜଣାଯାଏ, ସେତେବେଳ ପର୍ଯ୍ୟନ୍ତ ଭାରତର ଅନ୍ୟ କୌଣସି ପ୍ରଦେଶରେ, କୌଣସି ଜନନେତା ଏ ପ୍ରକାର ସାରଗର୍ଭକ ଓ ସୁଚିନ୍ତିତ ସିଦ୍ଧାନ୍ତରେ ଉପନୀତ ହୋଇ ନଥିଲେ । ଆଜି ସେକଥା ଚିନ୍ତାକଲାବେଳେ ପ୍ରତ୍ୟେକ ଓଡ଼ିଆର ଅନ୍ତର ପୁଲକିତ ହୋଇଉଠେ । କାରଣ ଓଡ଼ିଶାର ନେତୃମଣ୍ଡଳୀ ୧୯୦୩ ଖ୍ରୀଷ୍ଟାବ୍ଦରେ ପ୍ରଦେଶ ଗଠନ ଲାଗି ଯେଉଁ ସୂତ୍ର ବା ମାନଦଣ୍ଡ ନିରୂପଣ କରିଥିଲେ, ତାହା ପରବର୍ତ୍ତୀ କାଳରେ ଭାରତର ସର୍ବଶ୍ରେଷ୍ଠ ରାଜନୀତିକ ଅନୁଷ୍ଠାନ ଜାତୀୟକଂଗ୍ରେସ ପୂରାପୂରି ଗ୍ରହଣ କରିନେଲା । ଏହି ବିରାଟ ସିଦ୍ଧାନ୍ତର ସତ୍ୟତା ପ୍ରତିଷ୍ଠାରେ ନନ୍ଦକିଶୋରଙ୍କର ଦାନ ବିସ୍ମୃତ ହେବାର ନୁହେଁ ।

 

ନନ୍ଦକିଶୋର ଅହରହ ମାତୃଭୂମିର ସମ୍ମୁନ୍ନତି କାମନା କରୁଥିଲେ । ଦେଶର ସମସାମୟିକ ଶିକ୍ଷିତ ଯୁବକମାନେ ମାତୃଭୂମିର ସେବା ବ୍ରତରେ ବ୍ରତୀ ନ ହୋଇ କେବଳ ଉଦର ପୋଷଣ ଲାଗି ସରକାରଙ୍କର କର୍ମଚାରୀରୂପେ କାଳଯାପନ କରୁଥିବାରୁ ସେମାନଙ୍କ ବିରୁଦ୍ଧରେ ନନ୍ଦକିଶୋର ଖଡ୍‍ଗହସ୍ତ ହୋଇ ଉଠିଥିଲେ । ମଧୁସୂଦନ ‘ଉତ୍କଳଗାଥା’ରେ ଏବଂ ଗୋପବନ୍ଧୁ ତାଙ୍କର ବିଭିନ୍ନ କବିତାରେ ଓଡ଼ିଶାର ଅତୀତ ବିଭବ ପାଠକମାନଙ୍କ ସମକ୍ଷରେ ଉପସ୍ଥାପନ କରି ଦେଶସେବକ ହେବାକୁ ସେମାନଙ୍କୁ ଯେପରି ଅନୁପ୍ରାଣିତ କରୁଥିଲେ, ଠିକ୍‌ ସେହିପରି ନନ୍ଦକିଶୋର ମଧ୍ୟ ନିଜେ କୀର୍ତ୍ତି ଭାସ୍ୱର ଉତ୍କଳ ଜନନୀଙ୍କର, ଅତୀତ ଗୌରବ ଗାଥା ଲେଖନୀ ମୁନରେ ପ୍ରକାଶ କରି ଦେଶସେବାର ପବିତ୍ର ଆଦର୍ଶରେ ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରିବାକୁ ଚେଷ୍ଟା କରିଥିଲେ । ଉତ୍କଳ ଜନନୀ ଛିନ୍ନମସ୍ତା, ପଦହୀନା ଏବଂ ଲାଞ୍ଛିତା ହୋଇଥିବାରୁ ତାଙ୍କର ପୂର୍ଣ୍ଣ ଅବୟବ ଗଠନ ଓ ଗୌରବ ପ୍ରତିଷ୍ଠା ଦିଗରେ ନନ୍ଦକିଶୋର ବିଶେଷ ଚିନ୍ତିତ ଥିଲେ । କୁଳବୃଦ୍ଧ ମଧୁସୂଦନଙ୍କର ଗଭୀର ଦେଶପ୍ରେମ ନନ୍ଦକିଶୋରଙ୍କ ଠାରେ ଅଳ୍ପ ପରିମାଣରେ ନଥିଲା । ସେଥିଲାଗି ସହକର୍ମୀ ଓ ସହଧର୍ମୀମାନଙ୍କ ସଙ୍ଗେ ସ୍ୱର ମିଳାଇ ନନ୍ଦକିଶୋର ଗର୍ଜି ଉଠିଥିଲେ–

 

‘ଓଡ଼ିଆଙ୍କ ପାଇଁ ଓଡ଼ିଆ ପ୍ରଦେଶ

ପ୍ରବର୍ତ୍ତିତ ହେଉ ଏ ନ୍ୟାୟ ନୀତି

x x x

ଭଗିନୀ ସୁତ ମୋ ବଡ଼ ବଡ଼ ଯେତେ

ରାଜକର୍ମଯାକ ବସନ୍ତି ମାଡ଼ି,

କୋଟି ପୁତ୍ର ମୋର ଦୂରେ ଦୂରେ ଥାଇ

ମୂଲ ଲାଗୁଛନ୍ତି ଯେସନେ ହାଡ଼ି ।

ସମଗ୍ର ଉତ୍‍କଳ ଭାଷୀ ଦେଶ ଖଣ୍ଡେ

ଏକୀଭୂତ କରି କର ସବଳ

x x x

ମାତୃଭୂମି ତେଜି ଯେଉଁ ଗର୍ବିତ ଯୁବକ

ହୁଏ ବିଦେଶୀୟଙ୍କର ଭକତ ସେବକ

ସେହି ମାତୃ ପିତୃ ଦ୍ରୋହୀ ଆତ୍ମଦ୍ରୋହୀଜନ

ନୋହିବ କେବେହେଁ କାହା ସମ୍ମାନ ଭାଜନ

x x x

ବୋଇଲେ ଉତ୍‍କଳ ହୋଇଅଛି ଅଙ୍ଗହୀନା

ଗଂଜାମ ସମ୍ୱଲପୁର କାନ୍ଥିରୁ ବିଚ୍ଛିନ୍ନା

 

ଭାବିଲି କିଏ ସେ ଅଛି ଏ ମହୀ ମଣ୍ଡଳେ

ପୂର୍ଣ୍ଣାଙ୍ଗ ନବୀନ ବଳ ଦେବ ମା’ ଉତ୍କଳେ

(ନିର୍ମାଲ୍ୟ-ନବକର୍ଷ)

x x x

ଉଠହେ ଉତ୍କଳବାସୀ ବାନ୍ଧହେ ସାହସ

ବଢ଼ିବ ଯଶ ସୋପାନେ ଆଣ୍ଟେ ଅଣ୍ଟା କସ

କେଭେଁ ନିରାଶ ନ ହୁଅ

ଯୁଝ ଜୀବନ ସଂଗ୍ରାମ ହେ ଓଡ଼ିଆ ପୁଅ

x x x

(ଚାରୁଚିତ୍ର)

ଉତ୍ତିଷ୍ଠ ବୋଲିଣ ଆତ୍ମା ଛାଡ଼ ହେ ଚହଳ

ପ୍ରବୃଦ୍ଧ ଜାଗ୍ରତ ହେଉ ପତିତ ଉତ୍‍କଳ ।’

(ଖଣ୍ଡଗିରି)

 

ଏ ସମସ୍ତ ଉଦ୍ଧୃତି ସପ୍ରକାଶ ଓ ସ୍ୱୟଂବେଦ୍ୟ । ଏହାରି ଉପରେ ବିଶେଷ ଟୀକା ଟିପ୍‍ପଣୀ ଆବଶ୍ୟକ ବୋଲି ମନେହୁଏ ନାହିଁ । ବଙ୍ଗଳାର କିମ୍ୱା ଭାରତର ଯେ କୌଣସି ପ୍ରଦେଶର ଦେଶପ୍ରେମୀ କବି ସମାଜରେ ନନ୍ଦକିଶୋର ଯେ ବିଶିଷ୍ଟସ୍ଥାନ ଅଧିକାର କରିବେ, ଉଦ୍ଧୃତ କବିତାଂଶଗୁଡ଼ିକ ପାଠ କରିବା ପରେ କାହାରି ସନ୍ଦେହର ଅବକାଶ ରହିବ ନାହିଁ । ବିଶେଷତଃ ଆଧୁନିକ ଓଡ଼ିଶାର କବିମଣ୍ଡଳୀ ତଥା ଜନନାୟକମାନେ ଯେଉଁ ଅଗ୍ନିମୟୀ ବାଣୀ ପ୍ରକାଶ କରିଅଛନ୍ତି, ତାହାରି ତୁଳନାରେ ନନ୍ଦକିଶୋର ନିମ୍ନ ସ୍ଥାନର ଅଧିକାରୀ ହେବେ ନାହିଁ ।

 

ନନ୍ଦକିଶୋର ଭାଷା ସୂତ୍ରରେ ପ୍ରଦେଶ ଗଠନ ଲାଗି ଯେ ଦୃଢ଼ ମତ ବ୍ୟକ୍ତ କରିଥିଲେ ତାହା ନୁହେଁ; ସେ ଆଜିର ଅନ୍ୟତମ ବିଖ୍ୟାତ ଆନ୍ଦୋଳନର ସ୍ରଷ୍ଟା ବିନୋବାଜୀଙ୍କର ବହୁ ପୂର୍ବରୁ ଗୋଟାଏ ବୈପ୍ଳବିକ ଚିନ୍ତାଧାରା ଓଡ଼ିଶାର ସାହିତ୍ୟ ରାଜ୍ୟରେ ପ୍ରବାହିତ କରି ଦେଇଥିଲେ । ଭାଷା ସୂତ୍ରରେ ପ୍ରଦେଶ ଗଠନର ପରିକଳ୍ପନା ଏହି ଉତ୍କଳରେ ପ୍ରଥମେ ଉଦ୍ଭୂତ ହେଲା । କିନ୍ତୁ ଉତ୍କଳରେ କୃତିତ୍ୱ, ଉତ୍କଳ ବାହାରେ ସ୍ୱୀକୃତ ହେଲାନାହିଁ–ବରଂ ଅରଣ୍ୟ ପ୍ରସନ ତୁଲ୍ୟ ପଡ଼ିରହିଲା କହିଲେ ଅସତ୍ୟ ହେବ ନାହିଁ । ଠିକ୍‌ ସେହିପରି ବିନୋବାଜୀ ଦେଶର ସମୂହ ଉନ୍ନତି ଉଦ୍ଦେଶ୍ୟରେ ଯେଉଁ ଆନ୍ଦୋଳନ ସୃଷ୍ଟି କରିଛନ୍ତି, ତାହା ହୁଏତ ତାଙ୍କର ବହୁ ପୂର୍ବରୁ ନନ୍ଦକିଶୋରଙ୍କ ସାହିତ୍ୟରେ ରୂପାୟିତ ହୋଇଥିଲା । କିନ୍ତୁ ପ୍ରତିଭାର ଅଭିଶପ୍ତ ଭୂମି ଉତ୍କଳକୁ ତାହାର ନ୍ୟାଯ୍ୟ ପ୍ରାପ୍ୟ ଦେଇଛି କିଏ ? ଏହି ନ୍ୟାଯ୍ୟ ପ୍ରାପ୍ୟ ନ ମିଳିବାରୁ ତ ନନ୍ଦକିଶୋରଙ୍କର ବନ୍ଧୁ, ଓଡ଼ିଆ ଭାଷାକୋଷର ସଂଗ୍ରାହକ ସ୍ୱର୍ଗତଃ ଗୋପାଳ ଚନ୍ଦ୍ର ପ୍ରହରାଜ ଉତ୍କଳର ‘‘ନ୍ୟାଯ୍ୟ ପ୍ରାପ୍ୟ’’ ସେ କିପରି ପାଇବ, ସେଥିପାଇଁ ଭାଷାକୋଷର ଭୂମିକାରେ ଅନ୍ତରେ ବ୍ୟାକୁଳତା ପ୍ରକାଶ କରିଛନ୍ତି । ଆଜି ବିନୋବାଜୀ କେବଳ ଭୂଦାନ ଆନ୍ଦୋଳନ କରି ନାହାନ୍ତି; ବିଦ୍ୟାଦାନ, ବୁଦ୍ଧିଦାନ, ସମ୍ପତ୍ତିଦାନ, ପ୍ରଭୃତି ଦାନ କଥା ଉଲ୍ଲେଖ କରି ବିରାଟ ଆନ୍ଦୋଳନ ଚଳାଇଛନ୍ତି । ଭୂଦାନ ଯଜ୍ଞର ବିଶ୍ୱରୂପ ପ୍ରତିପାଦନ କରି, ସେ ଯେଉଁ ପୁସ୍ତକ ପ୍ରକାଶ କରାଇଛନ୍ତି, ତାହା କଣ ଆମ ପଲ୍ଲୀକବିଙ୍କ କବିତାବଳୀରେ ଲିପିବଦ୍ଧ ହୋଇନାହିଁ ? ଉତ୍କଳ ଜନନୀଙ୍କର ପୂର୍ଣ୍ଣତା ସମ୍ପାଦନ କରିବାକୁ ହେଲେ ଦେଶର ପ୍ରତ୍ୟେକ ସନ୍ତାନ ନିଜ ନିଜର ଶକ୍ତି ଅନୁସାରେ ଯାହା ଦେଇପାରିବ, ତାହା ଦାନ କରିବା ଉଚିତ୍‌ ବୋଲି ସେ ମତ ପ୍ରକାଶ କରିଛନ୍ତି । କୁଳବୃଦ୍ଧ ମଧୁସୂଦନ ନିଜର ବନ୍ଧୁମାନଙ୍କଠାରୁ ସମୟ ଦାନ ଚାହିଁଥିଲେ । ବନ୍ଧୁମାନଙ୍କ ନିକଟରେ ତାଙ୍କର ଅଳି ଥିଲା, ପ୍ରତିଦିନ ମତେ ତୁମ୍ଭେ ତୁମ୍ଭ ସମୟରୁ ପାଞ୍ଚମିନିଟ୍‌ ମାତ୍ର ଦିଅ । ଏଇ ପାଞ୍ଚମିନିଟ୍‌ ମାତ୍ର ଉତ୍କଳର ଉନ୍ନତି ନିମନ୍ତେ ଭାବିବା ପାଇଁ ସେ ଅନୁରୋଧ କରୁଥିଲେ-। ନନ୍ଦକିଶୋର କେବଳ ଧନଦାନ ଲୋଡ଼ି ନାହାନ୍ତି, ସେ ଚାହିଁଛନ୍ତି–

 

‘‘ମାତୃଭୂମି ସେବାକର, ଦେଇ ଯେଝା ଶକ୍ତି ଜ୍ଞାନୀ ଦେଉ ଜ୍ଞାନ,

ବଳ ଦେଉ ବଳବାନ, ପୁଣ୍ୟ ପୁଣ୍ୟ ଦାନ ବଡ଼ କିବା ସାନ ।

ଧନୀ ଧନ, ମାନୀ ମାନ, ମାତୃ ପୂଜା ପାଇଁ କାବ୍ୟ ଦେଉ କବି,

ବାକ୍ୟ ଦେଉ ବାଗ୍ମୀ ଓଲଟି ଯିବ ଅଳ୍ପଦିନେ ଜନ୍ମଭୂମି ଛବି ।’’

(ନିବେଦନ)

x x x x

‘‘ବୁଝନ୍ତୁ ମା’ ଉତ୍କଳୀୟେ ଜାତୀୟ ଜୀବନ,

ଜାତୀୟ ସାହିତ୍ୟ ବିନା ନ ହୁଏ ଗଠନ ।

ଜ୍ଞାନୀ ଦେଉ ଜ୍ଞାନ ଭକ୍ତ ଭକ୍ତି, ଧନୀ ଧନ,

କରନ୍ତୁ ଉତ୍କଳବାସୀ ସାହିତ୍ୟ ଗଠନ ।

ଜ୍ଞାନ ପ୍ରୀତି ଧର୍ମ ସଙ୍ଗେ ବିଷୟ ଉନ୍ନତି,

ପ୍ରକୃତ ଉନ୍ନତି, ଏହା ଘୋଷ ମା’ ଭାରତୀ ।’’

(ନିର୍ମାଲ୍ୟ-ଉତ୍କଳ ଭାରତୀ)

 

ଏହିପରି ବିସ୍ମୟ ଉତ୍ପାଦକ ପରିକଳ୍ପନାପୂର୍ଣ୍ଣ ବହୁ ଅଂଶ ଉଦ୍ଧାର କରାଯାଇପାରେ । ନନ୍ଦକିଶୋର ଅନ୍ୟ କବିମାନଙ୍କ ପରି କେବଳ ବେଦନା ପ୍ରକାଶ କରି ନାହାନ୍ତି; ଅଶ୍ରୁଧାର ଢାଳି ନାହାନ୍ତି, ରମଣୀ ତୁଲ୍ୟ ବିଳାପ କରି ନାହାନ୍ତି, କିନ୍ତୁ ଜଣେ ପ୍ରବୀଣ ରାଜନୀତିଜ୍ଞ ରୂପେ ଦେଶବାସୀଙ୍କ ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ରଖି ଯାଇଛନ୍ତି । ଆଜି ୧୯୫୫ ଖ୍ରୀଷ୍ଟାବ୍ଦରେ ମଧ୍ୟ (ସୀମା କମିଶନ୍‍ଙ୍କ ବିବରଣୀରେ ଓଡ଼ିଶା ପ୍ରତି ଘୋର ଅବିଚାର କରାଯାଇଛି ବୋଲି ଓଡ଼ିଶାର ପ୍ରଧାନମନ୍ତ୍ରୀ ବିଧାନସଭା ସଦନରେ ପ୍ରକାଶ କରିଛନ୍ତି)। ନନ୍ଦକିଶୋରଙ୍କର ଏ ଯୋଜନା କାର୍ଯ୍ୟକାରୀ କରାଯିବାର ଯେ ବିଶେଷ ଆବଶ୍ୟକତା ଅଛି, ଏ କଥା ଯେ କେହି ସ୍ୱୀକାର କରିବେ । ନନ୍ଦକିଶୋରଙ୍କ କବିତ୍ୱ ରାଜନୈତିକ କୂଟତନ୍ତ୍ରର ରଙ୍ଗରେ ଯେ ଅନୁରଞ୍ଜିତ ଥିଲା, ଏ ସବୁ ତହିଁର ପ୍ରମାଣ । ଆଗରୁ କୁହାଯାଇଛି, ନନ୍ଦକିଶୋର ଓଡ଼ିଶାର ସାସ୍କୃତିକ ସଂକଟ ବେଳେ ଉତ୍କଳ ଜନନୀଙ୍କର ଅଙ୍କ ମଣ୍ଡନ କରିଥିଲେ । ମାତାର ବେଦନା ଦୂର କରିବାପାଇଁ ବହୁ ସୁଯୋଗ୍ୟ ସନ୍ତାନ ଯେପରି ଉଦ୍ୟତ ଥିଲେ, ନନ୍ଦକିଶୋର ସେମାନଙ୍କ ସଙ୍ଗେ ସହଯୋଗ କରିବାକୁ ମଧ୍ୟ ଉନ୍ମୁଖ ଥିଲେ-। ଫଳରେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କିପରି ଶୀଘ୍ର ସାଧିତ ହେବ, ସେଥିପାଇଁ ତାଙ୍କୁ ସବୁବେଳେ ଚିନ୍ତା କରିବାକୁ ପଡ଼ିଥିଲା । ବହୁ ବିଳମ୍ୱରେ ଉତ୍କଳର ମୁଦ୍ରାଯନ୍ତ୍ର ପ୍ରତିଷ୍ଠିତ ହୋଇଥିଲା-। ପୁରାଣ ପ୍ରକାଶିକା କମ୍ପାନୀ କେତେଖଣ୍ଡି ପ୍ରାଚୀନ ଗ୍ରନ୍ଥ ଛାପିବାରୁ ପ୍ରତିବେଶୀମାନଙ୍କର ତୀବ୍ର ଆକ୍ରମଣରୁ ଓଡ଼ିଆ ସନ୍ତାନମାନେ କେତେକ ପରିମାଣରେ ଆତ୍ମରକ୍ଷା କରିବାକୁ ସମର୍ଥ ହୋଇଥିଲେ । ନନ୍ଦକିଶୋର, ସାରଳା, ଜଗନ୍ନାଥ, ଉପେନ୍ଦ୍ର, କବିସୂର୍ଯ୍ୟଙ୍କର ଦାୟାଦ ହୋଇ ଥିବାରୁ ଓଡ଼ିଆ ସାହିତ୍ୟ କଦାପି ଦୀନ ହୀନ ହୋଇ ନପାରେ, ଏହି ଦମ୍ଭ ଓ ଦୃଢ଼ ବିଶ୍ୱାସ ମନରେ ପୋଷଣ କରିଥିଲେ । ସେଥିପାଇଁ ପାରଳାରୁ ଶ୍ୟାମସୁନ୍ଦର ରାଜଗୁରୁ, ସମ୍ୱଲପୁରରୁ ଗଙ୍ଗାଧର, ପୁରୀରୁ ଗୋପବନ୍ଧୁ, କଟକରୁ ବିଶ୍ୱନାଥ ଓ ବାଲେଶ୍ୱରରୁ ଫକୀରମୋହନଙ୍କ ପରି ନନ୍ଦକିଶୋର ମଧ୍ୟ ଭାଷା ଓ ସାହିତ୍ୟର ଉନ୍ନତି ବିଧାନ କରିବାକୁ ବ୍ୟାକୁଳତା ପ୍ରକାଶ କରିଥିଲେ । ନନ୍ଦକିଶୋର ଚାଲି ଗଲେଣି ସତ କିନ୍ତୁ ତାଙ୍କର କେତୋଟି କବିତା ତାଙ୍କର ଏହି ମାତୃସାହିତ୍ୟ ସେବା ବ୍ରତର ମୂକ ସାକ୍ଷୀରୂପେ ଅଦ୍ୟାପି ଉତ୍କଳବାସୀଙ୍କ ହୃଦୟରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଜାଗ୍ରତ କରୁଅଛି । ହୃଦୟର ମୁଦ୍ରା ଘେନି ଝରି ପଡ଼ିଛି–

 

‘‘ଜାତୀୟ ସାହିତ୍ୟ ଉନ୍ନତି ନୋହିଲେ

ଜାତୀୟ ଉନ୍ନତି ନ ହୁଏ କେବେ,

ସାହିତ୍ୟ ଜାତୀୟ ଜୀବନ ଆଦର୍ଶ

ଉଠିଲେ, ସେ ଜାତି ଉଠଇ ତେବେ ।

ପ୍ରାଚୀନ ଉତ୍କଳ ସାହିତ୍ୟର ଏକ

ଇତିହାସ ହେଉ ଲେଖା ଉତ୍କଳେ,

ଉତ୍କଳ ଭାଷାର ହେବ ସମ୍ମୁତ୍‌ଥାନ

ଜାଗିବେ, ଭାରତୀ ନବୀନ ବଳେ ।’’

x x x x

‘‘ଓଡ଼ିଆ ଭାଷାକୁ କରି ଦେଲା ପଦାଘାତ,

ବିଦେଶୀୟ ଭାଷାକୁ ସେ କରି ପ୍ରଣିପାତ ।

ସେପରି ଉତ୍କଳ ସୁତେ ସୁସଭ୍ୟ ବ୍ରାହ୍ମଣ,

କହନ୍ତି ଏ କାପୁରୁଷ ଅକାଳ କୁଷ୍ମାଣ୍ଡ ।

ସମସ୍ତ ସ୍ୱଦେଶ ଭକ୍ତ ଏହି ଜଗତରେ

କିପାଇଁ ବିଦେଶୀ ଭକ୍ତ ଉତ୍କଳୀୟ ନରେ ।’

x x x x

ଓଡ଼ିଆ ମିଶ୍ରିତ ବଙ୍ଗଳା ସଙ୍ଗୀତ,

ଗାଆନ୍ତି ବୈଷ୍ଣବଗଣ

ମାତୃଭୂମି ମାତୃ ଦଶା ଭାଳିବାରେ

ବିକଳ ମୋହର ମନ

ସେ ଗୀତ ଶ୍ରବଣେ ଉତ୍କଳ ଭାଷାର

ଉଡ଼ି ପଳାଏ ଜୀବନ ।’

 

ନନ୍ଦକିଶୋର ଓଡ଼ିଶାରେ ଗତ ଶତାବ୍ଦୀର ଦ୍ୱିତୀୟ ଅର୍ଦ୍ଧରେ ବଙ୍ଗୀୟ କର୍ମଚାରୀମାନଙ୍କର ତାଣ୍ଡବଲୀଳା, ଯେପରି ଅପ୍ରତିବଦ୍ଧ ଭାବରେ ଚାଲିଥିଲା, ତାହା ସ୍ୱଚକ୍ଷୁରେ ଦେଖିଥିଲେ । ସେଥିପାଇଁ ସମସ୍ତ ବଙ୍ଗୀୟ ପ୍ରଭାବକୁ ପ୍ରତିହତ କରିବା ପାଇଁ, ସବୁବେଳେ ଚେଷ୍ଟିତ ଥିଲେ । ପ୍ରାୟ ଚାରିଶତ ବର୍ଷ ତଳେ ଚୈତନ୍ୟଙ୍କ ଆଗମନ ସଙ୍ଗେ ସଙ୍ଗେ ଉତ୍କଳ ଭୂମିରେ ବଙ୍ଗୀୟ ସଂସ୍କୃତିର ପ୍ରଭାବ ପଡ଼ିବାର ଆଶଙ୍କା କରି ସେତେବେଳର ଓଡ଼ିଆ ସାଧକମାନେ ବିହିତ ପ୍ରତିକାର କରିବା ପାଇଁ ଦୃଢ଼ପ୍ରତିଜ୍ଞ ଥିଲେ । ପଣ୍ଡିତ ନୀଳକଣ୍ଠ ଦାସ ପ୍ରମୁଖ ଏ ସମସ୍ତ ବିଷୟ ଯୁକ୍ତିଯୁକ୍ତ ଭାବରେ ବୁଝାଇ ଦେଇଛନ୍ତି । ନନ୍ଦକିଶୋରଙ୍କର ସମୟରେ, ଗତ ଶତାବ୍ଦୀର ଦ୍ୱିତୀୟ ଅର୍ଦ୍ଧରେ ଓଡ଼ିଶାର ପ୍ରତ୍ୟେକ କବି ବଙ୍ଗଳାର ପ୍ରଭାବକୁ ପରୋକ୍ଷରେ ଗ୍ରହଣ କରିଥିଲେ ମଧ୍ୟ ପ୍ରତ୍ୟକ୍ଷରେ ଉତ୍କଳର ନିଜସ୍ୱ ପ୍ରତିଷ୍ଠା ଓ ସ୍ୱାତନ୍ତ୍ର୍ୟ ସଂରକ୍ଷଣ ପାଇଁ ଦୃଢ଼ମତ ପୋଷଣ କରିଥିଲେ । ଏହି ଦୃଷ୍ଟିରେ ଦେଖିଲେ ନନ୍ଦକିଶୋରଙ୍କୁ ରାଧାନାଥଙ୍କ ପ୍ରବର୍ତ୍ତିତ ଜାତୀୟ ଯୁଗର ଜଣେ ଶ୍ରେଷ୍ଠ ସାଧକରୂପେ ଗ୍ରହଣ କରାଯାଇପାରେ ।

 

ଓଡ଼ିଆ ସାହିତ୍ୟର ଜାତୀୟ ଯୁଗ ଯେଉଁ କବିମାନଙ୍କର ଲେଖନୀ ଚାଳନା ଫଳରେ ପ୍ରବର୍ତ୍ତିତ ହେଲା, ସେମାନେ ଅନ୍ୟ ଗୋଟାଏ ଅସାଧାରଣ ଗୌରବର ସୁଯୋଗ୍ୟ ଅଧିକାରୀ ରାଧାନାଥ, ମଧୁସୂଦନ, ଫକୀରମୋହନ, ଗଙ୍ଗାଧର, ନନ୍ଦକିଶୋର, ଗୋପବନ୍ଧୁ, ଚିନ୍ତାମଣି, କୁନ୍ତଳାକୁମାରୀ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଏଇମାନେହିଁ ଅଷ୍ଟଦିଗ୍‌ଗଜ । ଏମାନେ ପ୍ରତ୍ୟେକେ ଜନ୍ମଭୂମି ଉତ୍କଳର ଶ୍ରୀ ସମ୍ପାଦନ ପାଇଁ ବ୍ୟଗ୍ରତା ପ୍ରକାଶ କରିଅଛନ୍ତି କିନ୍ତୁ ବିଖ୍ୟାତ ଇଂରେଜୀ କବି କିପ୍‌ଲିଂଙ୍କ ପରି ସ୍ୱଦେଶର ଶ୍ରେୟ ଓ ପର ଦେଶର ଅଶ୍ରେୟ କାମନା କରି ନାହାନ୍ତି-। ଅଧ୍ୟାପକ ବ୍ରହ୍ମାଙ୍କ ‘‘କୁସୁମାଞ୍ଜଳି ଆଲୋଚନା’’ର ଭାଷାରେ ଏମାନଙ୍କଠାରେ ଜାତୀୟତା ଓ ମହାଜାତୀୟତାର ଅପୂର୍ବ ସମନ୍ୱୟ ହୋଇଥିଲା । ଏମାନେ ସର୍ବଭାରତୀୟ ଭୂଖଣ୍ଡର ସମୂହ ଶ୍ରୀ ବର୍ଦ୍ଧନ କରିବାକୁ ଉଦ୍‌ଗ୍ରୀବ ଥିଲେ; ପୁଣି ଉତ୍କଳ ଜନନୀଙ୍କର ସୌନ୍ଦର୍ଯ୍ୟ ବର୍ଦ୍ଧନ କରି ସମଗ୍ର ଭାରତକୁ ସ୍ୱାଧୀନ ଓ ସ୍ୱତନ୍ତ୍ର କରିବାକୁ ଉତ୍କଣ୍ଠିତ ଥିଲେ । ଅତି ପ୍ରଚ୍ଛନ୍ନ ଭାବରେ ରାଧାନାଥ, ମଧୁସୂଦନ ଓ ଫକୀରମୋହନ ଶୋଷକ ବିଦେଶୀମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି-ବୈଦେଶିକମାନଙ୍କୁ ଏ ଦେଶରୁ ବିତାଡ଼ିତ କରି ଆର୍ଯ୍ୟ ସଂସ୍କୃତିର ଗୌରବ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ଳେଷ, ଚାତୁର୍ଯ୍ୟପୂର୍ଣ୍ଣ ଭଞ୍ଜ ସାହିତ୍ୟର ଏକାନ୍ତ ଉପାସକ ଗଙ୍ଗାଧର ଆମୂଳଚୂଳ ଶ୍ଳେଷ ଅଳଙ୍କାରପୂର୍ଣ୍ଣ ‘‘ଭାରତୀ ଭାବନା’’ ରଚନା କରି ବ୍ରିଟିଶ୍‌ ସରକାରଙ୍କର ଘୋର ନିନ୍ଦାବାଦ୍‍ କରିଛନ୍ତି । ଗୋପବନ୍ଧୁ, କୁନ୍ତଳାକୁମାରୀ ହତଧୈର୍ଯ୍ୟ ହୋଇ ଆର୍ତ୍ତନାଦରେ ବ୍ରିଟିଶ ସରକାରଙ୍କର ପ୍ରତ୍ୟକ୍ଷ ସମାଲୋଚନା କରିଅଛନ୍ତି । ନନ୍ଦକିଶୋର ଏ ସମସ୍ତଙ୍କର ସ୍ୱରସଙ୍ଗେ, ନିଜର ଗମ୍ଭୀର ସ୍ୱର ମିଳାଇ କେବଳ ଯେ ବ୍ରିଟିଶ୍‌ ସରକାରଙ୍କୁ ଦୂର କରିବାକୁ ପାଠକମାନଙ୍କୁ ଇଙ୍ଗିତ ଦେଇଛନ୍ତି, ତାହା ନୁହେଁ, ଜୀବନ ଧାରଣର ଆଧାର ସ୍ୱରୂପ ସାଧାରଣ ଲୁଣ ଆମଦାନିକୁ ଓଡ଼ିଶାରେ ଯେଉଁ ବିଖ୍ୟାତ ଲବଣ ସତ୍ୟାଗ୍ରହ ହେଉଥିଲା, ତାକୁ ମଧ୍ୟ ଲକ୍ଷ୍ୟ କରି ଲେଖିଛନ୍ତି-

 

‘ମହିମା ବାରିଧି ଅତୁଳ ସଂପଦ

ଅଧିକାରୀ ଆହେ ବ୍ରିଟିଶ ରାଜ,

ଲୁଣଗଣ୍ଡା ପାଇଁ କରିଦେଲ ମନା

କହିବାକୁ ମୋତେ ମାଡ଼ୁଛି ଲାଜ ।

 

ଏଥିକୁ ନନ୍ଦକିଶୋରଙ୍କର ଦୃଷ୍ଟି ବିଦେଶୀ ସରକାରଙ୍କର ଜାତୀୟ ଗ୍ଳାନିକର ବିଭିନ୍ନ କର୍ମକଳାପ କିପରି ବିଶ୍ଳେଷଣ କରି ଦେଖୁଥିଲା, ତାହା ସ୍ପଷ୍ଟ ଭାବରେ ଜଣାପଡ଼େ । ‘‘ଜନ୍ମଭୂମି’’ରେ ଜନ୍ମଭୂମିର ମହୋନ୍ନତି କାମନା କଲାପରି ‘‘ପ୍ରଭାତ ସଙ୍ଗୀତ’’ରେ ବନପ୍ରିୟକୁ ଉପଦେଶ ଦେବା ଛଳରେ ସର୍ବଭାରତୀୟ ଉଦ୍‌ବୋଧନ ଏବଂ ମୁକ୍ତି ଚାହିଁଛନ୍ତି । ତାହା ହେଉଛି-

 

ଏ ଜଗତେ ମାନବେ ବିଦ୍ୟାବଳ ବିଭବେ

ଲଭନ୍ତୁ ଶାନ୍ତି ସୁଖମାନ

ବିଶାଳ ଏ ଭାରତ ପ୍ରାଚୀନ ସମ୍ମୁନ୍ନତ

ହେବ ସେ ଭବିଷ୍ୟ ମହାନ

ପିକ ! ତୁ ଛାଡ଼ି କୁହୁ ସ୍ୱନ

ଭାରତେ କର ଉଦ୍‌ବୋଧନ

ପ୍ରବୃଦ୍ଧି ସୁଜାଗ୍ରତ ହେଉ ବିଶ୍ୱ ଭାରତ

ବିସ୍ମରି ବିଦ୍ଵେଷ ଅଜ୍ଞାନ ରେ ।

ଜନପ୍ରିୟ’’ !

 

ସୁତରାଂ ନନ୍ଦକିଶୋର କେବଳ ଜାତୀୟବାଦୀ ନୁହନ୍ତି ମହାଜାତୀୟବାଦୀ ମଧ୍ୟ । ସ୍ୱୀୟ ଜନନୀଙ୍କର ଉପାସକ ନୁହନ୍ତି ମାତମହୀଙ୍କର ପୂଜକ ମଧ୍ୟ । ଉତ୍କଳ ଭଷାଭାଷୀ ଭ୍ରାତା ଭଗିନୀମାନଙ୍କର ସୁଖ ସୌଭାଗ୍ୟର ଅଭିଳାଷୀ ନୁହନ୍ତି, ସମଗ୍ର ଭାରତର ସୁଖ ଶାନ୍ତିର କାମନାକାରୀ ମଧ୍ୟ ।

Image

 

ଶିଶୁରଞ୍ଜନ ନନ୍ଦକିଶୋର

 

ଓଡ଼ିଶାର ବୟୋଜ୍ୟେଷ୍ଠ ଓ ଜ୍ଞାନଗରିଷ୍ଠ ପଣ୍ଡିତ ନୀଳକଣ୍ଠ ଦାସ ‘‘କାବ୍ୟକଳା’’ର କୂଟ ସଙ୍କେତ ସମ୍ପର୍କରେ ଲେଖିଛନ୍ତି–ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାର ଏକାବେଳକେ ନମସ୍ୟ । ତାଙ୍କ ଡାମରାକାଉ ଅମର କୀର୍ତ୍ତି ଅର୍ଜନ କରି ବସିଛି, ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ-। ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୁର୍ତ୍ତି ହେଉଛି, ତାଙ୍କର ନାନାବାୟା ଗୀତ । ମା’କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି X X X ଇଂରେଜୀରେ ତାକୁ କହନ୍ତି, ‘‘Nursery songs’’–ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ ! ନନ୍ଦକିଶୋର ତା’ ନାଁ ଦେଇଛନ୍ତି ‘ନାନାବାୟା ଗୀତ’ X X ଏହା ସ୍ୱଭାବ ସୁନ୍ଦର । ବାସ୍ତବରେ ଏ କ୍ଷେତ୍ରରେ ନନ୍ଦକିଶୋର ଦୀର୍ଘ ଏକ ସହସ୍ର ବର୍ଷର କବି ସମାଜ ମଧ୍ୟରେ ଅଭାବନୀୟ ଗୌରବ ଲାଭ କରିଅଛନ୍ତି । ସେ ବାୟାଚଢ଼େଇ, ବଣିଚଢ଼େଇ, ପୋଷା କୁକୁର, ବିଲେଇ ନାନୀ, ଚୁଟିଆମୂଷା, ବେଙ୍ଗୁଲି ରାଣୀ, ବିଲୁଆ ଭାଇ, ବାଘଗୀତ, ପାରା ଯୋଡ଼ିକ, ଡାମରାକାଉ, ହୋରେ ବାୟା ହୋଓ, କୁଜିକାଉ, ଘରଚଟିଆ, ମହୁମାଛି, କକୁଛୁଆ ପ୍ରଭୃତି ଶିଶୁରଞ୍ଜନକାରୀ କବିତା ଲେଖି ଓଡ଼ିଆ ସାହିତ୍ୟରେ ଅମର ହୋଇଅଛନ୍ତି । କୋଇଲି ସାହିତ୍ୟରେ ମାର୍କଣ୍ଡ ଦାସଙ୍କର ଯେଉଁ ସ୍ଥାନ, ଚଉତିଶା ସାହିତ୍ୟରେ ମନବୋଧ ଚଉତିଶାରେ ଯେଉଁ ଆସନ, ଉତ୍କଳର ଶିଶୁରଂଜନ ସାହିତ୍ୟରେ ନାନାବାୟା ଗୀତର ସେହି ଆସନ । ନବ ପ୍ରକାଶିତ ନନ୍ଦକିଶୋର ଗ୍ରନ୍ଥାବଳୀର ମୁଖବନ୍ଧ ଲେଖକ ପଣ୍ଡିତ ନୀଳକଣ୍ଠ ଦାସ ଉଦ୍ଧୃତି ପ୍ରିୟ ନୁହନ୍ତି । କିନ୍ତୁ ସାତପୃଷ୍ଠା ମାତ୍ର ମୁଖବନ୍ଧ ଲେଖି ନାନାବାୟା ଗୀତରୁ ଏକ ପୃଷ୍ଠାବ୍ୟାପୀ ପଦ୍ୟାଂଶ ଉଦ୍ଧାର କରିଅଛନ୍ତି । ତେଣୁ ନନ୍ଦକିଶୋରଙ୍କର କୃତିତ୍ୱ ଓ ଏଇ ଅଭିନବ କବିତା କୌଶଳ ପ୍ରଦର୍ଶନ ଲାଗି ‘‘ନାନବାୟା ଗୀତ’’ର କିୟଦଂଶ ଉଦ୍ଧାର ନକରି ରହି ହେଉନାହିଁ ।

 

ଚାଲୁଣି ଚଳଉଁ ଚଳଉଁ

ପାଇଲଇଁ ମୁଁ ଗୋଡ଼ି,

କି ସୁନ୍ଦର ପାରା ଯୋଡ଼ିକ

ଯାଉଅଛନ୍ତି ଉଡ଼ି ।

ଆସ ଆସ ପାରା ଯୋଡ଼ିକ

ମୋର ପିଣ୍ଡାରେ ବସ,

ଖାଇବାକୁ ଦେବି ତୁମକୁ

ମୁହିଁ ନଡ଼ିଆ ରସ ।

ପିଇବାକୁ ଦେବି ତୁମକୁ

ବେଣ୍ଟ ପୋଖରୀ ପାଣି,

ଶୋଇବାକୁ ଦେବି ଖଟୁଲି

ମାଳି ଘରୁ ମୁଁ ଆଣି ।

X X X X

‘‘ଚୁଟିଆ ମୂଷାରେ ଚଟେଇ ମୂଷି,

ଧାନ ଅମାରକ ଖାଉଥା ବସି ।

କରୁଥା ଯାହା ତୋ ମନର ଖୁସି,

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୁନ ।

ଟୁକୁ ମୂଷାରେ ଟୁକେଇ ମୂଷି,

ଖାଇବୁ ଯେତେକ ଖାଆରେ ଖୁସି ।’’

X X X

‘‘ବିଲୁଆ ଭାଇରେ ବିଲୁଆ ଭାଇ,

ଏତେ ବୋବାଉ ତୁ କୋଉଥି ପାଇଁ ?

ବୋବାଇ ଉଠୁ ତୁ ‘ହୁକେ ହୋଓ’

କୁକୁର ଭୁକଇ ‘ଭୋଓ ଭୋଓ’

ହୁକେ ହୋଓରେ ହୁକେ ହୋଓ

କେତେ ବୋବାଉଛୁ ଶୋଓରେ ଶୋଓ ।’’

X X X

‘‘ଖରା କରୁଅଛି ମେଘ କରୁଛି

ବିଲୁଆ ପୁଅର ବାହା ହେଉଛି,

ବିଲୁଆ ନନାରେ ବୁଲୁଆ ନନା

ଘର ପୋଡ଼ିଗଲା ପଛକୁ ଅନା ।’’

X X X

ଡାମରା କାଉରେ ଡାମରା କାଉ,

ଉଞ୍ଚ ପରବତେ ବୋବାଉ ଥାଉ ।

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା,

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ,

ଭାଇଙ୍କୁ ଡକାଇ କଉଡ଼ି ଗଣ ।

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳ ପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀ ଗାଈ ମଥାନ କଲା ।

ଆସ ଗୋ ସଙ୍ଗାତ ଗାଧୋଇ ଯିବା,

କଇଞ୍ଚି କାକୁଡ଼ି ତୋଳି ଆଣିବା ।

କଇଞ୍ଚି କାକୁଡ଼ି ମୁଣ୍ଡରେ ପିତା,

ଛଅ ବୋହୂଙ୍କର ଛଅ ଦୁହିତା ।

X X X

‘‘ଦିନତ ଯାଇଛି ରାତିତ ଆସିଛି

ହୋଓର ବାଇଆ ହୋଓ,

ଝଙ୍କାଳିଆ ଗଛେ ଗହଳିଆ ଡାଳେ

ତୁନି ହୋଇ କରି ଶୋଓ ।

ଦିନ ତ ଯାଇଛି ରାତିତ ଆସିଛି

ହୋଓରେ ବାଇଆ ହୋଓ,

ହାଣ୍ଡିଶାଳ ପାଖେ ଚୁଲି ମୁଣ୍ଡରେ ତୁ

ଉଷୁମ ଜାଗାରେ ଶୋଓ ।

ଦିନତ ଯାଇଛି ରାତିତ ଆସିଛି

ହୋଓରେ କୁକୁର ହୋଓ,

ଦାଣ୍ଡ ପାଆଭାଗେ ପଥର ପାହାଚେ

କାନ ଡେରି କରି ଶୋଓ ।’’

 

ଏହି ଉଦ୍ଧୃତିଗୁଡ଼ିକରେ କବିଙ୍କର ଯେଉଁ ବିଶେଷତ୍ଵ ପ୍ରତିଫଳିତ, ତହିଁରେ ତାଙ୍କର ନୈସର୍ଗିକ କବିତ୍ୱ ଶକ୍ତି ସଙ୍ଗେ ଗଭୀର ଦେଶ ପ୍ରୀତି ନିରବଚ୍ଛିନ୍ନ ଭାବରେ ବିଜଡ଼ିତ ରହିଛି । କବିଙ୍କର ସମସାମୟିକ ଓ ବାଲ୍ୟବନ୍ଧୁ ସ୍ୱର୍ଗତଃ ଗୋପାଳଚନ୍ଦ୍ର ପ୍ରହରାଜ ‘‘ଉତ୍କଳ କାହାଣୀ’’ ‘‘ଧୋରେ ବାୟା ଧୋ’’ ଏବଂ ଉତ୍କଳର ଢଗଢ଼ମାଳୀ ସଂଗ୍ରହ ପ୍ରକାଶ କରି ଜାତୀୟ ସାହିତ୍ୟ ଭଣ୍ଡାରକୁ ପୂର୍ବ କବି ମଣ୍ଡଳୀର ଅପରିଚିତ ବା ଅବହେଳିତ ଗୋଟାଏ ନୂତନ ରତ୍ନ ଖଣ୍ଡ ଦାନ କରିଅଛନ୍ତି । ଓଡ଼ିଶାର ପଲ୍ଲୀ ସାହିତ୍ୟର ନିଦର୍ଶନ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ରଙ୍କର ହିନ୍ଦୀ ଅନୁବାଦ ମାଧ୍ୟମରେ ଉପଭୋଗ କରିବାକୁ ସମର୍ଥ ହୋଇ ଆଧୁନିକ ଭାରତର ବହୁ ତୁଙ୍ଗ ନେତା ସେ ସମସ୍ତର ଭୂୟୋସୀ ପ୍ରଶଂସା କରିଅଛନ୍ତି । ସେହି ପରମ୍ପରାରେ ଅନୁପ୍ରାଣୀତ ହୋଇ ଶ୍ରୀଯୁକ୍ତ କୁଞ୍ଜବିହାରୀ ଦାସ ‘‘ପଲ୍ଲୀଗୀତି ସଞ୍ଚୟନ’’ ପ୍ରକାଶ କରି, ଯଶସ୍ୱୀ ହୋଇଅଛନ୍ତି ।

 

ପ୍ରକୃତରେ ଦେଖିବାକୁ ଗଲେ ନନ୍ଦକିଶୋର ଏ ବଳିଷ୍ଠ ସାହିତ୍ୟ ପରମ୍ପରାର ଆଦ୍ୟ ଉତ୍ସ-। ତାଙ୍କର ‘‘ନାନାବାୟା ଗୀତ’’ର କବିତାଗୁଡ଼ିକ ଏକ ପକ୍ଷରେ ଯେପରି ମୌଳିକ କଳାକୁଶଳତାର ମଧୁମୟ ପ୍ରଲେପରେ ଅନୁଲେପିତ, ଅନ୍ୟପକ୍ଷରେ ସେହିପରି ତଥା କଥିତ ଅଶିକ୍ଷିତ ଗ୍ରାମ୍ୟ ନରନାରୀଙ୍କର କଣ୍ଠରୁ ସଂଗୃହୀତ ‘‘ଧୋରେ ବାୟା ଧୋ’’ କିମ୍ୱା ‘‘ବିଲୁଆ ନନାରେ ବିଲୁଆ ନନା’’ କିମ୍ୱା ‘‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର’’ ପ୍ରଭୃତି କବିତାଗୁଡ଼ିକର ବହୁଅଂଶ ଅସଙ୍କଳିତ ପଲ୍ଲୀ ସାହିତ୍ୟରୁ ସେ ସଂଗ୍ରହ କରିଥିଲେ । ପୁଣି ସେ ପ୍ରକାର କବିତା ସୃଷ୍ଟି କରିବା ପାଇଁ ତାଙ୍କର ବଳିଷ୍ଠ ଶକ୍ତି ଥିବାରୁ ସେହି ମୌଳିକ ରଚନା ତୁଲ୍ୟ ବହୁ ଅଂଶ ନିଜେ ରଚନା କରି ତହିଁରେ ଗ୍ରଥିତ କରିଦେଇଅଛନ୍ତି ମାତ୍ର । ଅନେକ କବିତା ହୁଏତ ନିରର୍ଥକ, କିନ୍ତୁ ସଙ୍ଗୀତର ମହତ୍ୱ କେବଳ ଭାଷାର ଅର୍ଥ ପୂର୍ଣ୍ଣତାରେ ନାହିଁ–ଅଛି ମନୋରମ ରାଗିଣୀରେ ହୃଦୟକୁ ପରସ୍ପନ୍ଦିତ କରିବାରେ । ନନ୍ଦକିଶୋରଙ୍କର ଏଇ କବିତାବଳୀ ଅଦ୍ୟାପି ପ୍ରତ୍ୟେକ ସନ୍ତାନବତୀ ଉତ୍କଳୀୟ ରମଣୀର ପରମ ସମ୍ପଦ । କୁନ୍ତଳାକୁମାରୀଙ୍କ ଭାଷାରେ-

 

‘‘ଭୁଲ ଲାଗେ ପରା ସ୍ଥବିର ସ୍ତୁତିରେ

ଭୁଲ ଭରା ଗୁଲ୍‌ ଗୁଲ୍‍ ଦରୋଟି ।’

 

ନନ୍ଦକିଶୋରଙ୍କର ଶିଶୁରଞ୍ଜନ କବିତାବଳୀ ବୟୋବୃଦ୍ଧଙ୍କର ମଧ୍ୟ, ଆଜି ହୃଦୟରେ ମଧୁର ସ୍ପନ୍ଦନ ସୃଷ୍ଟି କରେ । ପଣ୍ଡିତ ନୀଳକଣ୍ଠଙ୍କର ସ୍ୱ ଅନୁଭୂତି ଏଥିର ଅନ୍ୟତମ ପ୍ରମାଣ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଏଇ ଶିଶୁରଞ୍ଜନ କବିତାବଳୀରେ ଓଡ଼ିଆ ଛନ୍ଦ ଓ ଓଡ଼ିଆ ଭାଷାତତ୍ତ୍ୱର ବିଚାର ଲାଗି ଯଥେଷ୍ଟ ଉପାଦାନ ରହିଛି । ପୁଣି ଏଥିରେ ଅନେକ ଶବ୍ଦ ବା ପବ ଅନେକ ଢଗଢ଼ମାଳୀର ପ୍ରଥମ ଧାଡ଼ି ପରି ଏକାନ୍ତ ନିରର୍ଥକ ହେଲେ ମଧ୍ୟ ଶିଶୁଚିତ୍ତକୁ ଅନୁରଞ୍ଜନ କରିବାକୁ ସମର୍ଥ । ସେଥିପାଇଁ ଘରେ ଘରେ ଏଇ କବିତାବଳୀର ଆଦର । ପଶୁପକ୍ଷୀ ଆମର ଚିର ସହଚର ଓ ଚିର ପରିଚିତ ବନ୍ଧୁ । ସେଇମାନଙ୍କୁ କେନ୍ଦ୍ରକରି ଯେପରି ଶିଶୁ ସମାଜର ମନସ୍ତତ୍ତ୍ୱ ‘‘ନାନ ବାୟା ଗୀତ’’ରେ ବିଶ୍ଳେଷଣ କରିବା ପ୍ରୟାସ କରାଯାଇଛି, ତାହା ଶିକ୍ଷା ବିଜ୍ଞାନ ଓ ମନସ୍ତତ୍ତ୍ୱ ଦୃଷ୍ଟିରୁ ମଧ୍ୟ ଗଭୀର ପ୍ରଣିଧାନର ବିଷୟ । କିନ୍ତୁ ଶ୍ରେଷ୍ଠ ସାହିତ୍ୟରେ ରସ ସମ୍ପଦରେ ଏ କବିତାଗୁଡ଼ିକ ପରିପୂର୍ଣ୍ଣ-। ସେଥିପାଇଁ ନନ୍ଦକିଶୋର ପଲ୍ଲୀଚିତ୍ର ମାଧ୍ୟମରେ ଯେପରି ପଲ୍ଲୀବାସୀଙ୍କର ଆଦରଣୀୟ ହୋଇଛନ୍ତି, ଜନ୍ମଭୂମିରେ ସ୍ୱଦେଶପ୍ରେମୀ ଓଡ଼ିଆମାନଙ୍କର ଯେପରି ଅଭିନନ୍ଦନୀୟ ହୋଇଛନ୍ତି, ନାନାବାୟା ଗୀତରେ ସେହିପରି ଓଡ଼ିଆ ମାତୃକୁଳର ଓ ଶିଶୁ ସମାଜର ପରମ ଆଭିନନ୍ଦନୀୟ ହୋଇ ପଡ଼ିଛନ୍ତି । ଓଡ଼ିଆ ସାହିତ୍ୟରେ ବାସ୍ତବିକ ଏଇ ଦିଗରେ ଅଦ୍ୟାପି ତାଙ୍କୁ କେହି ଅତିକ୍ରମ କରିନାହିଁ ।

 

ଶେଷରେ ‘‘ନାନାବାୟା ଗୀତ’’ ସମ୍ପର୍କରେ କବିଙ୍କର ନିଜ ଅଭିମତରୁ କିୟଦଂଶ ଉଦ୍ଧାର କରିବାର ଲୋଭ ସଂଭରଣ କରି ହେଉ ନାହିଁ । କବି ଜୀବନରେ ଶିକ୍ଷକ ଭାବରେ ଛାତ୍ର ସମାଜ ସଙ୍ଗେ ଗଭୀର ଭାବେ ସମ୍ପୃକ୍ତ ଥିବାରୁ ଶିଶୁମାନଙ୍କର ମନସ୍ତତ୍ତ୍ୱ ଜାଣିବାର ବିଶେଷ ସୁଯୋଗ ପାଇଥିଲେ । ସେହି ମନସ୍ତାତ୍ତ୍ୱିକ ଭିତ୍ତିରେ ଦଣ୍ଡାୟମାନ ହୋଇ ସେ ଲେଖିଛନ୍ତି– ‘‘ଶିଶୁମାନେ ସ୍ୱରଚିତ କିମ୍ୱା ଅନ୍ୟ ରଚିତ ଗୀତ ଗାଇ ନାଚିକୁଦି ବୁଲନ୍ତି X X ଶିଶୁ ସ୍ୱଭାବତଃ ଯେଉଁ ସବୁ ପଦାର୍ଥ ଓ ବିଷୟ ଦେଖିବା, ଶୁଣିବା, ସ୍ପର୍ଶ କରିବା, ଆଘ୍ରାଣ ଓ ଆସ୍ୱାଦନ କରିବାରେ ଆନନ୍ଦ ପ୍ରକାଶ କରେ, ସେହି ସବୁ ପଦାର୍ଥ ଓ ବିଷୟ ସାହାଯ୍ୟରେ ତାହାକୁ ଜ୍ଞାନ ପଥରେ ଅଗ୍ରସର କରାଇବାହିଁ ଶ୍ରେଷ୍ଠ ପନ୍ଥା X X X ଶିଶୁମାନେ ସାଧାରଣତଃ ଗୃହପାଳିତ ପଶୁପକ୍ଷୀ, ବୃକ୍ଷଲତା, ଆକାଶ, ବୃଷ୍ଟି, ନଦୀ ପ୍ରଭୃତି ଯେଉଁ ସବୁ ପ୍ରାଣୀ ଦୃଶ୍ୟ ଓ ପଦାର୍ଥ ଚାରିଆଡ଼େ ଦେଖନ୍ତି, ସେମାନଙ୍କ ପ୍ରତି ସେମାନଙ୍କର ସ୍ନେହ ସହାନୁଭୂତି, କୌତୂହଳ ଜାଗ୍ରତ ଓ ବର୍ଦ୍ଧିତ ହୁଏ । + + + ଶିଶୁ ସମ୍ମୁଖରେ ସ୍ୱଭାବ ପୂର୍ଣ୍ଣ ଗୀତ ଉପସ୍ଥାପିତ ନ କଲେ ସେ ମନ୍ଦ ଗୀତ ଦ୍ୱାରା ତାହାର ସ୍ୱାଭାବିକ ତୃଷ୍ଣାର ଉପସମ କରାଇବ ।’’ ୧୯୧୫ ଖୀଷ୍ଟାବ୍ଦରେ ଆମର ଆଲୋଚ୍ୟ କବି ଏ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ଶିଶୁ ମନସ୍ତତ୍ତ୍ୱର ଚିରନ୍ତନ ସତ୍ୟ ଉପରେ ପ୍ରତିଷ୍ଠିତ । ସେହି ସମୟରୁ ବର୍ତ୍ତମାନ ୪୦ ବର୍ଷ ଅତୀତ ହୋଇଗଲାଣି କିନ୍ତୁ ନନ୍ଦକିଶୋରଙ୍କ ଶିଶୁରଞ୍ଜନ କବିତାବଳୀ ସମକକ୍ଷ ହେବା ଭଳି ୪୦ଟି କବିତା ମଧ୍ୟ ପ୍ରକାଶ ପାଇନାହିଁ । ଏ ସବୁ ବିଚାରରେ ଶିଶୁରଞ୍ଜନକାରୀ ନନ୍ଦକିଶୋର ପ୍ରକୃତରେ ଓଡ଼ିଶାର ଶିଶୁ ସଂସାରର ଶ୍ରେଷ୍ଠ ଶିକ୍ଷକ ।

Image

 

ଗୀତିକବି ନନ୍ଦକିଶୋର

 

ନନ୍ଦକିଶୋରଙ୍କର ଲେଖନୀ ବିଭିନ୍ନ ଦିଗରେ ଚାଳିତ ହୋଇଥିଲା । ସେ ରାଧାନାଥଙ୍କ ଶୈଳୀ ଅନୁସରଣ କରି ଯେପରି କାବ୍ୟ ରଚନା କରିଥିଲେ, ମଧୁସୂଦନଙ୍କର ପନ୍ଥା ଅବଲମ୍ୱନ କରି ସେହିପରି ଗୀତି କବିତା ଲେଖିବାକୁ ପ୍ରୟାସୀ ହୋଇଥିଲେ । ତାଙ୍କର ଗୀତିଗୁଚ୍ଛମାନଙ୍କ ମଧ୍ୟରେ ପ୍ରଭାତ ସଙ୍ଗୀତ, ତରଙ୍ଗିଣୀ, ବସନ୍ତ କୋକିଳ, ନିର୍ଝରିଣୀ, ପଲ୍ଲୀଚିତ୍ର, ନିର୍ମାଲ୍ୟ, ସଂଧ୍ୟାସଙ୍ଗୀତ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଗୀତିକବିତାର ଏକରସମୂଳକତା, ପଦଲାଳିତ୍ୟ, ଭାଷାର ସଂଯମ ଏବଂ ଭାଷାର ସଂଯତ ପ୍ରକାଶ ନନ୍ଦକିଶୋରଙ୍କ କବିତାରେ ଦେଖିବାକୁ ମିଳେ । ଯେଉଁ ନନ୍ଦକିଶୋର ନାନାବାୟା ଗୀତର ଲେଖକ, ସେହି ନନ୍ଦକିଶୋର ପୁଣି ସଂଯତ ସାଧୁଭାଷାପୂର୍ଣ୍ଣ ଉଚ୍ଚାଙ୍ଗ ସାହିତ୍ୟର ସ୍ରଷ୍ଟା । ଭାବର ଗାମ୍ଭୀର୍ଯ୍ୟ ଓ ଚିନ୍ତାର ପ୍ରଖରତାରେ ନନ୍ଦକିଶୋରଙ୍କ ସାହିତ୍ୟ ଉତ୍ତରଳ । ପ୍ରଚାରକର ମନ୍ଦ୍ରନାଦ ଓ ସ୍ରଷ୍ଟାର କୋମଳ କଳ୍ପନା ନନ୍ଦକିଶୋରଙ୍କଠାରେ ଏକତ୍ର ଦେଖିବାକୁ ମିଳେ-। ଦୃଷ୍ଟାନ୍ତ ସ୍ୱରୂପ–ତାଙ୍କର ‘‘ଉତ୍କଳ ପ୍ରଭାତ’’ (ଜନ୍ମଭୂମି), ପୁଷ୍ପ (ଚାରୁଚିତ୍ର), ସଂଧ୍ୟା (ଚାରୁଚିତ୍ର) ନବବଧୂ (ତରଙ୍ଗିଣୀ), ଏକାଟିଆ ଚଷାଗୀତ (ବସନ୍ତ କୋକିଳ) ପ୍ରଭୃତି କବିତାରେ, ତାଙ୍କର ଭାବ ପ୍ରକାଶର ବିଚିତ୍ର କୌଶଳ ଲକ୍ଷ୍ୟ କରାଯାଇପାରେ । ମଧୁସୂଦନଙ୍କ ପରି ସେ ଚତୁର୍ଦ୍ଦଶପଦୀ କବିତାରେ ମଧ୍ୟ ସିଦ୍ଧହସ୍ତତା ଦେଖାଇଛନ୍ତି । ନିର୍ମାଲ୍ୟର ‘‘ଆଦର୍ଶ ଗୀତ’’ ପ୍ରଭାତ ସଙ୍ଗୀତର ‘‘ଅକର୍ମାର ଆତ୍ମଗର୍ବ ଓ ଶତ୍ରୁମିତ୍ର’’ କିମ୍ୱା ‘‘ଆଲୋକ ଓ ଅଂଧାର’’ ପ୍ରଭୃତି ପାଠକଲେ ତାଙ୍କର ଚତୁର୍ଦ୍ଦଶପଦୀ କବିତା ରଚନା ଶକ୍ତିର ଉତ୍ତମ ପରିଚୟ ମିଳିବ । ‘‘ଚିତ୍ରୋତ୍ପଳା ତଟେ ସଂଧ୍ୟା’’ ‘‘ବିରୂପା ତଟେ’’ ‘‘ତୀର୍ଥ ଯାତ୍ରା’’ ‘‘ନୀଳାଦ୍ରି କନ୍ଦର’’ ପ୍ରଭୃତିରେ କବି କେବଳ ଯେ ଐତିହାସିକ ଜ୍ଞାନ ପ୍ରଦର୍ଶନ କରିଛନ୍ତି, ତାହା ନୁହେଁ, ଛବିଳ କଳ୍ପନାରେ ପାଠକମାନଙ୍କୁ ବିମଳ ଆନନ୍ଦ ବିତରଣ କରିଅଛନ୍ତି । ପୁଣି ସେମାନଙ୍କର ଚିନ୍ତାଲାଗି ଯଥେଷ୍ଟ ଖାଦ୍ୟ ଯୋଗାଇ ଦେଇଛନ୍ତି-। ନନ୍ଦକିଶୋରଙ୍କର ଗୀତି କବିତାର କୌଶଳ ହେଉଛି ଅଳ୍ପ ପରିସର ମଧ୍ୟରେ ନାନା ବିଷୟ ବସ୍ତୁର ଉପସ୍ଥାପନ ଓ ବିବିଧ ତଥା ବିଭିନ୍ନ ଚିନ୍ତାର ବିଚିତ୍ର ସମନ୍ୱୟ ।

 

ବେଳେ ବେଳେ ପ୍ରଶ୍ନ ଉଠେ ଗୀତି କବିରୂପେ ନନ୍ଦକିଶୋରଙ୍କର ଯଦି ବାସ୍ତବରେ ଏତେ କୃତିତ୍ୱ ପ୍ରଦର୍ଶିତ ହୋଇଛି, ତାହାହେଲେ ତାଙ୍କର ସୁନାମ ଗୀତି କବି ରୂପେ କାହିଁକି ପ୍ରଚାରିତ ହୋଇନାହିଁ ? ଏହାର କାରଣ ଦର୍ଶାଇବାକୁ ହେଲେ ଗୋଟାଏ ଦୃଷ୍ଟାନ୍ତ ଦେବା ଆବଶ୍ୟକ ମନେହୁଏ । ବ୍ୟାସକବି ଫକୀର ମୋହନ ଓଡ଼ିଶାରେ ଯେପରି ଶ୍ରେଷ୍ଠ ଔପନ୍ୟାସିକ, ସେହିପରି ଜଣେ ଉଚ୍ଚ ଦରର କବି । କିନ୍ତୁ ଔପନ୍ୟାସିକ ରୂପେ ସେ ଏପରି ଅସାଧାରଣ ପ୍ରତିଷ୍ଠା ଲାଭ କରିଛନ୍ତି ଯେ, ତାହା ତୁଳନାରେ ତାଙ୍କର କବି ପ୍ରତିଭା ବା କାବ୍ୟରଚନା ଶକ୍ତି ନିଷ୍ପ୍ରଭ ହୋଇଯାଏ । କିନ୍ତୁ ଓଡ଼ିଶାର କେତେଜଣ କବି ବୌଦ୍ଧାବତାର କାବ୍ୟପରି ମହାକାବ୍ୟ ରଚନା କରିଅଛନ୍ତି ଅବଶ୍ୟ ‘ଅବସର ବାସରେ’ ପରି କବିତାଗୁଚ୍ଛ ରଚନା କରିଅଛନ୍ତି ? ଠିକ୍‌ ସେହିପରି ନନ୍ଦକିଶୋର ପଲ୍ଲୀଚିତ୍ର ଅଙ୍କନରେ, ଶିଶୁରଞ୍ଜନ କବିତା ସୃଷ୍ଟିରେ ଏପରି ଜନପ୍ରିୟତା ଉପାର୍ଜ୍ଜନ କରିଅଛନ୍ତି ଯେ, ତାହା ତୁଳନାରେ ତାଙ୍କର ଗୀତିଗୁଡ଼ିକ ଟିକିଏ ମଳିନ ହୋଇ ପଡ଼ିଛି । ଏପରିକି ‘‘କନକ ଲତା’’ ଉପନ୍ୟାସ ଖଣ୍ଡିକ ଯଦି ଅନେକ ବର୍ଷଧରି ପାଠ୍ୟପୁସ୍ତକ ହୋଇ ନ ଥାନ୍ତା, ତାହାହେଲେ ହୁଏତ, କବି ଶେଖର ଚିନ୍ତାମଣି ମହାନ୍ତିଙ୍କ ବହୁ ଉପନ୍ୟାସର ଦଶା, ଏଇ ଉପନ୍ୟାସଟିକୁ ଭୋଗ କରିବାକୁ ପଡ଼ିଥାଆନ୍ତା । ନନ୍ଦକିଶୋରଙ୍କର ଚିନ୍ତା କିପରି ସୁଶୃଙ୍ଖଳ ହୋଇ ପ୍ରକାଶ ପାଉଥିଲା, କେତେ ଭାବରେ ଗୋଟିଏ ତତ୍ତ୍ୱକୁ ପ୍ରକାଶ କରିବାକୁ ସେ ଚେଷ୍ଟା କରୁଥିଲେ, ତାହାର ଦୃଷ୍ଟାନ୍ତ ବହୁ କବିତାରୁ ପ୍ରତିପାଦନ କରାଯାଇ ପାରେ । ତଳେ ‘‘ଭାବ କୁସୁମ’’ର କେତୋଟି ପଂକ୍ତି ଉଦ୍ଧାର କରାଯାଉଛି–

 

‘‘ଆଜି ଦିନ ଚାଲିଗଲେ

ଆଉ ନ ଫେରିବ,

ଏ ଭାବଟି ହଜିଗଲେ

ଆଉ ନ ମିଳିବ ।

ଏ ଫୁଲଟି ଝଡ଼ିଗଲେ

ଆଉ ନ ଫୁଟିବ,

ଏ ଦୀପଟି ଲିଭିଗଲେ

ଆଉ ନ ଜଳିବ ।

କେତେ ନୂଆ ନୂଆ ଦିନ

ଜଗତେ ଆସିବ,

କେତେ ନୂଆ ନୂଆ ଭାବ

ପରାଣେ ଉଦିବ ।

କେତେ ନୂଆ ନୂଆ ଫୁଲ

ଜଗତେ ଫୁଟିବ,

କେତେ ନୂଆ ନୂଆ ଦୀପ

ନିଶୀଥେ ଜଳିବ,

ଯେ ଗଲା ସେ ଗଲା ଆହା

ଆଉ ନ ଫେରିବ;

 

ପୁଣି କି ରୁକୁଣା ରଥ

ବାହୁଡ଼ି ଆସିବ ।’’

(ପ୍ରଭାତ ସଙ୍ଗୀତ)

 

ଏହିପରି ଭାବର ପ୍ରାଞ୍ଜଳ ପ୍ରକାଶ ସଙ୍ଗେ ପରିସ୍ଥିତି ସୃଷ୍ଟି କରିବାର ଶକ୍ତିମତ୍ତା ନନ୍ଦକିଶୋରଙ୍କର ଅନେକ କବିତାରେ ଦେଖାଯାଏ । ‘‘ନିର୍ଝରିଣୀ’’ର–

 

‘‘ତାଳ ବାହୁଙ୍ଗାରେ ଲୁଚି କୁମ୍ଭାଟୁଆ

ରାବୁଥିଲା ହୁଉଁ ହୁଉଁ

ଝିପି ଝିପି ମେଘ ବରଷି ଆସିଲା

ଦେଖୁ ଦେଖୁ ଦୁମୁ ଦୁମୁ ।

ବାୟା ମେଘ ଦେଖି ବାୟା ପରି ହୋଇ

ନାଚି ନାଚି ଶିଶୁମାନେ

କରତାଳି ଦେଇ ଗୀତ ଗାଉଥିଲେ

ଘୋର ଉଚ୍ଚ ତାନ ମାନେ ।’’

 

ଅଥବା ‘‘ସଂଧ୍ୟା ସଙ୍ଗୀତ’’ର ବର୍ଷା ଚିତ୍ରର ଅନ୍ୟ ଏକ ପଂକ୍ତି ଉଦ୍ଧାର କରାଯାଇପାରେ-

 

‘‘ଘୋର ଗର୍ଜନେ ଆସୁଛି ବରଷା,

ମେଘ ମନ୍ଦ୍ରଇ ଗଗନେ,

ଚପଳା ଚମକେ ଦିଗ ଚମକିତ

ଶୁଭ୍ରେ-ମର୍ମର କାନନେ ।

ଝରେ ଝର୍ଝର ଗିରି ନିର୍ଝର

କଳ ସଙ୍ଗୀତେ ତଟିନୀ,

ପ୍ରେମ ଚଞ୍ଚଳେ ଯାଏ ଉତ୍ତାଳେ

ହେବାକୁ ସିଂଧୁ ବାସିନୀ ।’

 

ଏଗୁଡ଼ିକରେ ଭାଷା ଓ ଭାବର ବିଚିତ୍ର ସମନ୍ୱୟ ଦେଖିବାକୁ ମିଳେ । ନନ୍ଦକିଶୋର ତେଣୁ ଯଥାର୍ଥରେ ନିଜର ବହୁମୁଖୀ କବି ପ୍ରତିଭାର ସଦ୍‍ବ୍ୟବହାର କରି, ଓଡ଼ିଆଗୀତ ସାହିତ୍ୟକୁ ନିଜର ଯଥାଶକ୍ତି ଦାନ କରି ଉତ୍କଳ ଜନନୀଙ୍କର ସେବାରେ ଆତ୍ମନିୟୋଗ କରିଅଛନ୍ତି ।

Image

 

ସମାଲୋଚକ ନନ୍ଦକିଶୋର

 

ନନ୍ଦକିଶୋର ଓଡ଼ିଆ ସାହିତ୍ୟର କେବଳ ଯେ ଜଣେ ବରେଣ୍ୟ କବି ତାହା ନୁହେଁ, ସେ ଜଣେ ବିଶିଷ୍ଟ ସମାଲୋଚକ ମଧ୍ୟ । ତଙ୍କ ନିଜ ଭାଷାରେ ‘‘ସମାଲୋଚନା ଜାତୀୟ ସାହିତ୍ୟର ଗୋଟିଏ ପ୍ରଧାନ ଓ ପ୍ରକୃଷ୍ଟ ଅଙ୍ଗ । ଉତ୍କଳ ସାହିତ୍ୟ ଭଣ୍ଡାରରେ ଏହି ଶ୍ରେଣୀର ପ୍ରବନ୍ଧ ବିଶେଷ ନାହିଁ ।’’ (ନ: କି: ଗ୍ରନ୍ଥାବଳୀ ୯୫୦ ପୃଷ୍ଠା)ବୋଧହୁଏ ମାତୃସାହିତ୍ୟର ଏକାନ୍ତ ସମ୍ମୁନ୍ନତକାମୀ ପଲ୍ଲୀକବିଙ୍କର ଅନ୍ତର, ସାହିତ୍ୟ ଭଣ୍ଡାରରେ ସମାଲୋଚନା ରତ୍ନର ଅଭାବ ଦେଖି ଆଲୋଡ଼ିତ ଓ ଆନ୍ଦୋଳିତ ହୋଇଥିଲା । ସେଥିପାଇଁ ସେ ନିଜେ ଗ୍ରାମ୍ୟ ଗୀତି କୁଞ୍ଜ ପୁଞ୍ଜରେ ପିକର ପଞ୍ଚମ ତାନ ତୋଳୁଥିଲେ ମଧ୍ୟ ସମାଲୋଚନା ସାହିତ୍ୟର ସମୃଦ୍ଧି ସମ୍ପାଦନ-କଳ୍ପେ ଚେଷ୍ଟିତ ଥିଲେ । ରାଧାନାଥ, ମଧୁସୂଦନ ଓ ଫକୀରମୋହନ ଆଧୁନିକ ଓଡ଼ିଆ ସାହିତ୍ୟ ଆର୍ଯ୍ୟାବର୍ତ୍ତର ଏହି ସାରସ୍ୱତ ପୁଣ୍ୟ ତ୍ରିବେଣୀ କବିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସଙ୍ଗୀତ ରସ ପିପାସୁ ଓ କଳ୍ପନା କୁଞ୍ଜକେଳି ପ୍ରବୀଣ ଓଡ଼ିଆର ମନପ୍ରାଣ ଯେତେବେଳେ ମଧ୍ୟ ଯୁଗର ଛାନ୍ଦ ସାହିତ୍ୟରେ ନିବଦ୍ଧ ଥିଲା, ସେତେବେଳେ ନନ୍ଦକିଶୋରଙ୍କ ଲେଖନୀର ସମାଲୋଚ୍ୟ ଏହି କବିତ୍ରୟ ଉତ୍କଳ ଜନନୀଙ୍କର ଅଙ୍କ ମଣ୍ଡନ କରି ଅନବରତ ବାଣୀ ସେବାରେ ଆତ୍ମନିୟୋଗ କରିଥିଲେ । ନନ୍ଦକିଶୋର ଏମାନଙ୍କର କେବଳ ଗୁଣଗ୍ରାହୀ ନୁହନ୍ତି, ଆଦର୍ଶର ଅନୁଗାମୀ ମଧ୍ୟ । ତାଙ୍କର ଶର୍ମିଷ୍ଠାରେ ରାଧାନାଥଙ୍କର କାବ୍ୟ କୌଶଳର ଗାମ୍ଭୀର୍ଯ୍ୟ, ତାଙ୍କର କନକଲତାରେ ଫକୀରମୋହନଙ୍କ ଔପନ୍ୟାସିକ ଚାତୁର୍ଯ୍ୟ ଓ ତାଙ୍କର ଗୀତି କବିତାବଳୀ ଉପରେ ମଧୁସୂଦନଙ୍କର ଗୀତିମାଳାର ମାଧୁର୍ଯ୍ୟ, ବିମଳ ରୂପରେ ବିଳସିତ ହୋଇ ନନ୍ଦକିଶୋର ଗ୍ରନ୍ଥାବଳୀକୁ ଆଧୁନିକ ଓଡ଼ିଆ ସାହିତ୍ୟର ଚାରୁଚିତ୍ରଶାଳାରେ ପରିଣତ କରିଛି । ଗତାନୁଗତିକ ଭଙ୍ଗୀରେ ତଥା ପ୍ରାଚୀନ ଅଳଙ୍କାର ସାହିତ୍ୟର ଆଲୋଚନା ଶୈଳୀରେ ସେ ରାଧାନାଥ ବା ମଧୁସୂଦନଙ୍କର ପରମ ରମଣୀୟ କାବ୍ୟ କବିତାବଳୀ ବିଶ୍ଳେଷଣ କରିନାହାନ୍ତି । ଏହା ସମାଲୋଚକ ନନ୍ଦକିଶୋରଙ୍କ ଏକ ଦେଶଦର୍ଶିତାର ପରିଚାୟକ ନୁହେଁ, ବରଂ ତାହା ଆଧୁନିକ ଓଡ଼ିଆ ସାହିତ୍ୟ ସଙ୍ଗେ ତାଙ୍କର ଘନିଷ୍ଠ ସମ୍ପର୍କର ଫଳ ସ୍ୱରୂପ ଗୃହୀତ ହୋଇପାରେ । ରାଧାନାଥ ଓ ମଧୁସୂଦନ ସଂସ୍କୃତ ସାହିତ୍ୟରେ ସୁପଣ୍ଡିତ ଥିଲେ ମଧ୍ୟ କେବଳ ସୁରଭାରତୀରୁ ପ୍ରେରଣା ଲାଭକରି ନଥିଲେ । ପାଶ୍ଚାତ୍ୟ ସାହିତ୍ୟ ମଧ୍ୟ ସେମାନଙ୍କୁ ବଳିଷ୍ଠ ପ୍ରେରଣା ଦେଇଥିଲା । ନନ୍ଦକିଶୋରଙ୍କ ଭାଷାରେ ଇଂରାଜୀ ଶାସନ ଓ ଆଇନ ପ୍ରତୀଚ୍ୟ ସାହିତ୍ୟ ବିଜ୍ଞାନ ଓ ସଭ୍ୟତା ରୂପ ମନ୍ଦିର ଗିରୀ ସାହାଯ୍ୟରେ ରତ୍ନପ୍ରସୂ ଭାରତ ସମୁଦ୍ରର ମନ୍ଥନରେ ପ୍ରତ୍ୟେକ ପ୍ରଦେଶରେ କେତେଗୁଡ଼ିଏ ରତ୍ନର ଆବିର୍ଭାବ ହେଲା । (ନ: କି: ଗ୍ରନ୍ଥାବଳୀ ପୃ ୯୭୨) ବାସ୍ତବରେ ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ପାଶ୍ଚାତ୍ୟ ସଭ୍ୟତାସଂଶ୍ଳିଷ୍ଟ ପୃଷ୍ଠ ଭୂମିକାର ପୂର୍ଣ୍ଣଜ୍ଞାନ ନଥିଲେ, ଆଧୁନିକ କବିମାନଙ୍କର କୃତିତ୍ୱର ସୌଷ୍ଠବ ଓ ସୃଷ୍ଟିର ସୌରଭ ହୃଦୟଙ୍ଗମ କରି ହେବ ନାହିଁ । ତେଣୁ ଏହି ସାରସ୍ୱତ ପୁଣ୍ୟ ତ୍ରିବେଣୀ, ପଲ୍ଲୀ କବିଙ୍କ ଲେଖନୀରେ ଐତିହାସିକ ବାସ୍ତବତାର ଦୃଢ଼ ଭିତ୍ତି ଉପରେ ନିର୍ଦ୍ଦେଶିତ ହୋଇ ଅଛନ୍ତି ।

 

ନନ୍ଦକିଶୋରଙ୍କ ସାହିତ୍ୟ ସମାଲୋଚନାରେ ଅସାଧରଣ ମୌଳିକତା ପରିଦୃଷ୍ଟ ହୁଏ । କାବ୍ୟର ତ୍ରିବିଧ ବିଭାଗ ପ୍ରଦର୍ଶନ କରି ଶ୍ରାବ୍ୟ କାବ୍ୟର ଶ୍ରେଷ୍ଠ ଆଧୁନିକ କବି ରୂପେ ରାଧାନାଥଙ୍କୁ ଗ୍ରହଣ କରିଅଛନ୍ତି । ପୁଣି ରାଧାନାଥଙ୍କର ଆଦର୍ଶବାଦୀ କବିତା ତୁଳନାରେ ସେ ତାଙ୍କର ବାସ୍ତବବାଦୀ (Realistic)ବା ପ୍ରକୃତ ବାଦୀ (Naturalistic)କବି ରୂପେ ପ୍ରତିପାଦନ କରିଅଛନ୍ତି । ରାଧାନାଥଙ୍କର ବହୁ ଅଂଶ ସେ ଉଦ୍ଧାର କରି ତାଙ୍କର ବିରାଟ ବ୍ୟକ୍ତିତ୍ୱର ଦିଗ୍‌ଦର୍ଶନ ଫୁଟାଇବାକୁ ଚେଷ୍ଟା କରିଛନ୍ତି । ସେ ସାଧାରଣ ସମାଲୋଚକ ସୁଲଭ ତୋଷାମଦର କିପରି ଘୋର ବିରୋଧୀ ଥିଲେ, ତାହା ତାଙ୍କର ନିର୍ଭୀକ ମତ ପ୍ରକାଶ ମାଧ୍ୟମରେ ପ୍ରତିପାଦନ କରି ଯାଇଅଛନ୍ତି । ଆଧୁନିକ ଯୁଗର କବିବର ରାଧାନାଥଙ୍କ ସର୍ବଶ୍ରେଷ୍ଠ କାବ୍ୟ ‘‘ମହାଯାତ୍ରା’’ ପାଠକ ସାଧାରଣରେ ବିପୁଳ ଅଭିନନ୍ଦନ ଲାଭ କରୁଥିଲେ ମଧ୍ୟ ନନ୍ଦକିଶୋର ସେହି ଅଭିନନ୍ଦନର କଳରୋଳରେ ନିଜର ସ୍ୱର ମିଳେଇ ନାହାନ୍ତି । ସେ ଲେଖିଛନ୍ତି–‘‘ମହାଯାତ୍ରାର ଭିନ୍ନ ଭିନ୍ନ ସର୍ଗ ଉଚ୍ଚଭାବ ସମନ୍ୱିତ ହେଲେହେଁ ସମଗ୍ର ଭାବରେ କାବ୍ୟରେ ଚରିତ୍ର ଚିତ୍ରଣ ବା ଗଠନଶକ୍ତିର (Characterisation or Constructive Power) ପ୍ରଦର୍ଶିତ ହୋଇନାହିଁ । ପ୍ରତ୍ୟେକ ନାୟକ ନାୟିକାଙ୍କ ଚରିତ୍ରର ସ୍ୱାତନ୍ତ୍ର୍ୟ ଉନ୍ମେଷିତ ହୋଇନାହିଁ ।’’ ଏହା ସତ୍ତ୍ୱେ ରାଧାନାଥଙ୍କର ମୌଳିକତା ବର୍ଣ୍ଣନାର ବୈଚିତ୍ର୍ୟ, ଧାର୍ମିକ ଆଦର୍ଶପ୍ରତି ଗଭୀର ଅନୁରକ୍ତି, ପ୍ରକୃତି ଚିତ୍ରଣରେ ଗଭୀର ଅନ୍ତର୍ଦୃଷ୍ଟି ଓ ସୂକ୍ଷ୍ମ ପରିବେଷଣ ଶକ୍ତି ଏବଂ ତାଙ୍କର ସଂସ୍କାର ପ୍ରିୟତାର ବିପୁଳ ପ୍ରଶଂସା କରିଅଛନ୍ତି । ‘‘ରାଧାନାଥଙ୍କ କାବ୍ୟାବଳୀରେ ପାଣ୍ଡିତ୍ୟ ଓ କବିତ୍ୱ ଉଭୟର ଶୁଭସାମବେଶ ମଣିକାଞ୍ଚନ ତୁଲ୍ୟ’’ କହି ରାଧାନାଥୀୟ ବିଶେଷତ୍ୱର ବିସ୍ତୃତ ବିଚାର କରିଅଛନ୍ତି ।

 

ନନ୍ଦକିଶୋରଙ୍କ ଦୃଷ୍ଟିରେ ମଧୁସୂଦନଙ୍କୁ କେବଳ କବି ବୋଲି ଗ୍ରହଣ କରିବା ଯେପରିକି ଘୋର ଏକଦେଶଦର୍ଶିତା । ସେଥିପାଇଁ ଶ୍ରେଷ୍ଠ ଗୀତି କବି, ସୁଦକ୍ଷ ଅନୁବାଦକ ଏବଂ ଭାଷା ପ୍ରୟୋଗରେ ପ୍ରବୀଣ ପଣ୍ଡିତ ମଧୁସୂଦନଙ୍କର ମହତ୍ୱ ଓ ଗୁରୁତ୍ୱ ସେ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ତାଙ୍କର ବିରାଟ ବ୍ୟକ୍ତିତ୍ୱର ବିଭିନ୍ନ ବିଭାଗ ବିଶେଷ ଭାବରେ ଆଲୋଚନା କରିଅଛନ୍ତି । ତାଙ୍କ ଦୃଷ୍ଟିରେ ମଧୁସୂଦନ ଜଣେ ଆଜୀବନ ଧର୍ମ ସାଧକ ଓ ଧର୍ମ ପ୍ରଚାରକ । ଆଦର୍ଶ ଶିକ୍ଷକ ଓ ଅନୁକରଣୀୟ ଗୃହସ୍ଥ, ସମାଜ ସଂସ୍କାରକ ଓ ସାହିତ୍ୟ ସେବୀ; ସୁପଣ୍ଡିତ ଏବଂ ସରଳ ଶାନ୍ତ, ଶିଷ୍ଟ, ମିଷ୍ଟ ପ୍ରକୃତିକ । ମଧୁସୂଦନଙ୍କର ‘‘ଉତ୍କଳ ଗାଥା’’ ଓ ‘‘ଜୀବନ ଚିନ୍ତାରୁ’’ ଅଂଶମାନ ଉଦ୍ଧାର କରି ସେ ତାଙ୍କୁ କେବଳ କବି ରୂପରେ ଦେଖାଇବାକୁ ଚେଷ୍ଟା କରି ନାହାନ୍ତି, ଜଣେ ଭାବୁକ, କର୍ମୀ, ସାଧକ, ଦାର୍ଶନିକ; ଗୁରୁ ଏବଂ ଯଥାର୍ଥ ମାନବ ରୂପରେ ଚିତ୍ରଣ କରି ଅଛନ୍ତି । ମଧୁସୂଦନ ଓଡ଼ିଶାରେ ସୁପୁରୁଷର ଅଭାବ ଦେଖି ଦୁଃଖରେ ଅଧୀର ହୋଇ ଲେଖିଥିଲେ–

 

‘‘କୋଟିଏ ସନ୍ତାନ ମାଗୋ ଘେନିଅଛୁ କୋଳେ

ଗୋଟିଏ ମନୁଷ୍ୟ କିନ୍ତୁ ନ ଦେଖିଲି ଡୋଳେ’’ ।

 

ନନ୍ଦକିଶୋର ମଧୁସୂଦନଙ୍କ ସାହିତ୍ୟ ସମାଲୋଚନାରେ ତାଙ୍କୁ କେବଳ କବି ବା ସାହିତ୍ୟିକରୂପେ ପ୍ରତିପାଦନ ନକରି କାବ୍ୟ କଳା ବିଳାସୀ ବହୁ ସଦ୍‌ଗୁଣ ସମ୍ପନ୍ନ ‘‘ମନୁଷ୍ୟ’’ ରୂପେ ଉପସ୍ଥାପନ କରିଅଛନ୍ତି । ମଧୁସୂଦନଙ୍କର ଛାନ୍ଦମାଳାର ଉଭୟ ଭାଗର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ମଧୁସୂଦନଙ୍କର ସୌନ୍ଦର୍ଯ୍ୟ ଜ୍ଞାନ, ଗୁରୁସୁଲଭ ଉପଦେଶ ପ୍ରଦାନ ସ୍ପୃହା, ପାଣ୍ଡିତ୍ୟ ଓ କବିତ୍ୱ, ଭାଷାଉପରେ ଅଖଣ୍ଡ ଆଧିପତ୍ୟ ଏବଂ ମୁମୂର୍ଷୁ ଓଡ଼ିଆ ଜାତିକୁ ଜାଗ୍ରତ କରିବାପାଇଁ ଜାତୀୟ ଭାବର ପ୍ରଚାର ଓ ପ୍ରସାର ପ୍ରଭୃତିର ବିଚାର ଉଦାହାରଣ ସହ କରି ଅଛନ୍ତି ।

 

ଫକୀରମୋହନଙ୍କ ଜୀବନୀ ଉପରେ ନନ୍ଦକିଶୋର ଅତ୍ୟଧିକ ଗୁରୁତ୍ୱ ସ୍ଥାପନ କରିଅଛନ୍ତି । ଓଡ଼ିଶାର ଘୋର ସଙ୍କଟମୟ ବେଳରେ ଫକୀରମୋହନ ଆବିର୍ଭୂତ ହୋଇ କିପରି ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି, ତାହା ସେ ବିଶେଷ ରୂପେ ଉଲ୍ଲେଖ କରି ଯାଇଛନ୍ତି । ଫକୀରମୋହନଙ୍କ ସାହିତ୍ୟ ସୃଷ୍ଟି ତୁଳନାରେ ତାଙ୍କର ଚରିତ୍ରଗତ ଉତ୍କର୍ଷକୁ ନନ୍ଦକିଶୋର ନିମ୍ନ ସ୍ଥାନ ଦେଇ ନାହାନ୍ତି । ସେ ଲେଖିଛନ୍ତି–‘‘ସେ ସମୟରେ ଓଡ଼ିଶା ବାସୀ, ବଙ୍ଗାଳି କର୍ମଚାରୀମାନେ ଏକତ୍ର ହୋଇ ଉତ୍କଳ ଦେଶର ସ୍କୁଲମାନଙ୍କରୁ ଓଡ଼ିଆଭାଷା ଏକାବେଳେକେ ଉଠାଇ ଦେବାକୁ ଯତ୍ନଶୀଳ ହୋଇଥିଲେ । X X X ବାଲେଶ୍ୱରରୁ ଫକୀରମୋହନ ଏ ବିଷୟରେ ପ୍ରତିବାଦ ଓ ଘୋର ଆନ୍ଦୋଳନ କରିଥିଲେ । (ନ: କି: ଗ୍ରନ୍ଥାବଳୀ ପୃଷ୍ଠା ୧୦୦୨) ଯଥାର୍ଥରେ ଯେଉଁ ସମାଲୋଚନା କବିଙ୍କର ଜୀବନୀ ଓ ସାହିତ୍ୟ ସୃଷ୍ଟି ଉଭୟ ପ୍ରତି ଦୃଷ୍ଟି ଦେଇ ତତ୍ତ୍ୱ ପ୍ରତିପାଦନ କରିବାକୁ ଉଦ୍ୟତ ହୁଏ, ତାହା ସାର୍ଥକ ହୁଏ । ଏହି ଦୃଷ୍ଟିରୁ କବି ନନ୍ଦକିଶୋରଙ୍କର ସମାଲୋଚନାଗୁଡ଼ିକ ଉଚ୍ଚ କୋଟୀର । ପଲ୍ଲୀ କବିତାର ନିର୍ଝର ଝର୍ଝର ନାଦରେ ପ୍ରବାହିତ କରିବାକୁ ଯାହାଙ୍କ ଲେଖନୀ ସତତ ଚେଷ୍ଟିତ ଥିଲା, ତାଙ୍କ ଲେଖନୀରୁ ଏହିପରି ଉଚ୍ଚକୋଟୀର ସମାଲୋଚନା ଶିଖିଲେ ମନେହୁଏ ସେ ହେଉଛନ୍ତି ସାହିତ୍ୟ ସରୋବରର ରାଜହଂସ । କଳ୍ପନା ବିଳସିତ ଆକାଶରେ ସେ ବିହାର କରିପାରନ୍ତି । ଉପନ୍ୟାସର ସରୋବରରେ ସେ ସନ୍ତରଣ କରିପାରନ୍ତି, ସମାଲୋଚନାର ଶୁଷ୍କ ସୈକତ ଉପରେ ମଧ୍ୟ ସେ ଚାଳନ କରିପାରନ୍ତି । ବାସ୍ତବରେ ଏକ ସହସ୍ର ବର୍ଷର ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର ବିଶିଷ୍ଟ ସମ୍ମାନର ଅଧିକାରୀ ।

Image

 

ସଂସ୍କାରକ ନନ୍ଦକିଶୋର

 

କବି ନନ୍ଦକିଶୋର ‘‘କନକଲତା’’ଠାରୁ ଆରମ୍ଭ କରି ‘‘ଶର୍ମିଷ୍ଠା’’ ପର୍ଯ୍ୟନ୍ତ କିମ୍ୱା ‘‘ପଲ୍ଲୀଚିତ୍ର’’ଠାରୁ ଆରମ୍ଭ କରି ‘‘ସନ୍ଧ୍ୟା ସଙ୍ଗୀତ’’ ପର୍ଯ୍ୟନ୍ତ ନିଜର ବିଭିନ୍ନ ଗ୍ରନ୍ଥରେ ପାଠକର ଚିତ୍ତ ହରଣ କରିବାପାଇଁ ମରୋରମ ରଚନା ଶୈଳୀର ଆଶ୍ରୟ ନେଇଛନ୍ତି । ପୁଣି ଅବକାଶ ଓ ଅବସର ଦେଖି ଗୋଟିଏ ଗୋଟିଏ ଉଚ୍ଚ ଓ ଉଦାର ନୀତି ଦେଖାଇବା ପାଇଁ ଚେଷ୍ଟା କରିଛନ୍ତି ।

ଯେଉଁମାନେ ଭାରତର ସାମାଜିକ ଇତିହାସ ଆଲୋଚନା କରିଛନ୍ତି, ସେମାନଙ୍କ ମତରେ ତୁଙ୍ଗ ବୈଦିକ ସଭ୍ୟତାର ଅଧଃପତନର କାରଣ ହେଉଛି, ଭାରତ ବାସୀଙ୍କର ନାନାବିଧ କୁସଂସ୍କାର ଓ ସଂକୀର୍ଣ୍ଣତା । ଅଭିଜାତ ବଂଶର ଗ୍ଳାନିକର ସଂକୀର୍ଣ୍ଣତା ଫଳରେ ବହୁ ହିନ୍ଦୁ ଧର୍ମାନ୍ତର ଗ୍ରହଣ କରିଛନ୍ତି ଏବଂ କାଳକ୍ରମେ ଏହାରି ଫଳରେ ଆର୍ଯ୍ୟ ସମାଜ ଓ ବ୍ରାହ୍ମ ସମାଜର ସୃଷ୍ଟି ହୋଇଛି । ଊନବିଂଶ ଶତାବ୍ଦୀରେ ଭାରତରେ ପାଶ୍ଚାତ୍ୟ ଶିକ୍ଷାର ବହୁଳ ପ୍ରସାର ହେବାରୁ ଶିକ୍ଷିତ ସମ୍ପ୍ରଦାୟ ଦେଶବାସୀଙ୍କର କୁସଂସ୍କାରଗୁଡ଼ିକ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରି ପାରିଲେ । ରାଜା ରାମମୋହନ ରାୟଙ୍କଠାରୁ ଆରମ୍ଭ କରି ହରବିଳାସ ଶାରଦା ପର୍ଯ୍ୟନ୍ତ କିମ୍ୱା ସ୍ୱାମୀ ଦୟାନନ୍ଦଙ୍କଠାରୁ ଆରମ୍ଭ କରି ଡକ୍ଟର ଦେଶମୁଖଙ୍କ ପର୍ଯ୍ୟନ୍ତ, ବିଶିଷ୍ଟ ବ୍ୟକ୍ତିମାନଙ୍କର ଜୀବନ ଭାରତରେ ସାମାଜିକ ସଂସ୍କାର ଆଣିବା ପାଇଁ କିପରି ଉତ୍ସୃଷ୍ଟ ହୋଇଅଛି, ତାହା କାହାରିକୁ ଅବିଦିତ ନାହିଁ । ଉତ୍କଳରେ କବିବର ରାଧାନାଥଙ୍କଠାରୁ ସମାଜ ସଂସ୍କାର ଲାଗି ଗଭୀର ଇଚ୍ଛା ପ୍ରକାଶ ଲାଭ କଲା । କବିବରଙ୍କ ଶ୍ରେଷ୍ଠ କାବ୍ୟ ମହାଯାତ୍ରାରେ ଅଗ୍ନିଦେବ ଓ ଯୁଧିଷ୍ଠିରଙ୍କ ସମ୍ୱାଦରେ (କଥୋପକଥନ) ଭାରତର ଜାତିଭେଦ ରୂପକ ବିଷକୁ ଦୂର କରିବା ଲାଗି ଦୃଢ଼ ଇଚ୍ଛା ପ୍ରକାଶ ଲାଭକରିଛି । ବ୍ରାହ୍ମ ଧର୍ମାବଲମ୍ୱୀ ମଧୁସୂଦନ ଓ ବିଶ୍ୱନାଥଙ୍କର ନବଯୁଗର ନବୀନ ଆଲୋକରେ ସାମାଜିକ କୁସଂସ୍କାର ରୂପ ଅନ୍ଧକାର ଶୀଘ୍ର ଦୂର ହେବାର ଆଶା ପୋଷଣ କରିଛନ୍ତି । ନୀଳମଣି ବିଦ୍ୟାରତ୍ନଙ୍କଠାରୁ ପ୍ରଚାରକ ଅନନ୍ତ ମିଶ୍ରଙ୍କ ପର୍ଯ୍ୟନ୍ତ ବହୁ ଦେଶପ୍ରେମୀ ସଂସ୍କୃତ ପଣ୍ଡିତ ମଧ୍ୟ ସମାଜ ସଂସ୍କାର ଘଟାଇବାକୁ ପ୍ରବଳ ଉଦ୍ୟମ କରି ଯାଇଛନ୍ତି । ଏ ପ୍ରକାର ସଂସ୍କାର ପ୍ରୟାସର ମଧୁମୟ ବାତାବରଣ ମଧ୍ୟରେ ନନ୍ଦକିଶୋରଙ୍କର ଜନ୍ମ ।

ନନ୍ଦକିଶୋର ନିଜେ ଉଚ୍ଚ ଶିକ୍ଷିତ ଥିଲେ ଏବଂ ପଲ୍ଲୀବାସୀଙ୍କର ନିବିଡ଼ ସମ୍ପର୍କରେ ଆସିଥିଲେ । ତେଣୁ ଅଖ୍ୟାତ ପଲ୍ଲୀଠାରୁ ବିଖ୍ୟାତ ନଗର ପର୍ଯ୍ୟନ୍ତ ବିଭିନ୍ନ ଅଧିବାସୀଙ୍କ ରୀତି ନୀତି, ହାବ ଭାବ ପ୍ରଭୃତି ସେ ଉତ୍ତମରୂପେ ଜାଣି ପାରିଥିଲେ । ଫଳରେ ପାରିବାରିକ ଜୀବନରେ ବୃଦ୍ଧ ପିତା ପ୍ରତି, ପାଶ୍ଚାତ୍ୟ ଶିକ୍ଷା ପ୍ରତି ଯୁବକପୁତ୍ରର ଅତ୍ୟାଚାର, ବାଳବିଧବାମାନଙ୍କର ବିବାହ ନିରୋଧ ଏବଂ ଯୁବତୀ ବିବାହ ବିରୁଦ୍ଧରେ ଦୃଢ଼ ଜନମତ, ବୃଦ୍ଧ ଧନିକମାନଙ୍କର ଅର୍ଥ ବିନିମୟରେ ଷୋଡ଼ଶୀ କନ୍ୟାର ପାଣିଗ୍ରହଣ, ଗ୍ରାମରେ ଆଭିଜାତ୍ୟ ଖଣ୍ଡାୟତ ପ୍ରଭୃତିଙ୍କର ବିବାହ ଆଦି ଉତ୍ସବରେ ଅଯଥା ଅଜସ୍ର ଧନବ୍ୟୟ, ପଲ୍ଲୀରେ ସକଳ ଓ କର୍ମକ୍ଷମ ଭିକ୍ଷୁକମାନଙ୍କର ଦୈନନ୍ଦିନ ଭିକ୍ଷାଦ୍ୱାରା ଜୀବିକା ନିର୍ବାହ, ସମାଜରେ ବ୍ରାହ୍ମଣମାନଙ୍କର କେବଳ ପୌରୋହିତ୍ୟ ପ୍ରଭୃତି କର୍ମରେ ଜୀବନଯାପନ ଓ ଅର୍ଥ ଲୋଲୁପତା–ଏଗୁଡ଼ିକ ଓ ଏହିପରି ସମସାମୟିକ ସମାଜରେ ପ୍ରଚଳିତ ଶତାଧିକ କୁସଂସ୍କାର ବିରୁଦ୍ଧରେ ନନ୍ଦକିଶୋର ଅଭିଯାନ ଚଳାଇଥିଲେ ।

ଫକୀରମୋହନ ନିଜର ଅମର ଗଳ୍ପ ଉପନ୍ୟାସ ସମୂହରେ କିପରି ସମାଜ ସଂସ୍କାର ବିଧାନ କରିବାକୁ ପ୍ରୟାସୀ ହୋଇଅଛନ୍ତି ତାହା ପାଠକମାନେ ଜାଣନ୍ତି ଏବଂ ସୁରେନ୍ଦ୍ର, ଉପେନ୍ଦ୍ର, ସର୍ବେଶ୍ୱର, ରାଧାମୋହନ ପ୍ରଭୃତି ଆଲୋଚକମାନେ ଏହା ନାନା ଭାବରେ ପ୍ରଦର୍ଶନ ଓ ପ୍ରତିପାଦନ କରିଛନ୍ତି । ଯାହା ମଧୁର ବ୍ୟଞ୍ଜନାରେ ଫକୀରମୋହନ ଗଦ୍ୟରେ ପ୍ରକାଶ କରିଛନ୍ତି, ତାହା ମର୍ମସ୍ପର୍ଶୀ ଉଦ୍‌ବୋଧନ ଆକାରରେ ନନ୍ଦକିଶୋର ପରିବେଷଣ କରିଛନ୍ତି । ତଳେ କେତୋଟି ପଂକ୍ତି ନନ୍ଦକିଶୋରଙ୍କ କବିତାକଳାରୁ ଉଦ୍ଧାର କରାଯାଉଛି । ଯହିଁରୁ ତାଙ୍କର ସଂସ୍କାର ପ୍ରୟାସ ସ୍ପଷ୍ଟ ଜଣାଯିବ ।

ବ୍ରାହ୍ମଣ କ୍ଷତ୍ରୀୟ ବୈଶ୍ୟ ଏକଜାତି

ଭେଦ ବୁଦ୍ଧି ଅନୁଚିତ

ଏ ଭେଦ ବୁଦ୍ଧିରେ ନଷ୍ଟ ହେବ କାଳେ

ସ୍ୱର୍ଣ୍ଣପ୍ରସୂ ଭୂ ଭାରତ

(ଶର୍ମିଷ୍ଠା-ନବମ ସର୍ଗ)

 

‘‘ଜାତି ଧର୍ମ ନିର୍ବିଶେଷେ

ଭୁଲି ଭେଦ ବୁଦ୍ଧି

ପବିତ୍ର କର୍ତ୍ତବ୍ୟ ଜ୍ଞାନେ

କର ଚିତ୍ତ ଶୁଦ୍ଧି

(ପ୍ରଭାତ ସଙ୍ଗୀତ)

 

ବୃଦ୍ଧକୁ ବିବାହ ବିଧି ବାଳିକାକୁ ନାହିଁ

କେଉଁ ନ୍ୟାୟ ନୀତି ଏହା ସାମାଜିକ ଭାଇ

ଏସନ ବୈଷମ୍ୟ ପୂର୍ଣ୍ଣ ଯେବଣ ସମାଜ

ସଂସ୍କାର ନ କରି ଜୟ ଗାଅ ନାହିଁ ଲାଜ

(ଚାରୁଚିତ୍ର)

 

ଅଳପ ବୟସେ କେହି ବୃଦ୍ଧ ହସ୍ତେ

ହୁଏ ସମର୍ପିତ,

କିଛି ଦିନ ଅନ୍ତେ ହୁଏ ସେ ବିଧବା

ସହେ ଦୁଃଖ ଅପ୍ରମିତ ।

ବିପତ୍ନୀକ ହୋଇ ବର୍ଷିଆନ ବୃଦ୍ଧ

ଅଳ୍ପଦିନେ ହୁଏ ବିଭା,

ବାଳିକା ବୟସେ ଚିର ବଇଧବ୍ୟ

ଦାରୁଣ ବିଧାନ କିବା ।

(ପଲ୍ଲୀ ଚିତ୍ର-ତୃତୀୟ ଭାଗ)

 

ବୃଥା ଗର୍ବେ ମାତି ବିବାହ ପର୍ବରେ

ଅଜସ୍ର ପିଙ୍ଗିଣ ଟଙ୍କା

ଦରିଦ୍ର ହୋଇଣ ଜମି ବାଡ଼ି ବିକି

କରୁଛ ଯେସନେ ବୋକା ।

(ପଲ୍ଲୀଚିତ୍ର)

 

ସଂପଦ ପ୍ରଭୁତ୍ୱ ପାଇଣ ମହନ୍ତେ

ଶିର ହୁଏ ବିଘୂର୍ଣ୍ଣିତ,

ମାମଲା କଳହ ସତୀତ୍ୱ ନାଶରେ

ଥୋକାଏ ହୁଅନ୍ତି ଲିପ୍ତ ।

ତୁମ୍ଭ ଉପଦ୍ରବେ ଦରିଦ୍ର ଗୃହସ୍ଥ

ଧନ ଦ୍ୱାରା ହୁଏ ନଷ୍ଟ,

ହେ ନର ପିଶାଚ କାହାରି କାହାରି

ପ୍ରାଣ ନିଅ ଦେଇ କଷ୍ଟ ।

(ପଲ୍ଲୀର ସମର୍ଥ ଭିକ୍ଷୁକ)

 

ସମାଜର ଯେବେ ନ୍ୟାୟ ଦୟା ଥାନ୍ତା

ଦନ୍ତ ହୀନ ବୃଦ୍ଧ ଦର,

ଛାର ଅର୍ଥ ଦେଇ ଯୁବତୀ କନ୍ୟାଙ୍କୁ

କରୁଥାନ୍ତା ହରବର ।

ସୁନ୍ଦରୀ ତରୁଣୀ ବୃଦ୍ଧ ବଳାତ୍କାରେ

କରୁଥାନ୍ତେ ହସ୍ତ ଗତ,

ପାକୁଆ ଦାନ୍ତିଆ ଥରି ଥରି ତାଙ୍କୁ

କରୁଥାନ୍ତେ ଅଙ୍କ ରତ ।

(ପଲ୍ଲୀଚିତ୍ର-ତୃତୀୟ ଭାଗ)

 

ଲାମ୍ପଟ୍ୟ ଅନ୍ୟାୟ ମିଥ୍ୟା ସାକ୍ଷ୍ୟ ଜାଲ

ଦୁର୍ବଳ ପ୍ରହାର ଧନ

ଲୁଣ୍ଠନେ ସବଳ ପିଠି ଆଉଁସିଲେ

ଅତ୍ୟାଚାର ଦୀନ ହୀନ ।

ଏମନ୍ତ ଜାତିକୁ ଦୂରରୁ ଜୁହାର

ଏ କିସ ଅପୂର୍ବ ବିଧି

ଏମନ୍ତ ସମାଜେ ସୁସଂସ୍କାର ଲୋଡ଼ା

କଠୋର ସାଧନେ ସିଦ୍ଧି ।

(ପଲ୍ଲୀର କୁସଂସ୍କାର)

 

କନକଲତା ଉପନ୍ୟାସ ଓ ଲକ୍ଷ୍ମୀ ଗଳ୍ପରୁ ମଧ୍ୟ ଏପ୍ରକାର ଅଭିମତପୂର୍ଣ୍ଣ ବହୁ ପଂକ୍ତି ଉଦ୍ଧାର କରାଯାଇପାରେ । ଏହି ପଂକ୍ତିଗୁଡ଼ିକ ବିଶ୍ଳେଷଣ କଲେ ଜଣାଯାଏ, ନନ୍ଦକିଶୋର ଦେଶରେ ନ୍ୟାୟ ନାମରେ ଯେଉଁ ଅନ୍ୟାୟ ଚାଲିଛି, ଧର୍ମ ନାମରେ ଯେଉଁ ଅନ୍ୟାୟର ସ୍ରୋତ ପ୍ରବାହିତ, କ୍ଷମତା ନାମରେ ଯେଉଁ କ୍ଷମତାର ଅପବ୍ୟବହାର ବାତ୍ୟା ସଞ୍ଚାଳିତ, ସେସବୁ ଦୂର କରି ସମାଜକୁ ନିଷ୍କଳଙ୍କ କରିବାକୁ ଚେଷ୍ଟା କରିଥିଲେ । ବିଖ୍ୟାତ ଇଂରେଜୀ କବି ସେଲୀ ମତବ୍ୟକ୍ତ କରିଛନ୍ତି–‘‘କବିମାନେ ପ୍ରକୃତରେ ସମାଜର ବ୍ୟବସ୍ଥାପକ ।’’ ପୁଣି ସଂସ୍କୃତ ଆଳଙ୍କାରିକ କହିଛନ୍ତି, କବିମାନେ କାବ୍ୟରେ ଶିବେତର କ୍ଷତି ବା ଅମଙ୍ଗଳ ଖଣ୍ଡନ କରିଥାଆନ୍ତି । ନନ୍ଦକିଶୋର ସମାଜକୁ ପରିଶୁଦ୍ଧ ଓ ନିଷ୍କଳଙ୍କ କରିବା ପାଇଁ ଯେ ବ୍ୟବସ୍ଥା ଗଢ଼ି ଯାଇଛନ୍ତି, ଏଥିରେ ଦ୍ୱିରୁକ୍ତି ନାହିଁ । ତାଙ୍କର ସମାଲୋଚନାତ୍ମକ ଏହି ସବୁ ସାଧୁ ପରାମର୍ଶ ଗ୍ରହଣ କଲେ ଓଡ଼ିଆ ଜାତି ଯେ ସମାଜରୁ ଅମଙ୍ଗଳ ଦୂର କରିବାକୁ ସମର୍ଥ ହେବ, ଏଥିରେ ମଧ୍ୟ ସନ୍ଦେହ ନାହିଁ ।

Image

 

କାବ୍ୟକାର ନନ୍ଦକିଶୋର

 

ରାଧାନାଥଙ୍କ ସମୟରୁ ଓଡ଼ିଶାର କାବ୍ୟରଚନାର ଶୈଳୀ ପରିବର୍ତ୍ତିତ ହୋଇଗଲା । ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିର ପ୍ରବର୍ତ୍ତନ, ପ୍ରଚଳନ ଓ ପ୍ରସାର ସଙ୍ଗେ ସଙ୍ଗେ ସଂସ୍କୃତ ସାହିତ୍ୟ ଚର୍ଚ୍ଚା ଏବଂ ସେଥିପ୍ରତି ଲୋକମାନଙ୍କର ଅନୁରକ୍ତି କ୍ରମେ ଶିଥିଳ ହୋଇ ପଡ଼ିଲା । ଭଞ୍ଜ, ଅଭିମନ୍ୟୁ ତଥା କବିସୂର୍ଯ୍ୟ ପ୍ରଭୃତିଙ୍କର ଶ୍ରେଷ୍ଠ କୃତ୍ତି ସମୂହ ଶିକ୍ଷିତ ସମାଜ ପକ୍ଷରେ ମଧ୍ୟ ଦୁର୍ବୋଧ୍ୟ ହୋଇ ଉଠିଲା । ସମୟର ସ୍ୱଳ୍ପତା, ଅନ୍ନଚିନ୍ତାର ଉତ୍କଟତା ଏବଂ ସାହିତ୍ୟିକ ଆଦର୍ଶର ଅନୁଧାବନ ଫଳରେ ପ୍ରାଚୀନ କାବ୍ୟ ପରମ୍ପରା ଏକାବେଳକେ ବିଛିନ୍ନ ହୋଇଗଲା । ପୁଣି ଅନ୍ୟପକ୍ଷରେ ରାଧାନାଥ, ମଧୁସୂଦନ, ନନ୍ଦକିଶୋର, ଗୋପବନ୍ଧୁ ପ୍ରମୁଖ ଶ୍ରେଷ୍ଠ କବି ମଣ୍ଡଳୀ ଶିକ୍ଷକ ଓ ଶିକ୍ଷାବିତ୍‌ ଥିଲେ । ସେଥିପାଇଁ ଦେଶର ତରୁଣ ଶିକ୍ଷକ ସମାଜକୁ ଆଖି ଆଗରେ ରଖି ସେମାନେ କାବ୍ୟ କବିତା ରଚନା କଲେ । ବହୁବିଧଛନ୍ଦ, ରାଗ ରାଗିଣୀର ପ୍ରୟୋଗ, ଭାବ ପ୍ରକାଶର ବକ୍ରଭଙ୍ଗୀ, ବହୁ ସଂଖ୍ୟକ ଅଳଙ୍କାରର ପ୍ରୟୋଗ, ଶବ୍ଦ ପାଣ୍ଡିତ୍ୟ ପ୍ରଦର୍ଶନ, ମୁଖ୍ୟତଃ ସଂସ୍କୃତ ସାହିତ୍ୟରୁ ଭାବ ଆହରଣ ପ୍ରଭୃତି ଯେଉଁ ସବୁ ବିଶେଷତ୍ୱ ମଧ୍ୟ ଯୁଗର ଓଡ଼ିଆ ସାହିତ୍ୟରେ ଥିଲା, ରାଧାନାଥ ସେ ସବୁ ପରିତ୍ୟାଗ କଲେ । ତେଣୁ ତାଙ୍କର ଅନୁଗାମୀ କବି ମଣ୍ଡଳୀ ରାଧାନାଥୀୟ ଶୈଳୀ, ଭାଷା, ଭାବକୁହିଁ ନିଜର ଆଦର୍ଶରୂପେ ଗ୍ରହଣ କଲେ । ସେହି ସମୟର ଶ୍ରେଷ୍ଠ କବିମାନଙ୍କ ମଧ୍ୟରେ ପ୍ରକୃତି କବି ଗଙ୍ଗାଧର ମେହେର ରାଧାନାଥୀୟ ନବୀନତାରେ ଭଞ୍ଜୀୟ ପ୍ରାଚୀନତାକୁ ସଂଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନନ୍ଦକିଶୋର ସେହି ପ୍ରଚେଷ୍ଟା କରି ନାହାନ୍ତି । ନନ୍ଦକିଶୋରଙ୍କ ଶର୍ମିଷ୍ଠା କାବ୍ୟର ମୂଳରେ ଯେଉଁ ବସନ୍ତ କାଳୀନ ଚିତ୍ର ପ୍ରଦାନ କରାଯାଇଛି, ତାହାହିଁ ବିଶେଷ ଉଲ୍ଲେଖ ଯୋଗ୍ୟ–

 

 

‘‘ସହକାର ଦ୍ରୁମେ ମାଧବୀ ଲତିକା

ଦେଇଅଛି ବାହୁ ଛନ୍ଦି,

ଯୁଗଳ ମିଳନ ଜୟ ଗାଉଅଛି

ପାରୁଶେ ମିଳିନ୍ଦ ବନ୍ଦୀ ।

ଅଶୋକ ବଲ୍ଲରୀ ସ୍ତବକ ସ୍ତନର

ଗୁରୁ ଭାରେ ଆନମିତ,

ଶାଖା ଅନ୍ତରାଳେ ମଧୁର ପଞ୍ଚମେ

ଗାଏ ପିତ ପ୍ରେମ ଗୀତ ।’’

ଏପରି ପରମ ରମଣୀୟ ଓ ଏକାନ୍ତ କମନୀୟ କବିତ୍ୱ ସମ୍ଭାର ପରେ ପରେ କବିଙ୍କର ଲେଖନୀରୁ ବନ ବର୍ଣ୍ଣନାର ଉତ୍ତରଳ ଧାରା ଝରି ପଡ଼ିଛି । କବି ବନର ବର୍ଣ୍ଣନା କରିବାକୁ ଯାଇ ନିଚୁଳ, ନୀପ, ଚୂତ, ବଟ, ପିଆଳ, ତମାଳ, ତାଳ, ନାରିକେଳ, ପନସ, ଶାଳ, ଶାଳୁଳୀ, ଟଗର, ନିମ୍ୱ, କନିଅର ପ୍ରଭୃତି ବହୁସଂଖ୍ୟକ ବୃକ୍ଷଲତାର ତାଲିକା ଦେଇଛନ୍ତି । ଏହା କବିଙ୍କର ପ୍ରକୃତି ଜ୍ଞାନର ପ୍ରକୃତ ପରିଚୟ ପ୍ରଦାନ କରିଅଛି । ଶର୍ମିଷ୍ଠା ଓ ଯଯାତିଙ୍କ ଚରିତ୍ର ଚିତ୍ରଣ ମଧ୍ୟରେ କବି ସମାଜ ସଂସ୍କାରର ଯେ ବିରାଟ ଆଦର୍ଶ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଅଛନ୍ତି, ତାହା ଅନ୍ୟତ୍ର ବିଚାର କରାଯାଇଛି । ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ କବି ନୀତିବାଦୀ ହେବାକୁ ଚେଷ୍ଟାକରି ସରସତା ବାତାବରଣ ମଧ୍ୟରେ ତାହା ପ୍ରକାଶ କରିଛନ୍ତି । ଆଳଙ୍କାରିକମାନଙ୍କ ମତରେ କାବ୍ୟର ବାଣୀ ହେଉଛି– ‘‘କାନ୍ତାସମ୍ମିତ ବାଣୀ’’ । ଏହିପରି ଭାବରେ ଦେଖିଲେ ମଧୁସୂଦନଙ୍କର ଅନେକ କବିତା ଆଦୌ କବିତା ନାମର ଯୋଗ୍ୟ ନୁହେଁ । ତେବେ ନନ୍ଦକିଶୋରଙ୍କ କବିତ୍ୱର ମହତ୍ୱ ଶର୍ମିଷ୍ଠାର ଦ୍ୱିତୀୟ ଓ ତୃତୀୟ ସର୍ଗରେ ବିଶେଷଭାବେ ପ୍ରକାଶ ପାଇଅଛି । ଦ୍ୱିତୀୟ ସର୍ଗରେ ଶୁକ୍ରାଚାର୍ଯ୍ୟଙ୍କର ନିଜ ଦୁହିତା ପ୍ରତି ଯେଉଁ ଭାବଗମ୍ଭୀର ଉପଦେଶ ପ୍ରକାଶ ପାଇଛି, ତାହା ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ ନ ହେଲେ ମଧ୍ୟ ସ୍ୱତନ୍ତ୍ର ସମ୍ମାନ ଦାବୀ କରେ । କ୍ଷମାର ମହତ୍ତ୍ୱ ସୁନ୍ଦର ଭାବରେ କବି ପ୍ରକାଶ କରିଅଛନ୍ତି । କବିଙ୍କ ଭଷାରେ–

‘‘ବିଜ୍ଞ ଜନେ କେବେ କ୍ରୁଦ୍ଧ ନ ହୁହନ୍ତି

କ୍ଷମା ଧୈର୍ଯ୍ୟ ବିଭୂଷିତ,

ତିତିକ୍ଷା ସ୍ୱର୍ଗୀୟ କ୍ରୋଧ ନାରକୀୟ

ସ୍ଥିର କର ସୁତା ଚିତ୍ତ ।

କ୍ଷମା କଲେ ଝିଅ କ୍ଷମା ତ ମିଳଇ

କ୍ଷମାର ନ ମିଳେ ଅନ୍ତ,

କ୍ଷମାର ଗ୍ରହୀତା କ୍ଷମା ଦାତା ଦୁହେଁ

ଏ ଭୁବନେ ଭାଗ୍ୟବନ୍ତ ।’

ଏଥିରେ ପ୍ରାଚ୍ୟ ପାଶ୍ଚାତ୍ୟ ଉଭୟ ସାହିତ୍ୟରୁ ସାରତତ୍ତ୍ୱ ସଂଗୃହୀତ ହୋଇଅଛି । ଭାରତୀୟ ମନୀଷୀଙ୍କର ‘‘ତିତିକ୍ଷା ସମମସ୍ତ ସାଧନଂ’’ ସଙ୍ଗେ ସେକ୍‌ସପିୟରଙ୍କ ମର୍ଚ୍ଚାଣ୍ଟ ଅଫ ଭିନିସ୍‌ର ‘‘It (Mercy) is twice blesse’d it blesseth him that gives and him that takes. (Merchant of Venice Act V Sce.I) ପୁଣି ତୃତୀୟ ସର୍ଗରେ ଦୁଖିନୀ ରାଜଜେମାଙ୍କର ଜନନୀ ପ୍ରତି ପ୍ରବୋଧନ ବାଣୀ ଅତ୍ୟନ୍ତ ମର୍ମସ୍ପର୍ଶୀ । କବି ରାଜକନ୍ୟାଙ୍କ ମୁଖରେ ଏ ପ୍ରକାର ବାଣୀ ପ୍ରକାଶ କରି ଧନ ମଦରେ ଉଦ୍ଧତ ରାଜ ପରିବାରର ଯେପରିକି ସଂସ୍କାର ଆଣିବାକୁ ଚାହିଁଛନ୍ତି ।

ସୀତା ବନବାସ ଓ କୃଷ୍ଣକୁମାରୀ ଏ ଦୁଇଟିରେ ମଧ୍ୟ ନାରୀର ସ୍ୱାର୍ଥତ୍ୟାଗ, ପାବନ ଶକ୍ତି ଏବଂ ନୀତି ନିଷ୍ଠା ପ୍ରକାଶ ପାଇଛି । ପ୍ରାଚୀନ କବିମାନେ ଏପରିକି ରାଧାନାଥ ମଧ୍ୟ ଅନେକ ସ୍ଥଳରେ ଉପଭୋଗର ସାମଗ୍ରୀ ରୂପେ ଉପସ୍ଥାପିତ କରିଛନ୍ତି । ଗଙ୍ଗାଧର ଓ ନନ୍ଦକିଶୋର ନାରୀ ସମାଜ ପ୍ରତି, ନିଜ ନିଜର କାବ୍ୟ ମାଧ୍ୟମରେ ଏ ଅବମାନନାର ଯେପରିକି ପ୍ରତିବାଦ ଜଣାଇଛନ୍ତି । ମନେହୁଏ ମଧୁସୂଦନଙ୍କ ‘‘ସୀତା ବନବାସ’’ ଗଙ୍ଗାଧର ଏବଂ ନନ୍ଦକିଶୋରଙ୍କୁ ଯଥାକ୍ରମେ ‘‘ତପସ୍ୱିନୀ’’ ଓ ‘‘ସୀତା ବନବାସ’’ କାବ୍ୟ ପ୍ରଣୟନ କରିବାକୁ ସ୍ପଷ୍ଟ ଇଙ୍ଗିତ ଦେଇଥିଲା । ଗଙ୍ଗାଧରଙ୍କ ତପସ୍ୱିନୀର ପ୍ରଭାବ ଛତ୍ରେ ଛତ୍ରେ ନନ୍ଦକିଶୋରଙ୍କ ‘‘ସୀତା ବନବାସ’’ ଉପରେ ପଡ଼ିଥିବା ଅନୁମିତ ହୁଏ । କିନ୍ତୁ ରାମଚନ୍ଦ୍ରଙ୍କର ଚରିତ୍ର ବିଶ୍ଳେଷଣରେ କିମ୍ୱା ସତୀ ଶିରୋମଣି ସୀତାଙ୍କର ଜୀବନ ବିଶ୍ଳେଷଣରେ ଗଙ୍ଗାଧର ଯେଉଁ ସିଦ୍ଧିହସ୍ତତା ଦେଖାଇଛନ୍ତି, ତାହା ନନ୍ଦକିଶୋରଙ୍କ କାବ୍ୟରେ ମଧ୍ୟ ଦେଖିବାକୁ ମିଳେ । ଯେଉଁଠାରେ ରାମଙ୍କର ମାନସିକ ଅବସ୍ଥା ବିଶ୍ଳେଷଣ କରିବାକୁ ନନ୍ଦକିଶୋର ଚେଷ୍ଟା କରିଛନ୍ତି କିମ୍ୱା ଲକ୍ଷ୍ମଣଙ୍କ ନିକଟରେ ସୀତାଙ୍କର ଆତ୍ମଭର୍ତ୍ସନା ପ୍ରକାଶ କରିଛନ୍ତି, ସେଠାରେ ଗଙ୍ଗାଧରଙ୍କ ପରି ସେ ଭାଷା ଓ ଭାବର ଶବ୍ଦ ଓ ଅର୍ଥର ରସ ଓ ଛନ୍ଦର ମଧୁର ସମ୍ପର୍କ ରକ୍ଷା କରି ପାରିଛନ୍ତି । ପୁଣି କୃଷ୍ଣ କୁମାରୀରେ ରାଜପୁତ୍‍ କନ୍ୟାର ଆତ୍ମତ୍ୟାଗର ଚୂଡ଼ାନ୍ତ ନିଦର୍ଶନ ସେ ଦେଇଛନ୍ତି । କୃଷ୍ଣକୁମାରୀର ପଞ୍ଚମ ସର୍ଗ କାବ୍ୟଟିର ଶ୍ରେଷ୍ଠ ସର୍ଗ ରୂପେ ଗ୍ରହଣ କରାଯାଇପାରେ । ଏଥିରେ ମାତୃ ହୃଦୟର ଦୁଃଖ ବର୍ଣ୍ଣନା କରିବାକୁ ଯାଇ ନନ୍ଦକିଶୋର ଅଲକ୍ଷ୍ୟରେ ରାଧାନାଥଙ୍କ ପାର୍ବତୀ କାବ୍ୟଦ୍ୱାରା ପ୍ରଭାବିତ ହୋଇଅଛନ୍ତି । ‘‘ମା’ ବୋଲି ବାରେ ଡାକି ନ ହରିବୁ’’ ଠାରୁ ‘‘ସଙ୍ଗେ ମୋତେ ମାରୁଅଛ କିମ୍ପାଇଁ’’ ପର୍ଯ୍ୟନ୍ତ ଅଂଶଟି କରୁଣ ରସରେ ଜର୍ଜରିତ । ସେହିପରି କୃଷ୍ଣାଙ୍କ ମୁଖରେ ‘‘କାନ୍ଦନା ଜନନୀ କାନ୍ଦନା ଆଉ’’ ଠାରୁ ‘‘ଥାଅ ତୁମ୍ଭେମାନେ ଆନନ୍ଦ ମନେ’’ ପର୍ଯ୍ୟନ୍ତ ଅଂଶରେ ଯେଉଁ ବେଦନା ପରିପ୍ଳୁତ ଭାବନା ରାଶି ପ୍ରକାଶ କରାଯାଇଛି, ତହିଁରେ ମାନବ ଚରିତ୍ର ଅଧ୍ୟୟନର ଶକ୍ତି ହିଁ ଜଣାପଡ଼େ । କେହି କେହି ଇଂରାଜୀ ସମାଲୋଚକ କୃଷ୍ଣାକୁମାରୀଙ୍କର ଆତ୍ମ ବଳୀଦାନ ସମ୍ପର୍କରେ; ରାଜସ୍ଥାନର ଇତିହାସ ଉଦ୍‌ଘାଟନ କରି କହିଥାଆନ୍ତି, ‘‘Krishna Kumari can be likened to Jephthah’s daughter in the Bible, who sacrificed herself to save the honour of her father, for Krushna Kumari also made a sacrifice of herself to save the honour of house’’ ଏହି ଉକ୍ତିର ସାରବତ୍ତାହିଁ ନନ୍ଦକିଶୋରଙ୍କର କୃଷ୍ଣାକୁମାରୀ ଚରିତ୍ରରେ ଅକ୍ଷରେ ଅକ୍ଷରେ ସଞ୍ଜୀବିତ ।

ସଂକ୍ଷେପରେ କହିଲେ ନନ୍ଦକିଶୋରଙ୍କର ବାକ୍ୟତ୍ରୟ ନାରୀର ମହତ୍ତ୍ୱ ପ୍ରତିଷ୍ଠା ଲାଗି ଉଦ୍ଦିଷ୍ଟ । ଯେଉଁମାନେ ନାରୀକୁ ଅବଳା ଦୁର୍ବଳା ଏବଂ ପୁରୁଷର ଭୋଗ ସାମଗ୍ରୀ ରୂପେ ଚିତ୍ରଣ କରନ୍ତି, ନନ୍ଦକିଶୋରଙ୍କର ଏ କାବ୍ୟଗୁଡ଼ିକ ପାଠକଲେ ସେମାନଙ୍କର ଧାରଣା କେତେ ପରିମାଣରେ ବଦଳିଯିବ ।

ଗଙ୍ଗାଧରଙ୍କ ପରି ସେ ବିଭିନ୍ନ ଛନ୍ଦର ଆଶ୍ରୟ ନେଇ ନାହାନ୍ତି କିମ୍ୱା ରାଧାନାଥଙ୍କପରି ବହୁ ପୌରାଣିକ ତଥା ଭୌଗୋଳିକ ବିବରଣୀର ଟୀକା ଟିପ୍ପଣୀରେ ନିଜ କାବ୍ୟଗୁଡ଼ିକ କ୍ଳିଷ୍ଟ କରିନାହାନ୍ତି । ଓଡ଼ିଆ କାବ୍ୟ ସାହିତ୍ୟ ଇତିହାସରେ ହୁଏତ ନନ୍ଦକିଶୋର, ରାଧାନାଥ କିମ୍ୱା ଗଙ୍ଗାଧରଙ୍କ ଆନନ୍ଦ ଲାଭ କରିବେ ନାହିଁ କିନ୍ତୁ ବିନା ଶିଷ୍ୟରେ ଗୁରୁଙ୍କର ପ୍ରଚାର ଲାଭ କରିବ କିପରି ? ବୁଦ୍ଧଙ୍କ ପରି ନ ହେଲେ ମଧ୍ୟ ଆନନ୍ଦ ଓ ଶାରିପୁତ୍ତ ପ୍ରଭୃତି ଯେପରି ବୌଦ୍ଧସାହିତ୍ୟରେ ଅବିସ୍ମରଣୀୟ, ରାଧାନାଥ ବା ଗଙ୍ଗାଧରଙ୍କ ପରି ନହେଲେ ମଧ୍ୟ ନନ୍ଦକିଶୋର ସେହିପରି ସ୍ମରଣୀୟ-

Image

 

କଥାକାର ନନ୍ଦକିଶୋର

 

ଆଧୁନିକ ଓଡ଼ିଆ ସାହିତ୍ୟର ନାମକରଣ ଯଦିଓ ରାଧାନାଥଙ୍କ ନାମାନୁସାରେ ହୋଇଥାଏ, ତଥାପି ରାଧାନାଥଙ୍କ ଦଳରେ ଫକୀରମୋହନଙ୍କୁ ଗ୍ରହଣ କରିବାକୁ କେହି କେହି ମତପ୍ରକାଶ କରନ୍ତି । ରାଧାନାଥ ଆଧୁନିକ ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ କବି ହେଲେ ମଧ୍ୟ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ ବିଂଶ ଶତାବ୍ଦୀ ହେଉଛି ଗଦ୍ୟର ଯୁଗ ଏବଂ ବିଗତ ଶତାବ୍ଦୀର ମଧ୍ୟଭାଗରୁ ଗଦ୍ୟଯୁଗର ଦୃଢ଼ ଭିତ୍ତି ପତିତ ହୋଇଅଛି । ଫକୀରମୋହନ ଓଡ଼ିଆ ସାହିତ୍ୟର ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଏହା ସର୍ବବାଦୀ ସମ୍ମତ । ବ୍ୟାସକବି ଗଳ୍ପ ଓ ଉପନ୍ୟାସ ଲେଖି ଓଡ଼ିଶାର କଥା ସାହିତ୍ୟକୁ ସମ୍ପ୍ରସାରିତ କରିଯାଇଛନ୍ତି । କାବ୍ୟରେ ରାଧାନାଥ ଯେପରି ନନ୍ଦକିଶୋରଙ୍କର ଗୁରୁ, ଉପନ୍ୟାସ ଓ ଗଳ୍ପରେ ଫକୀରମୋହନ ସେହିପରି ନନ୍ଦକିଶୋରଙ୍କର ପଥ ପ୍ରଦର୍ଶକ । ତାଙ୍କର ଜୀବନୀରୁ ଜଣାଯାଏ, ଫକୀରମୋହନ ନିଜର ଶ୍ରେଷ୍ଠ ଉପନ୍ୟାସ ‘‘ମାମୁଁ’’ର କଥା ବସ୍ତୁ ନନ୍ଦକିଶୋରଙ୍କଠାରୁ ପାଇଥିଲେ । ପୁଣି ଫକୀରମୋହନଙ୍କ ପ୍ରେରଣା ଓ ପ୍ରଶଂସାରେହିଁ ନନ୍ଦକିଶୋର କନକଲତା ଲେଖିବାକୁ ଉଦ୍ୟତ ହୋଇଥିଲେ । ନନ୍ଦକିଶୋରଙ୍କ କନକଲତା ଓ ଲକ୍ଷ୍ମୀ (ଗଳ୍ପ) ଓଡ଼ିଆ କଥା ସାହିତ୍ୟର ଦୁଇଟି ବିଶିଷ୍ଟ ଅଙ୍ଗ । ସେ ଏହି ଲକ୍ଷ୍ମୀ ଗଳ୍ପଟିର କଥାବସ୍ତୁ ସ୍କୁଲ ପରିଦର୍ଶନରେ ଗସ୍ତ କରୁଥିବା ସମୟରେ ଆହରଣ କରିଥିଲେ ଏବଂ ଏହି ଗଳ୍ପ ବିଷୟ ବସ୍ତୁର ଚର୍ଚ୍ଚା ତାଙ୍କର ଫକୀରମୋହନଙ୍କ ସଙ୍ଗେ ହୋଇଥିଲା । ଫକୀରମୋହନ ସେହି ବିଷୟ ବସ୍ତୁର ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ଅମର ଲେଖନୀ ଚାଳନାରେ ‘‘ମାଧ ମାହାନ୍ତିଙ୍କ କନ୍ୟା ସୁନା’’ ସୃଷ୍ଟି କଲେ । ନନ୍ଦକିଶୋର କିନ୍ତୁ ନିଜର ମାନସ କନ୍ୟାର ନାମ ଲକ୍ଷ୍ମୀ ରଖିଲେ ।

 

‘‘ନାନା ବାୟା’’ ଗୀତର ଲେଖକ ଯେ ‘‘ଶର୍ମିଷ୍ଠା’’ ଓ ‘‘ପଲ୍ଲୀ ଚିତ୍ର’’ ଲେଖି କନକଲତା ଏବଂ ଲକ୍ଷ୍ମୀ ଲେଖି ପାରନ୍ତି, ତାହାହିଁ ଅତୀତ ଗୌରବର କଥା । ଘଟଣାର ଗତିଶୀଳତା, ସେପରି ପ୍ରଖର ନହେଲେ ମଧ୍ୟ ନନ୍ଦକିଶୋର କଥା ପରିବେଷଣର ମନୋରଞ୍ଜକତା ରକ୍ଷା କରିଛନ୍ତି । ଆଖଣ୍ଡଳମଣି ପ୍ରଭୃତିର ବର୍ଣ୍ଣନାରେ ଫକୀରମୋହନଙ୍କ ଛାଞ୍ଚ ବା କୌଶଳ ସେ ପୂରାପୂରି ଗ୍ରହଣ କରିଛନ୍ତି । ବିଗତ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଏ ଦେଶରେ କିପରି ଶିକ୍ଷିତ ସମ୍ପ୍ରଦାୟ ସୃଷ୍ଟି କଲା, ତାହା ବିସ୍ତୃତଭାବରେ ଫକୀରମୋହନଙ୍କ ଉପନ୍ୟାସରୁ ଜଣାପଡ଼େ । ଶିକ୍ଷିତ ସମ୍ପ୍ରଦାୟଙ୍କୁ ପାଶ୍ଚାତ୍ୟ ସଭ୍ୟତାର ଦୂଷିତ ବାୟୁମଣ୍ଡଳରୁ ରକ୍ଷା କରିବାପାଇଁ ଫକୀରମୋହନ ଏବଂ ତାଙ୍କର ଶିଷ୍ୟ (ପ୍ରତ୍ୟକ୍ଷ ନୁହନ୍ତି) ନନ୍ଦକିଶୋର ବ୍ୟଗ୍ର ହୋଇଉଠିଥିଲେ । କନକଲତା ଏବଂ ଲକ୍ଷ୍ମୀ ଉଭୟ ସ୍ଥଳରେ ସମାଜ ସଂସ୍କାର, ଉଚ୍ଚ ଚରିତ୍ର ଗଠନ, ଯଥାର୍ଥ ମାନବିକତା ସମ୍ପାଦନ ଓ ନୀତିମୟ ଜୀବନଯାପନ ପ୍ରଭୃତି ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଶର୍ମିଷ୍ଠାରେ ପ୍ରଚାରକ ନନ୍ଦକିଶୋର ପ୍ରଚାରକ ରୂପେହିଁ ଜଣା ପଡ଼ିଯାଉଛନ୍ତି । କିନ୍ତୁ କନକଲତା ଓ ଲକ୍ଷ୍ମୀ ଏ ଉଭୟ କନ୍ୟାର ପିତା ନନ୍ଦକିଶୋର ଔପନ୍ୟାସିକ ରୂପରେହିଁ ନୀତିବାଦର ବ୍ୟାଖ୍ୟାନ କରିଛନ୍ତି, ଉପଦେଶ ଓ ପରାମର୍ଶ ଦେଇଛନ୍ତି ।

 

ଉପନ୍ୟାସ କେବଳ କଳ୍ପନାର ବାଲୁକାମୟ ଭିତ୍ତିଭୂମିରେ ନିର୍ମିତ ହୋଇନଥାଏ । କଳ୍ପନାର ସ୍ତରେ ସ୍ତରେ ବାସ୍ତବତାର ବିମଳରୂପ ପ୍ରକାଶ କରିବାକୁ ଲେଖକ ଚେଷ୍ଟାକରି ଥାଆନ୍ତି । ଫକୀରମୋହନଙ୍କର ‘‘ପ୍ରାୟଶ୍ଚିତ୍ତ’’ରେ ଓଡ଼ିଶାର ସମସାମୟିକ ଜୀବନର ଯେଉଁପରି ଗୋଟିଏ ଚିତ୍ର ଦେଖିବାକୁ ମିଳେ, ନନ୍ଦକିଶୋରଙ୍କର ‘‘କନକଲତା’’ରେ ମଧ୍ୟ ବିଗତ ଶତାବ୍ଦୀର ସାମାଜିକ ଜୀବନର ଗୋଟିଏ ବିଭାବ ଦେଖିବାକୁ ମିଳେ । କନକଲତା, ଧନଞ୍ଜୟ, ରାଜେନ୍ଦ୍ର, ଉମା, ଏହି ଚିରିତ୍ରଗୁଡ଼ିକ ସମସାମୟିକ ସାମାଜିକ ଜୀବନର ଗୋଟିଏ ଗୋଟିଏ ଚାରିତ୍ରିକ ବିଭାବର ପ୍ରତିମୂର୍ତ୍ତି-। ଏହିମାନଙ୍କୁ କେନ୍ଦ୍ରକରି ନନ୍ଦକିଶୋର ନିଜର ନୀତି ବ୍ୟାଖ୍ୟାନ କରିଛନ୍ତି, ଜୀବନୀର ଆଦର୍ଶ ଫୁଟାଇଛନ୍ତି, ରସ ପରିବେଷଣ କରିଛନ୍ତି, କଥା ଶିଳ୍ପୀରୂପେ ନିଜର ଯଥୋଚିତ ପରିଚୟ ଦେଇଛନ୍ତି-

Image

 

ନନ୍ଦକିଶୋର ସାହିତ୍ୟରେ ଛନ୍ଦ

 

ନନ୍ଦକିଶୋରଙ୍କ ରଚନାଶୈଳୀ ‘‘ନାନବାୟା ଗୀତରେହିଁ’’ ସୁପରିସ୍ଫୁଟ । ତାଙ୍କର ‘‘ଶର୍ମିଷ୍ଠା’’ ‘‘କୃଷ୍ଣାକୁମାରୀ’’ ‘‘ସୀତା ବନବାସ’’ ପ୍ରଭୃତିର ରଚନା ଭଙ୍ଗୀରେ କୌଣସି ସ୍ୱାତନ୍ତ୍ର୍ୟ ନାହିଁ । ଏ କ୍ଷେତ୍ରରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଶର୍ମିଷ୍ଠା ପ୍ରଭୃତିର ଗୋଟିଏ ଗୋଟିଏ ଅଂଶ ସାଧାରଣ ପାଠକକୁ ପଢ଼ି ଶୁଣାଇଲେ, ସେମାନେ ସେଗୁଡ଼ିକୁ ରାଧାନାଥ କିମ୍ୱା ଗଙ୍ଗାଧରଙ୍କ କବିତା ବୋଲି ନିଃସନ୍ଦେହରେ କହିଦେବାର ଯଥେଷ୍ଟ ସମ୍ଭାବନା ଅଛି । କିନ୍ତୁ ନନ୍ଦକିଶୋରଙ୍କର ଓଡ଼ିଆ ଛନ୍ଦ ପ୍ରୟୋଗରେ ବିଶେଷତ୍ୱ ଅଛି । ଅନ୍ୟତ୍ର କୁହାଯାଇଛି, ରାଧାନାଥ ଯୁଗରେ ଓଡ଼ିଆ ଛନ୍ଦର ପରମ୍ପରା ପରିବର୍ତ୍ତିତ ହୋଇଗଲା । ଅଧିକତର ସୁଗେୟ ଛନ୍ଦ ପରିବର୍ତ୍ତେ ସୁପାଠ୍ୟ ଛନ୍ଦ ପ୍ରବର୍ତ୍ତିତ ହେଲା । ରାଧାନାଥ ଏ ପରିବର୍ତ୍ତନର ଅଗ୍ରଣୀ । ମଧୁସୂଦନ ରାଧାନାଥଙ୍କ ଶିଷ୍ୟ ହେଲେ ମଧ୍ୟ ‘‘ବ୍ରହ୍ମ ସଙ୍ଗୀତ’’ରେ ବହୁ ସଙ୍ଗୀତ ଛନ୍ଦର ପ୍ରୟୋଗ କରିଛନ୍ତି । ଗଙ୍ଗାଧରଙ୍କ ପ୍ରାଚୀନ ଛନ୍ଦ ପ୍ରୀତି ତ ସୁବିଦିତ । କିନ୍ତୁ ନନ୍ଦକିଶୋର ପ୍ରାଚୀନ ବହୁ ଛନ୍ଦ ପ୍ରତି ଆକୃଷ୍ଟ ହେବା ସତ୍ତ୍ୱେ ଇଂରାଜୀ ଓ ବଙ୍ଗ ସାହିତ୍ୟର ପ୍ରଭାବରେ ବହୁ ନୂତନ ଛନ୍ଦର ପ୍ରୟୋଗ କରିଛନ୍ତି । ରାଧାନାଥଙ୍କ ସମୟରୁ ମାଇକେଲ ମଧୁସୂଦନଙ୍କ ବାଟେ ଅମିତ୍ରାକ୍ଷର ଛନ୍ଦ ଓଡ଼ିଆରେ ପ୍ରବେଶ ଲାଭ କଲା । ତାହା ପରେ ପରେ ରବୀନ୍ଦ୍ରଙ୍କର ସର୍ବଗ୍ରାସୀ ପ୍ରଭାବରୁ ଓଡ଼ିଆ କବିମାନେ ନିଜ ନିଜକୁ ମୁକ୍ତ ରଖିବା ସମ୍ଭବପର ହେଲା ନାହିଁ । ଓଡ଼ିଆ ସାହିତ୍ୟରେ ବର୍ତ୍ତମାନ ଯେଉଁ ମାତ୍ରାଛନ୍ଦର ବ୍ୟାପକ ପ୍ରଚଳନ ଦେଖାଯାଏ, ତାହା ରବୀନ୍ଦ୍ର ସାହିତ୍ୟର ଅନୁକରଣରୁହିଁ ଆମ ସାହିତ୍ୟରେ ଅନୁପ୍ରବିଷ୍ଟ ହୋଇଥିଲା । ନନ୍ଦକିଶୋର ମାତ୍ରାଛନ୍ଦ ପ୍ରୟୋଗ କରିଛନ୍ତି, ଓ ତହିଁରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏହା ଛଡ଼ା ରାମକେରୀ, କଳହଂସ କେଦାର, ଚୋଖି, ବଙ୍ଗଳାଶ୍ରୀ ପ୍ରଭୃତି ପ୍ରୟୋଗ ସଙ୍ଗେ ସଙ୍ଗେ ସେ ବହୁ ବିଷମ ବୃତ୍ତର ପ୍ରୟୋଗ କରିଛନ୍ତି । ଇଂରାଜୀ ଛନ୍ଦର ଅନୁକରଣରେ ଏକାନ୍ତର ମିତ୍ରାକ୍ଷର ପ୍ରଭୃତି ଛନ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି । ତାଙ୍କର ସମସାମୟିକ କବିମାନଙ୍କ ମଧ୍ୟରେ ଛନ୍ଦ ପ୍ରୟୋଗର ଏ ପ୍ରକାର ବିଶେଷତ୍ୱ ପରିଲକ୍ଷିତ ହୁଏ । ନନ୍ଦକିଶୋର ହୁଏତ ଛନ୍ଦର ପ୍ରୟୋଗରେ ବିଲକ୍ଷଣ ପ୍ରତିଭା ଦେଖାଇ ନାହାନ୍ତି । କିନ୍ତୁ ଏ ସମସ୍ତ ଛନ୍ଦ ପ୍ରୟୋଗରୁ ତାଙ୍କର ଚିନ୍ତାର ବହୁମୁଖୀତ୍ୱ ସହଜରେ ଅନୁମେୟ ।

 

ନନ୍ଦକିଶୋର ନିଜ କାବ୍ୟମାନଙ୍କରେ ରାଧାନାଥଙ୍କୁ ଅନୁକରଣ କରି ଗୌଡ଼ୀରୀତିର ପଦଯୋଜନା କରିଛନ୍ତି । କିନ୍ତୁ ଯେଉଁ କବିତାବଳୀ ଲାଗି ସେ ଓଡ଼ିଆ ସାହିତ୍ୟରେ ଅପ୍ରତିଦ୍ୱନ୍ଦୀ, ତହିଁରେ ବୈବର୍ଭୀ ରୀତିହିଁ ଦେଖିବାକୁ ମିଳେ । ଯେ କୌଣସି ବିଚାରରେ, ଓଡ଼ିଆ ଛନ୍ଦର ଆଲୋଚନାରେ ନନ୍ଦକିଶୋର ଯେ ଉଚ୍ଚସ୍ଥାନ ଲାଭ କରିବେ, ଏହା ତାଙ୍କ ସାହିତ୍ୟର ପାଠକ ମାତ୍ରେ ସ୍ୱୀକାର କରିବେ ।

Image

 

ନନ୍ଦକିଶୋରଙ୍କ ବ୍ୟକ୍ତିତ୍ୱ

 

‘ବିଶ୍ୱର ମଧୁର ସଙ୍ଗୀତ ତାନ

ମଧୁମୟ କରି ଦେଉ ସେ ପ୍ରାଣ

ଧନ୍ୟ ବିଶ୍ଵପତି ଧନ୍ୟ ତୋ ନାମ

ବିତରୁଛ ନିଶି ଦିବସ ପ୍ରେମ ।

(ପ୍ରଭାତ ସଙ୍ଗୀତ-ବିଭୂପ୍ରେମ)

 

ଏ ପର୍ଯ୍ୟନ୍ତ ନନ୍ଦକିଶୋରଙ୍କ କାବ୍ୟ କବିତାଗୁଡ଼ିକର ଯେଉଁ ଆଲୋଚନା କରାଯାଇଛି ତହିଁରୁ ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ଥାନ ନିରୂପଣ କରିବାର ମାର୍ଗ ସରଳ ହୋଇଯାଇଛି । ତଥାପି ଅନ୍ୟକେତୋଟି ବିଷୟର ଆଲୋଚନା ନହେଲେ ନନ୍ଦକିଶୋରଙ୍କ ବ୍ୟକ୍ତିତ୍ୱର କଳନା କରାଯାଇ ପାରିବ ନାହିଁ ।

 

ଓଡ଼ିଆ ସାହିତ୍ୟ ଭକ୍ତିମତ୍ତା ଓ ଧର୍ମ ପ୍ରାଣତାର ଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ । ରାଧାନାଥଙ୍କ ପୂର୍ବବର୍ତ୍ତୀ କବିମାନଙ୍କ ସମ୍ପର୍କରେ ଏ ପ୍ରସଙ୍ଗରେ ବିଶେଷ କିଛି ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ । ନିଜେ ରାଧାନାଥ ମଧ୍ୟ ‘‘ଧବଳେଶ୍ୱର ସ୍ତୋତ୍ର’’ । ଲେଖିବାକୁ ଭୁଲି ନାହାନ୍ତି । ନନ୍ଦକିଶୋର କେବଳ କବି ନଥିଲେ, ଦେଶପ୍ରେମୀ ନଥିଲେ, ସଂସ୍କାରକ ନଥିଲେ, ଶିକ୍ଷକ ନ ଥିଲେ, ସେ ଧର୍ମପ୍ରାଣ ଭକ୍ତ ଓ ନୀତିବାଦୀ ମଧ୍ୟ ଥିଲେ । ମାତୃଭୂମିର ଦୁଃଖ ଦୈନ୍ୟ ଦେଖି ଦେଖି ଯାହାର ଅନ୍ତର ଖଣ୍ଡବିଖଣ୍ଡ ହୋଇ ଯାଉଥିଲା, ନୀଳ ସୁନ୍ଦର ଗିରି କନ୍ଦର ବିହାରୀ ଜଗନ୍ନାଥଙ୍କର ଦେଶରେ ଯେ ଜନ୍ମଲାଭ କରିଥିଲା, ତାହା ପକ୍ଷରେ ଐହିକ ଓ ପାରତ୍ରିକ ଉଭୟ ବିଧ ସୁଖ ସମ୍ପାଦନ ଲିପ୍‌ସା ଯେ ଏକାନ୍ତ ସ୍ୱାଭାବିକ, ଏଥିରେ ସନ୍ଦେହର ଅବକାଶ ନାହିଁ । ପ୍ରାଚୀନ ଭକ୍ତ କବିମାନଙ୍କ ପରି ନନ୍ଦକିଶୋର କେବଳ ମାଳା ଜପିବାରେ କିମ୍ୱା ସାଧୁ କର୍ମ ନକରି ଭଗବାନଙ୍କର ନାମ ଉଚ୍ଚାରଣ କରିବାରେ ସନ୍ତୋଷ ଲାଭ କରିନାହାନ୍ତି । ସେ ଧର୍ମର ସମାଲୋଚକ ଥିଲେ ମଧ୍ୟ ପରମ ଉପାସକ-। ସଂକୀର୍ଣ୍ଣ ଅର୍ଥରେ ଧର୍ମକୁ ଗ୍ରହଣ ନକରି ନନ୍ଦକିଶୋର ପଲ୍ଲୀ ସାହିତ୍ୟ ସୁନ୍ଦରୀଙ୍କୁ ନବୀନ ପୋଷାକ ପରିଚ୍ଛଦରେ ଭୂଷିତ କରିଅଛନ୍ତି ସତ, କିନ୍ତୁ ଅନ୍ୟ ଦେଶର ସାହିତ୍ୟ ସୁନ୍ଦରୀଙ୍କ ପାଇଁ ସୁନ୍ଦରପାଟୀ ସମ୍ପାଦନ କରିବାକୁ କୁଣ୍ଠାବୋଧ କରି ନାହାନ୍ତି । ଏଠାରେ ସ୍ମରଣ କରାଯାଇପାରେ ଓଡ଼ିଆ ସାହିତ୍ୟର ଦୈନ୍ୟ ଅନୁଭବ କରି ଗତ ଶତାବ୍ଦୀର ତୃତୀୟ ପାଦରେ ରାଧାନାଥ ଓ ମଧୁସୂଦନ ଅନ୍ୟ ସାହିତ୍ୟର ଉପାଦେୟ ଅଂଶମାନଙ୍କୁ ଓଡ଼ିଆରେ ଅନୁବାଦ କରିଥିଲେ । ନନ୍ଦକିଶୋର ମାତୃ ସାହିତ୍ୟ ପ୍ରେମୀ ହେଲେ ମଧ୍ୟ ଉଦାର ହୃଦୟରେ ଅନ୍ୟର ଅଂଶ ଗ୍ରହଣ କରି ମାତୃ ସାହିତ୍ୟର ଶ୍ରୀ ବୃଦ୍ଧି କରିଅଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ–ଇଂରାଜୀ କବି F. Hemans of ‘The Child’s First Grief’ର ମର୍ମାନୁବାଦ ତାଙ୍କ ଲେଖନୀର ‘ଶିଶୁର ପ୍ରଥମ ଶୋକ’ ରୂପରେ ମୂର୍ତ୍ତିମନ୍ତ ହୋଇ ଉଠିଛି ।

 

F. Hemans ଲେଖିଛନ୍ତି–

 

‘‘And has he left the birds and flowers,

And must I call in vain ?

And through the long, long summer hours,

Will he not come again ?

And by the brook and in the glade

Are all our wandering o’er?

Oh, while my brother with me played

Would I had loved him more’’

 

ନନ୍ଦକିଶୋରଙ୍କ ଏହି ମର୍ମରେ ଅନୁବାଦ ହେଉଛି :–

 

‘‘ବଗିଚାର ଫୁଲ ବଣର ଚଢ଼େଇ

ଛାଡ଼ି ଚାଲିଗଲା ଭାଇ,

ଏକା ହୋଇ ଦାଣ୍ଡେ, କେମନ୍ତେ ଖେଳିବି

ଡାକ କି ଶୁଣିବ ନାହିଁ ?

ନଈକୂଳେ ଅବା ନିକୁଞ୍ଜ ବନରେ

ଆଉ କି ବୁଲିବୁ ନାହିଁ ?

ଆହା ଭଲ ପାଇ ଥାନ୍ତି ମୁଁ ଆହୁରି

ପ୍ରାଣେ ଥିଲା ଯେବେ ଭାଇ ।

(ଶିଶୁର ପ୍ରଥମ ଶୋକ)

 

ନନ୍ଦକିଶୋରଙ୍କର ଅନ୍ତରକୁ ଚିହ୍ନିବାକୁ ହେଲେ ତାଙ୍କର ଗ୍ରନ୍ଥାବଳୀ ଆମୂଳଚୂଳ ପାଠ କରିବାକୁ ହେବ । ସୁଖର କଥା ଏ ମଧ୍ୟରେ ନନ୍ଦକିଶୋର ଗ୍ରନ୍ଥାବଳୀ ପ୍ରକାଶ ଲାଭକରି ଓଡ଼ିଆ ପାଠକଙ୍କ ଆଗରେ ନନ୍ଦକିଶୋରଙ୍କୁ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ସହ ଉପସ୍ଥାପନ କରିପାରିଛି ।

 

ଟିକିଏ ସୂକ୍ଷ୍ମ ଚିନ୍ତାକଲେ ଜଣାଯିବ, ନନ୍ଦକିଶୋର କେବଳ କବି ନୁହନ୍ତି, ସେ ଥିଲେ ଏ ଦେଶର ଜନନେତା, ଏ ଜାତିର ଔଦାର୍ଯ୍ୟ ପ୍ରତିଷ୍ଠିତ ଧର୍ମଗୁରୁ । ଏ ଖଣ୍ଡିତ ଭୂଖଣ୍ଡର ଐକ୍ୟ ବିଧାୟକ ରାଜନୀତିଜ୍ଞ, ଏ ଦେଶର ଶିଶୁ ସମାଜର ପ୍ରାଣର ସମ୍ପଦ, ଏ ସାହିତ୍ୟର ଏକାନ୍ତ ସମ୍ମୁନ୍ନତକାମୀ, ଏ ଭାଷାର ପ୍ରାଣ ପ୍ରତିଷ୍ଠାତା । ସାରଳାଙ୍କ ସମୟରୁ ଉତ୍କଳରେ ଯେଉଁ ମହାକବିମାନେ ଜନ୍ମଗ୍ରହଣ କରିଛନ୍ତି, ନନ୍ଦକିଶୋର ସେମାନଙ୍କର ସମକକ୍ଷ ନୁହନ୍ତି ବୋଲି କହିବା ଘୋର ଅନ୍ୟାୟ ହେବ । ବରଂ ଉପେନ୍ଦ୍ରଙ୍କୁ କେନ୍ଦ୍ରକରି ଯଦି ଓଡ଼ିଆ ରୀତିଯୁଗର ନାମକରଣ ହୋଇପାରେ, ରାଧାନାଥଙ୍କୁ ଭିତ୍ତି କରି ଯଦି ଜାତୀୟ ଯୁଗର ସତ୍ତା ସ୍ୱୀକାର କରାଯାଏ, କିମ୍ୱା ଫକୀରମୋହନଙ୍କ ବୈଶିଷ୍ଟ୍ୟ ଗ୍ରହଣ କରି ଯଦି ଫକୀରମୋହନଙ୍କ ଯୁଗର ପରିକଳ୍ପନା କରାଯାଏ, ତାହାହେଲେ ନନ୍ଦକିଶୋରଙ୍କୁ ଭିତ୍ତିକରି ଓଡ଼ିଆ ସାହିତ୍ୟରେ ପଲ୍ଲୀ ସାହିତ୍ୟ ଯୁଗର ସ୍ୱତନ୍ତ୍ର ସତ୍ତା ସ୍ୱୀକାର କରା ନଯିବ କାହିଁକି ? ବିଂଶ ଶତାବ୍ଦୀ ଯେପରି ଗଦ୍ୟ ସାହିତ୍ୟର ଯୁଗ, ସେହିପରି ଗ୍ରାମ୍ୟ ଜନତାର ଯୁଗ ମଧ୍ୟ । ନନ୍ଦକିଶୋର ସ୍ପନ୍ଦନପୂରିତ ପ୍ରାଣରେ ଦେଶ ପ୍ରେମ ପ୍ଳାବିତ ଅନ୍ତରରେ ଓ ଧୈର୍ଯ୍ୟ ସ୍ଥୈର୍ଯ୍ୟ ପ୍ରତିଷ୍ଠିତ ହୃଦୟରେ ଏ ଜାତିକୁ ମୁକ୍ତିର ମାର୍ଗ ପ୍ରଦର୍ଶନ କରିଛନ୍ତି, ଏକତାବଦ୍ଧ ହୋଇ ଜନନୀଙ୍କୁ ପୂର୍ଣ୍ଣାଙ୍ଗ କରିବାକୁ ଇଙ୍ଗିତ ଦେଇଛନ୍ତି, ମନସ୍ତାତ୍ୱିକ ଶିକ୍ଷା ନୀତିରେ ସୁଯୋଗ୍ୟ ନାଗରିକ ଗଠନ କରିବା ପାଇଁ ପ୍ରୟାସ କରିଛନ୍ତି । ଅଖ୍ୟାତ ପଲ୍ଲୀକୁ ବିଖ୍ୟାତ କଟକର ସମୀପବର୍ତ୍ତୀ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି, ରସାଳ ସାହିତ୍ୟ ସୃଷ୍ଟିରେ ଉତ୍କଳର ସାରସ୍ୱତ ସମୃଦ୍ଧି ବିଧାନ କରିବାକୁ ବ୍ୟଗ୍ର ହୋଇ ଉଠିଛନ୍ତି । ସାମାଜିକ ସଂସ୍କାର ଦ୍ୱାରା ଜନ୍ମଭୂମିକୁ ସଭ୍ୟ ଦେଶମାନଙ୍କର ସମଆସନରେ ପ୍ରତିଷ୍ଠା କରିବାକୁ ଉତ୍କଣ୍ଠିତ ହୋଇଛନ୍ତି । ଦେଶର ପତିତ, ଲାଞ୍ଛିତ, ଅବହେଳିତ ଜନତାକୁ ପ୍ରଗତିଶୀଳ ପନ୍ଥାର ପଥିକ କରିବାପାଇଁ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଛନ୍ତି । ନନ୍ଦକିଶୋରଙ୍କର ସାହିତ୍ୟ ସାଧନା ସାର୍ଥକତାର ସୌରଭରେ ଏବେ ଯେପରି ଜନମନ ହରଣ କରେ, ବହୁକାଳ ପର୍ଯ୍ୟନ୍ତ ସେପରି କରୁଥିବ । ରାଧାନାଥଙ୍କ ଭାଷାରେ–

 

‘ତୁମ୍ଭ ମାଟି ଦେହ ଗ୍ରାସିଛି, ଶ୍ମଶାନ

ମାତ୍ର ଯଶ ଦେହେ ତୁମ୍ଭେ ଆୟୁଷ୍ମାନ ।’

Image